୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ଭୁବନେଶ୍ୱର (ସଂକେତ ଟିଭି): ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆସନ୍ତା ୩ରୁ ୫ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ୩ ଦିନିଆ ଗସ୍ତ କାର୍ଯ୍ୟକ୍ରମ ଭୁବନେଶ୍ୱର, କଟକ ଏବଂ ବ୍ରହ୍ମପୁରରେ ଆୟୋଜିତ ହୋଇଛି। ଅଗଷ୍ଟ ୩ ତାରିଖରେ ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱରରେ ପହଞ୍ଚିବେ ରାଷ୍ଟ୍ରପତି। ଏହାପରେ ୪ ତାରିଖରେ ସେ ଭୁବନେଶ୍ୱର ରେଳ ଷ୍ଟେସନରୁ ଟ୍ରେନ୍ ଯୋଗେ ବ୍ରହ୍ମପୁର ଯିବେ।
ରାଷ୍ଟ୍ରପତିଙ୍କ ଏହି ଗସ୍ତକୁ ନେଇ କମିଶନରେଟ୍ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏୟାରପୋର୍ଟ, ରେଳୱେ ଷ୍ଟେସନ ଏବଂ ସମ୍ପୂର୍ଣ୍ଣ ରୁଟ୍ ରେ କଡ଼ା ସୁରକ୍ଷା ବ୍ୟବସ୍ଥା ରହିବ। ରୁଟ୍ ଓ ଅନ୍ୟାନ୍ୟ ସୁରକ୍ଷା ବ୍ୟବସ୍ଥାର ତଦାରଖ ପାଇଁ DCP ରାଙ୍କର ଅଧିକାରୀଙ୍କ ସହ SP ଓ ACP ରାଙ୍କର ଅଧିକାରୀମାନେ ନିୟୋଜିତ ରହିବେ। ପୋଲିସ କମିଶନର ଏସ୍. ଦେବ ଦତ୍ତ ସିଂହ ନିଜେ ସମସ୍ତ ସୁରକ୍ଷା ବ୍ୟବସ୍ଥାକୁ ନଜରରେ ରଖିବେ।
ଗସ୍ତକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ପ୍ରସ୍ତୁତି କରାଯାଇଛି। ସୁରକ୍ଷା ଦାୟିତ୍ୱରେ ପ୍ରାୟ ୪୦ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ରହିବେ। ଏହାକୁ ନେଇ ଶନିବାର ଭୁବନେଶ୍ୱର ରେଳ ଷ୍ଟେସନରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ପୋଲିସ କମିଶନର। ଏହି ସମୀକ୍ଷା ବୈଠକରେ DCP, DCP Headquarter, ରେଳ ଷ୍ଟେସନ ଡାଇରେକ୍ଟରଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ସୁରକ୍ଷା ବ୍ୟବସ୍ଥାକୁ ଚୂଡ଼ାନ୍ତ ରୂପ ଦେଇଥିଲେ।
