ଜିରୋ କାଜୁଏଲିଟି ଦାବି ଫେଲ୍ : ଭୂସ୍ଖଳନ ଓ ବନ୍ୟାରେ ୪ ମୃତ, ୧୨ ନିଖୋଜ
ଭୁବନେଶ୍ୱର (ସଂକେତ ଟିଭି): ଭୂସ୍ଖଳନ ଓ ବନ୍ୟାରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ ଜଣ ନିଖୋଜ ଅଛନ୍ତି । କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକରେ ୩ ଜଣ ଓ ଗଜପତି ଜିଲ୍ଲାରୁ ଜଣଙ୍କ ଜୀବନ ଯାଇଛି ।
ଭଞ୍ଜନଗର ବାଇବାଲି ପଞ୍ଚାୟତର ଗିଡିପାବାଲି ଗାଁରେ ଭୂସ୍ଖଳନ ଯୋଗୁଁ ୧୨ ଜଣ ନିଖୋଜ ହୋଇଛନ୍ତି । ସେମାନଙ୍କୁ ଖୋଜିବାକୁ ଅଗ୍ନିଶମ, ଏସଓଜି ଓ ଏନଡିଆରଏଫର ୧୬୦ ରୁ ୧୭୦ ଜଣ ନିୟୋଜିତ ହୋଇଛନ୍ତି । କାଲି ରାତିଠାରୁ ସର୍ଚ୍ଚ ଅପରେସନ ଚାଲିଛି ବୋଲି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଭାକର ପାଟିଲ ସୂଚନା ଦେଇଛନ୍ତି ।
ଗଞ୍ଜାମ ଜିଲ୍ଲାରେ ୩୬୭ ରିଲିଫ କ୍ୟାମ୍ପରେ ୩୯ ହଜାର ୬୧୯ ଲୋକ ଅଛନ୍ତି ଏବଂ ମୋଟ ୧ ଲକ୍ଷ ୫ ହଜାର ୬୨୨ ଜଣ ପ୍ରଭାବିତ ହୋଇଛନ୍ତି । ଗଜପତିରେ ୨୧ ହଜାର ୭୮୨ ଲୋକ ପ୍ରଭାବିତ ହୋଇଥିବା ବେଳେ ୩୪୦ ରିଲିଫ କ୍ୟାମ୍ପରେ ସୁବିଧା ଦିଆଯାଉଛି । ଆଜି ଆସିକାରେ ବିଦ୍ୟୁତ ସଂଯୋଗ ହେବ ଏବଂ ଜିଲ୍ଲାରେ ୮୦ରୁ ୮୫ ପ୍ରତିଶତ ବିଦ୍ୟୁତ ଭିତ୍ତିଭୂମି ପୁନଃରୁଦ୍ଧାର ହୋଇଛି । ଛତ୍ରପୁର ସହ ଭୀମପୁର ଗାଁରେ ଖାଦ୍ୟ ଏୟାରଡ୍ରପ କରାଯିବ ।
କନ୍ଧମାଳ ଭୂସ୍ଖଳନରେ ନିଖୋଜଙ୍କ ଉଦ୍ଧାର ପାଇଁ ରାଜ୍ୟ ସରକାର ରେଳ ବିଭାଗର ସହାୟତା ନେବେ । ରେଳ ବିଭାଗର ଅଧିକାରୀ ଓ ଜ୍ଞାନ କୌଶଳ ଯୋଗାଇବାକୁ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଥା ହୋଇଛନ୍ତି । ଚେନ ପୁଲିଂ ଟେକନିକ ଲଗାଇବାକୁ ଆଲୋଚନା ହୋଇଛି ଏବଂ ଓଡ଼ିଶାରେ କାର୍ଯ୍ୟରତ ସମସ୍ତ ଜିଏମ ଓ ଡିଆରଏମଙ୍କୁ ଘଟଣାସ୍ଥଳରେ ପହଞ୍ଚିବାକୁ ନିର୍ଦ୍ଦେଶ ଦିଆଯାଇଛି । ନିଖୋଜଙ୍କ ସନ୍ଧାନରେ Live Detection ୟୁନିଟ୍ ସହ ନାଭାଲ ହେଲିକେପ୍ଟର ଉଡ଼ିବ ଏବଂ ସମ୍ପୂର୍ଣ୍ଣ ଅଞ୍ଚଳ ସ୍କାନ ହେବ ।
ଏସଆରସି କହିଛନ୍ତି ଯେ ଗଞ୍ଜାମର ସ୍ଥିତିରେ ସୁଧାର ଆସୁଛି, ଋଷିକୂଲ୍ୟା ନଦୀ ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି ଏବଂ ଜଳବନ୍ଦୀ ଅବସ୍ଥା ନାହିଁ । ରାସ୍ତା ସଂଯୋଗ ନଥିବାରୁ ଛତ୍ରପୁର ସରଭୀମପୁର ଗାଁରେ ଆଜି ଖାଦ୍ୟ ଏୟାରଡ୍ରୋପ କରାଯାଉଛି । ପାତ୍ରପୁରରେ ୫୪୬ ମିଲିମିଟର ବର୍ଷା ଓଡ଼ିଶା ଇତିହାସରେ ଚତୁର୍ଥ ବଡ଼ ବର୍ଷା ବୋଲି ସେ ସୂଚନା ଦେଇଛନ୍ତି ।
ଏସଆରସିଙ୍କ କାର୍ଯ୍ୟାଳୟରେ ପହଞ୍ଚି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍ଧାର କାର୍ଯ୍ୟ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଡାକିଛନ୍ତି । ଏଥିରେ ରାଜସ୍ୱ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଏସଆରସି, ଅଗ୍ନିଶମ ଡିଜି ଓ ବିଭିନ୍ନ ବିଭାଗର ସଚିବ ଉପସ୍ଥିତ ରହିବେ ।
