FeaturedLatestNews

୨୦୨୬ର ନୂତନ ରେଳ ସମୟସାରଣୀ ହେଲା କାର୍ଯ୍ୟକାରୀ

ଭୁବନେଶ୍ୱର(ସଂକେତ ଟିଭି): ପୂର୍ବତଟ ରେଳପଥ ଅଧିକାରୀଙ୍କ ତରଫରୁ ୧ ଜାନୁଆରୀ ୨୦୨୬ ଠାରୁ ଏକ ନୂତନ ସମୟସାରଣୀ କାର୍ଯ୍ୟକାରୀ କରାଯାଇଛି । ଏହି ନୂତନ ସମୟସାରଣୀର ମୁଖ୍ୟ ଲକ୍ଷ୍ୟ ହେଉଛି ଯାତ୍ରୀଙ୍କ ସୁବିଧା, ଉନ୍ନତ ସଂଯୋଗ, ସମୟନିଷ୍ଠତା, ସୁରକ୍ଷା ଏବଂ ସୁଖଦ ଯାତ୍ରାନୁଭୂତି ପ୍ରଦାନ କରିବା ।

ନୂତନ ସମୟସାରଣୀ ଅନୁଯାୟୀ ରେଳ ସଂଯୋଗ ସୁଦୃଢ଼ କରିବା ପାଇଁ ଛଅଟି ନୂତନ ଟ୍ରେନ (ତିନି ଯୋଡ଼ା) ଚଳାଚଳ ଆରମ୍ଭ କରାଯାଇଛି । ଏଥିରେ ଉଧନା–ବ୍ରହ୍ମପୁର–ଉଧନା, ସମ୍ବଲପୁର–ବୌଦ୍ଧ–ସମ୍ବଲପୁର ଏବଂ ବୌଦ୍ଧ–ଭୁବନେଶ୍ୱର ନୂଆ–ବୌଦ୍ଧ ସାପ୍ତାହିକ ଏକ୍ସପ୍ରେସ୍ ଟ୍ରେନ ଅନ୍ତର୍ଭୁକ୍ତ । ଏହା ସହିତ, ୧୪ଟି ଟ୍ରେନ (ସାତ ଯୋଡ଼ା)କୁ ନୂତନ ଗନ୍ତବ୍ୟସ୍ଥଳ ପର୍ଯ୍ୟନ୍ତ ବିସ୍ତାର କରାଯାଇଛି, ଯାହା ଫଳରେ ଦୁର୍ଗମ ଏବଂ ଅଞ୍ଚଳୀୟ ଅଞ୍ଚଳଗୁଡ଼ିକୁ ଉତ୍ତମ ସଂଯୋଗ ମିଳିବ ।

ଯାତ୍ରୀ ଚାହିଦା ବୃଦ୍ଧିକୁ ଦୃଷ୍ଟିରେ ରଖି ୧୯୦୨୧/୧୯୦୨୨ ଉଧନା–ବ୍ରହ୍ମପୁର ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନର ଚଳାଚଳ ସାପ୍ତାହିକରୁ ବୃଦ୍ଧି କରି ସପ୍ତାହକୁ ତିନି ଦିନ କରାଯାଇଛି । ଏହା ଛଡ଼ା ୨୦୭୦୭/୨୦୭୦୮ ସିକନ୍ଦରାବାଦ–ବିଶାଖାପଟଣା ବନ୍ଦେ ଭାରତ ଏବଂ ୨୦୮୩୫/୨୦୮୩୬ ରାଉରକେଲା–ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନର ଚଳାଚଳ ଦିନରେ ପରିବର୍ତ୍ତନ ଆଣାଯାଇଛି ।

