FeaturedLatestNews

ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ପ୍ରଫେସରଙ୍କୁ ଛୁରାମାଡ଼, ଅଭିଯୁକ୍ତ ଫେରାର

ସମ୍ବଲପୁର (ସଂକେତ ଟିଭି): ସମ୍ବଲପୁର ବିଶ୍ୱବିଦ୍ୟାଳୟ ପରିସରରେ ଜଣେ ପ୍ରଫେସରଙ୍କୁ ଛୁରାମାଡ଼ ହୋଇଛି। ଆକ୍ରମଣରେ ରସାୟନ ବିଜ୍ଞାନ ବିଭାଗର ବିଭାଗୀୟ ମୁଖ୍ୟ ପ୍ରଫେସର ସତ୍ୟ ନାରାୟଣ ସାହୁ ଆହତ ହୋଇଛନ୍ତି। ତାଙ୍କ ବାମପଟ ହାତରେ ଆଘାତ ଲାଗିଥିବା ଜଣାପଡ଼ିଛି। ଏହି ଘଟଣାକୁ ନେଇ ବିଶ୍ୱବିଦ୍ୟାଳୟ ପରିସରରେ ଚାଞ୍ଚଲ୍ୟ ଖେଳିଯାଇଛି।

ସୂଚନା ଅନୁସାରେ, ବିଶ୍ୱବିଦ୍ୟାଳୟରେ ପୂର୍ବରୁ ସ୍ୱିପର ଭାବେ କାମ କରୁଥିବା କୃପାସିନ୍ଧୁ ବାଗଙ୍କ ସହ ପ୍ରଫେସର ସତ୍ୟ ନାରାୟଣ ସାହୁଙ୍କର କୌଣସି କାରଣକୁ ନେଇ ଯୁକ୍ତିତର୍କ ହୋଇଥିଲା। ବିଶୃଙ୍ଖଳିତ ଆଚରଣ ପାଇଁ କୃପାସିନ୍ଧୁଙ୍କୁ ପୂର୍ବରୁ ଚାକିରିରୁ ବହିଷ୍କାର କରାଯାଇଥିବା ଜଣାପଡ଼ିଛି। ତେବେ ଯୁକ୍ତିତର୍କ ପରେ ଉତ୍ତ୍ୟକ୍ତ ହୋଇ କୃପାସିନ୍ଧୁ ବାଗ ପ୍ରଫେସରଙ୍କୁ ଛୁରାମାଡ଼ କରିଥିବା ଅଭିଯୋଗ ହୋଇଛି। ଆକ୍ରମଣ ପରେ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଛି।

ଅତିରିକ୍ତ ଏସପି ଅଜୟ କୁମାର ମିଶ୍ରଙ୍କ ସୂଚନା ଅନୁସାରେ, ଆକ୍ରମଣକାରୀ ଯୁବକ କୃପାସିନ୍ଧୁ ବାଗ ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ସଫେଇ କର୍ମଚାରୀଭାବେ କାମ କରୁଥିଲେ। ତାଙ୍କ ବାପା ମଧ୍ୟ ସେଠାରେ ସୁଇପର ଭାବେ କାମ କରୁଛନ୍ତି। ଅଭିଯୁକ୍ତ ଯୁବକଙ୍କୁ କିଛି ଦିନ ପୂର୍ବରୁ ତାଙ୍କର ଦୁର୍ବ୍ୟବହାର ପାଇଁ ଚାକିରୀରୁ ଛଟେଇ କରାଯାଇଥିଲା। ନିଜକୁ ପୁନର୍ବାର ଚାକିରୀରେ ରଖେଇ ଦେବା ପାଇଁ କୃପାସିନ୍ଧୁ ବାରମ୍ବାର ପ୍ରଫେସର ସାହୁଙ୍କ ପାଖକୁ ଯାଉଥିଲା।

ଆଜି ସକାଳ ୯.୩୦ ମିନିଟରେ ମଧ୍ୟ ସେ ପ୍ରଫେସରଙ୍କ ପାଖକୁ ଯାଇଥିଲା। ପ୍ରଫେସର କଲେଜ ଆସୁଥିବା ସମୟରେ ତାଙ୍କ ସହ ଝଗଡ଼ା କରିବା ସହ ଅଚାନକ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲା କୃପାସିନ୍ଧୁ। ପ୍ରଫେସର ସାହୁ ପ୍ରତିରୋଧ କରିବାକୁ ଯାଇ ସାମାନ୍ୟ ଆହତ ହୋଇଥିବା ଅତିରିକ୍ତ ଏସପି ସୂଚନା ଦେଇଛନ୍ତି।

ଅତିରିକ୍ତ ଏସପି ଆହୁରି କହିଛନ୍ତି, “ଆକ୍ରମଣରେ ପ୍ରଫେସର ସାହୁଙ୍କ ବାମପଟ ହାତରେ ଆଘାତ ଲାଗିଛି। ତାଙ୍କୁ ବୁର୍ଲା ଭିମାସରେ ଚିକିତ୍ସା କରାଯାଉଛି। ଅଭିଯୁକ୍ତ ଅନେକ ସମୟରେ କାମରେ ଅନୁପସ୍ଥିତ ରହୁଥିବା ଏବଂ ନିଶାସକ୍ତ ହୋଇ କାମକୁ ଆସୁଥିବାରୁ ତାଙ୍କୁ ବାହାର କରି ଦିଆଯାଇଥିବା ନେଇ ବିଶ୍ୱବିଦ୍ୟାଳୟ ପକ୍ଷରୁ କୁହାଯାଇଛି।”

ଘଟଣା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି। ଫେରାର ଅଭିଯୁକ୍ତ କୃପାସିନ୍ଧୁ ବାଗଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ଉଦ୍ୟମ ଜାରି ରହିଛି। ତେବେ ଏହି ଆକ୍ରମଣ ପଛର ପ୍ରକୃତ କାରଣ କ’ଣ, ସେନେଇ ତଦନ୍ତ ପରେ ଅଧିକ ତଥ୍ୟ ସାମ୍ନାକୁ ଆସିବ।

Leave a Reply

Your email address will not be published. Required fields are marked *