ବାତ୍ୟା ଅର୍ଣ୍ଣବ ପରେ ଗଞ୍ଜାମ ଓ ଗଜପତି ବେହାଲ; ମୁଖ୍ୟମନ୍ତ୍ରୀଙ୍କ ଆକାଶମାର୍ଗରୁ ପରିଦର୍ଶନ
ଭୁବନେଶ୍ୱର (ସଂକେତ ଟିଭି): ବାତ୍ୟା ଅର୍ଣ୍ଣବ ଯିବାପରେ ଗଞ୍ଜାମ ଓ ଗଜପତିର ସ୍ଥିତି ବେହାଲ ହୋଇପଡ଼ିଛି। ଅନେକ ଅଞ୍ଚଳ ଜଳମଗ୍ନ ହୋଇଥିବା ବେଳେ ଅନେକ ଲୋକ ଜଳବନ୍ଦୀରେ ରହିଛନ୍ତି। ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଏଭଳି ସ୍ଥିତିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଞ୍ଜାମ ଓ ଗଜପତି ବନ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି।
ଆକାଶମାର୍ଗରୁ ଗଞ୍ଜାମ ଓ ଗଜପତି ଜିଲ୍ଲାର ବନ୍ୟା ସ୍ଥିତି ଅନୁଧ୍ୟାନ କରିବା ପରେ ମୁଖ୍ୟମନ୍ତ୍ରୀ ରଙ୍ଗେଇଲୁଣ୍ଡାରେ ଅବତରଣ କରି ସ୍ଥିତିର ସମୀକ୍ଷା କରିଛନ୍ତି। ବାତ୍ୟା ଅର୍ଣ୍ବ ପ୍ରଭାବରେ ଗଞ୍ଜାମ ଓ ଗଜପତିରେ ବନ୍ୟା ସ୍ଥିତି ଗମ୍ଭୀର ହୋଇଥିବା ବେଳେ ବ୍ୟାପକ କ୍ଷୟକ୍ଷତି ହୋଇଛି। ବନ୍ୟାରେ ପ୍ରଭାବିତ ଅଞ୍ଚଳର ସ୍ଥିତି କେତେ ଗମ୍ଭୀର ଏବଂ ଲୋକଙ୍କ ଧନଜୀବନ କେତେ ପ୍ରଭାବିତ ହୋଇଛି, ତାହା ମୁଖ୍ୟମନ୍ତ୍ରୀ ଆକାଶମାର୍ଗରୁ ଅନୁଧ୍ୟାନ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ମଧ୍ୟ ଉପସ୍ଥିତ ଥିଲେ।
ବନ୍ୟାରେ ଗଞ୍ଜାମର ୨୨ ବ୍ଲକର ୪୩ ହଜାର ଲୋକ ପ୍ରଭାବିତ ହୋଇଛନ୍ତି। ୨୩ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ୩୫୨ ରିଲିଫ ସେଣ୍ଟରରେ ଲୋକେ ଆଶ୍ରୟ ନେଇଛନ୍ତି। ୭୨ ଗାଁ ପ୍ରଭାବିତ ହୋଇଥିବା ବେଳେ ୯ଟି ଗାଁ ବିଶେଷ ମାତ୍ରାରେ ପ୍ରଭାବିତ ହୋଇଛି।
କୋଷ୍ଟଗାର୍ଡ ହେଲିକପ୍ଟର ଜରିଆରେ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ନୌସେନା ହେଲିକପ୍ଟର ଖାଦ୍ୟ ପୁଡ଼ିଆ ଏୟାର ଡ୍ରପ୍ କରୁଛି। ୨୨ ସ୍ଥାନରେ ଏୟାର ଡ୍ରପ୍ କରାଯିବ। ହିଞ୍ଜିଳି, ଚିକିଟି, ପୁରୁଷୋତ୍ତମପୁର, ଶେରଗଡ଼, ଧରାକୋଟ, ଆସ୍କା ଓ ବେଲଗୁଣ୍ଠା ଭଳି ସ୍ଥାନରେ ରିଲିଫ ସାମଗ୍ରୀ ଏୟାର ଡ୍ରପ୍ କରାଯିବ। ୪୦ ଜଣ ତାଲିମପ୍ରାପ୍ତ ଲୋକ ରନ୍ଧା ଖାଦ୍ୟ ନେଇ ପହଞ୍ଚିବେ। ପାଣି ସ୍ରୋତ ଥିବା ଯୋଗୁଁ ଯିବା ସମ୍ଭବପର ହେଉନଥିଲା, ଆଜି ସ୍ଥିତି ସୁଧୁରିଛି। ଭୂସ୍ଖଳନ ଯୋଗୁଁ ବ୍ୟାପକ ପରିମାଣରେ ରାସ୍ତା କ୍ଷତିଗ୍ରସ୍ତ ହୋଇଛି।