ଗୁରୁତ୍ୱପୂର୍ଣ୍ଣ ଏକ ପଦକ୍ଷେପ ଭାବରେ ଯାତ୍ରା ସମୟ କମେଇବା ପାଇଁ ୧୦ଟି ଟ୍ରେନର ଗତି ବଢ଼ାଯାଇଛି, ଯାହା ଫଳରେ କିଛି ରୁଟରେ ସର୍ବାଧିକ ୩୫ ମିନିଟ୍ ସମୟ ସଞ୍ଚୟ ହେବ । ଯାତ୍ରୀ ସୁରକ୍ଷା ଓ ସୁବିଧା ଦୃଷ୍ଟିରୁ ୪ଟି ଟ୍ରେନ (ଦୁଇ ଯୋଡ଼ା)କୁ ଆଧୁନିକ LHB କୋଚରେ ପରିବର୍ତ୍ତନ କରାଯାଇଛି ।

ନୂତନ ସମୟସାରଣୀ ଅନୁଯାୟୀ ଲୋଇସିଂହା, ନର୍ଲା ରୋଡ଼, ବୋଲଗଡ଼ ଟାଉନ PH, ସାନପଦର, ତରାବୋଇ, ସାଖୀଗୋପାଳ, ମଞ୍ଚେଶ୍ୱର, ନରାଜ ମାର୍ଥାପୁର, ଭୁସଣ୍ଡପୁର, ବଇଣ୍ଡା, ଅମ୍ବୋଦଳା, ଥେରୁଭାଲି, ମୁରିବାହାଲ, ଦେଓଗାଁ ରୋଡ଼, ତାଳଚେର ରୋଡ଼ ଓ ନିର୍ଗୁଣ୍ଡି ଷ୍ଟେସନମାନଙ୍କ ଠାରେ ମୋଟ ୫୬ଟି ନୂତନ ଷ୍ଟପେଜ୍ ପ୍ରଦାନ କରାଯାଇଛି । ଏହା ସହିତ ୨୫ଟି ଟ୍ରେନର ଯାତ୍ରା ସମୟ ହ୍ରାସ କରାଯାଇଛି ।

ଟର୍ମିନାଲ ପରିଚାଳନା ସୁଦୃଢ଼ କରିବା ପାଇଁ ୨୭ଟି ଟ୍ରେନର ସମୟରେ ପରିବର୍ତ୍ତନ କରାଯାଇଛି । ଏହା ସହିତ ୧ ଜାନୁଆରୀ ୨୦୨୬ରୁ ୧୦ଟି ଟ୍ରେନ ବର୍ତ୍ତମାନ ସମୟ ଆଗରୁ ଛାଡ଼ିବେ । ଏହି ଟ୍ରେନ୍ ଗୁଡ଼ିକ ହେଉଛି: ୧୨୧୪୫ ଏଲଟିଟି-ପୁରୀ ସାପ୍ତାହିକ ଏକ୍ସପ୍ରେସ, ୧୮୪୫୧ ହାଟିଆ-ପୁରୀ ତାପସ୍ୱିନୀ ଏକ୍ସପ୍ରେସ, ୧୨୮୭୯ ଏଲଟିଟି-ଭୁବନେଶ୍ୱର ଏକ୍ସପ୍ରେସ, ୨୨୮୬୫ ଏଲଟିଟି-ପୁରୀ ଏକ୍ସପ୍ରେସ, ୧୩୩୫୧ ଧାନବାଦ୍-ଆଲେପି ଏକ୍ସପ୍ରେସ, ୨୦୮୦୭ ବିଶାଖାପାଟନମ୍-ଅମୃତସର ହିରାକୁଦ୍ ଏକ୍ସପ୍ରେସ, ୧୮୦୦୫ ହାଓଡ଼ା-ଜଗଦଳପୁର ସମଲେଶ୍ୱରୀ ଏକ୍ସପ୍ରେସ, ୧୮୫୨୯ ଦୁର୍ଗ-ବିଶାଖାପାଟନମ୍ ଏକ୍ସପ୍ରେସ୍, ୨୦୮୬୨ ଅହମ୍ମଦାବାଦ-ପୁରୀ ଏକ୍ସପ୍ରେସ ଏବଂ ୧୮୪୨୨ ସୋନପୁର-ପୁରୀ ଏକ୍ସପ୍ରେସ ।