ଅର୍ଣ୍ଣବ ପ୍ରଭାବରେ ଦକ୍ଷିଣ ଓଡିଶାରେ ବନ୍ୟା : ୪୮ ହଜାରରୁ ଅଧିକ ସ୍ଥାନାନ୍ତରିତ, ୯ ଟ୍ରେନ୍ ବାତିଲ୍
ଭୁବନେଶ୍ୱର (ସଂକେତ ଟିଭି): ବାତ୍ୟା ଅର୍ଣ୍ଣବର ପ୍ରଭାବରେ ଗଞ୍ଜାମ ଜିଲ୍ଲାରେ ବନ୍ୟା ସ୍ଥିତି ସଙ୍ଗୀନ ହୋଇପଡ଼ିଛି। ଘୋଡ଼ାହାଡ଼ ନଦୀରେ ଜଳସ୍ତର ବଢ଼ୁଥିବା ବେଳେ ସାନଖେମୁଣ୍ଡି ବ୍ଲକର ପଳାସପୁର ବ୍ରିଜ୍ ଉପରେ ପ୍ରାୟ ୫ ଫୁଟ ଉଚ୍ଚର ବନ୍ୟାଜଳ ପ୍ରବାହିତ ହେଉଛି। ଫଳରେ ଦିଗପହଣ୍ଡିରୁ ଆସିକାକୁ ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି। ରାତିସାରା ଲାଗି ରହିଥିବା ବର୍ଷା ଯୋଗୁଁ ସାନଖେମୁଣ୍ଡି ବ୍ଲକର ଅନେକ ଗାଁ ଜଳବନ୍ଦୀ ହୋଇଥିବା ବେଳେ ପଳାସପୁର ଗାଁରେ ଆତଙ୍କର ବାତାବରଣ ଦେଖାଦେଇଛି।
ଗଞ୍ଜାମର ୨୨ଟି ବ୍ଲକରେ ଜଳବନ୍ଦୀ ପରିସ୍ଥିତି ଉପୁଜିଛି। ପାତ୍ରପୁର ବ୍ଲକରେ ୨୪ ଘଣ୍ଟାରେ ସର୍ବାଧିକ ୫୪୬ ମିମି ବର୍ଷା ରେକର୍ଡ ହୋଇଛି। ଋଷିକୁଲ୍ୟା ଓ ଘୋଡ଼ାହାଡ଼ ନଦୀ ବିପଦ ସଂକେତ ଟପିଛି। ପ୍ରାୟ ୩୦୦ ଗ୍ରାମ ଜଳଘେରରେ ଥିବା ବେଳେ ୨୦୦୦ ଲୋକ ଫସି ରହିଛନ୍ତି। ପ୍ରଶାସନ ୬୧୭୦ ଜଣଙ୍କୁ ୧୭୭ଟି ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରିଛି। ଓଡ୍ରାଫ୍ ଓ ଏନଡିଆରଏଫ୍ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। କୋଷ୍ଟଗାର୍ଡ ହେଲିକପ୍ଟରରେ ୧୨୦ ଜଣଙ୍କୁ ଉଦ୍ଧାର କରାଯାଉଛି। ଅକ୍ଟୋବର ୩୧ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ।
ଗଜପତି ଜିଲ୍ଲାରେ ମଧ୍ୟ ସ୍ଥିତି ସଙ୍ଗୀନ। ପ୍ରବଳ ବର୍ଷା ଯୋଗୁଁ କଇଁପୂର-ଗଙ୍ଗାବାଡା ମୁଖ୍ୟ ରାସ୍ତାରେ ଭୂସ୍ଖଳନ ହୋଇଛି। ପାହାଡ଼ ଧସିଯାଇ ପ୍ରାୟ ୫୦ ମିଟର ପର୍ଯ୍ୟନ୍ତ ମାଟି ଓ ପଥର ପଡ଼ିଥିବାରୁ ରାସ୍ତା ଅବରୋଧ ହୋଇଛି। ରାୟଗଡ଼ ବ୍ଲକକୁ ସଂଯୋଗ କରୁଥିବା ବଡ଼ତୁଣ୍ଡି ବ୍ରିଜର ଆପ୍ରୋଚ୍ ରୋଡ୍ ଧସିଯିବା ଫଳରେ ୧୫ଟି ଗାଁର ଯାତାୟାତ ପ୍ରଭାବିତ ହୋଇଛି। ବାଘଶାଳା ଗାଁରେ ମହୋନ୍ଦ୍ରତନୟା ନଦୀର ବନ୍ୟାଜଳ ପ୍ରବେଶ କରିଛି।
ରେଳ ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହୋଇଛି। ଇଚ୍ଛାପୁରମ୍-ଝାଡୁପୁଡ଼ି ରେଳଖଣ୍ଡରେ ରେଳପୋଲ ଉପରେ ଜଳସ୍ତର ବିପଦସଙ୍କେତ ଟପିଥିବାରୁ ୯ଟି ଟ୍ରେନ୍ ବାତିଲ୍ ଓ ୧୪ଟି ଟ୍ରେନ୍ର ଗତିପଥ ପରିବର୍ତ୍ତନ କରାଯାଇଛି।
ବାତ୍ୟା ଅର୍ଣ୍ଣବକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏସ୍ଆରସି କାର୍ଯ୍ୟାଳୟରେ ସମୀକ୍ଷା କରିଛନ୍ତି। ସେ କହିଛନ୍ତି, ଚଳିତ ଥର ରାଜ୍ୟ ସରକାର ଆହୁରି ଭଲ ଭାବେ ବାତ୍ୟା ମୁକାବିଲା କରିଛନ୍ତି ଏବଂ ଶୂନ୍ୟ ମୃତାହତ ଲକ୍ଷ୍ୟ ପୂରଣ କରିପାରିଛନ୍ତି। ୭ ଜଣ ଆଇଏଏସ୍ ଅଫିସର ଓ ୮ ଜଣ ମନ୍ତ୍ରୀଙ୍କୁ ବାତ୍ୟା ମୁକାବିଲା ଦାୟିତ୍ୱ ଦିଆଯାଇଥିଲା। ୩୧୩ଟି ରେସ୍ପନ୍ସ ଟିମ୍ ନିୟୋଜିତ ଥିଲେ। ୪୮ ହଜାରରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବା ବେଳେ ୬୩୪ଟି ରିଲିଫ କ୍ୟାମ୍ପରେ ରନ୍ଧାଖାଦ୍ୟ ଓ ପାନୀୟ ଜଳ ଯୋଗାଇ ଦିଆଯାଉଛି। ୨୨୪୫ ଜଣ ଗର୍ଭବତୀ ମହିଳାଙ୍କୁ ସ୍ଥାନାନ୍ତର କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୯୩୧ ଜଣ ଶିଶୁ ସୁସ୍ଥ ଅବସ୍ଥାରେ ଜନ୍ମଗ୍ରହଣ କରିଛନ୍ତି। ରିଲିଫ ବାବଦକୁ ୧୯ କୋଟି ଟଙ୍କା ପ୍ରଦାନ କରାଯାଇଛି।
