ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣି: ଶତାଧିକ ଅଭିଯୋଗ ଶୁଣି ତ୍ୱରିତ ସମାଧାନ ନିର୍ଦ୍ଦେଶ
ଭୁବନେଶ୍ବର(ସଂକେତ ଟିଭି):ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଭୁବନେଶ୍ୱର ୟୁନିଟ-୨ ଅଭିଯୋଗ ପ୍ରକୋଷ୍ଠରେ ଆୟୋଜିତ ୧୬ତମ ଜନଶୁଣାଣି କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଶତାଧିକ ନାଗରିକଙ୍କ ଅଭିଯୋଗ ଶୁଣିଛନ୍ତି ଏବଂ ସେଗୁଡିକର ତ୍ୱରିତ ସମାଧାନ ପାଇଁ ପ୍ରଶାସନିକ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଜନତାଙ୍କ ଅକୁଣ୍ଠ ବିଶ୍ୱାସ ଓ ଆସ୍ଥା ହିଁ ସରକାରଙ୍କୁ ନିରନ୍ତର ସେବା କରିବା ପାଇଁ ଅପାର ଶକ୍ତି ଯୋଗାଉଛି। ସେ ଜୋର୍ ଦେଇ କହିଛନ୍ତି, “ଏହି ସରକାର ହେଉଛି ‘ଲୋକଙ୍କ ସରକାର’। ପ୍ରଶାସନ ଓ ଜନତାଙ୍କ ମଧ୍ୟରେ ଥିବା ବ୍ୟବଧାନକୁ ଦୂର କରି ବ୍ୟବସ୍ଥାକୁ ଲୋକଙ୍କ ଅତି ନିକଟତର କରିବା ପାଇଁ ଆମେ ପ୍ରତିବଦ୍ଧ।”
ସେ ଆଗକୁ କହିଛନ୍ତି, “ଜନଶୁଣାଣି, ପାରଦର୍ଶୀ ପ୍ରଶାସନ ଓ ଦ୍ରୁତ କାର୍ଯ୍ୟାନୁଷ୍ଠାନ ଉପରେ ଆଧାରିତ ଆମର ଶାସନ ବ୍ୟବସ୍ଥା ଆଜି ସାଧାରଣ ଲୋକଙ୍କ ଦୁଆରମୁହଁରେ ପହଞ୍ଚିପାରିଛି। ଆମ ସରକାରରେ କେହି ଜଣେ ବି ଯେମିତି ନ୍ୟାୟରୁ ବଞ୍ଚିତ ନ ହେବେ, ସେଥିପାଇଁ ଆମେ ସବୁପ୍ରକାର ପ୍ରୟାସ କରୁଛୁ।”
ମୁଖ୍ୟମନ୍ତ୍ରୀ ନିଜ ସୋସିଆଲ ମିଡିଆ ଏକାଉଣ୍ଟରେ ଏହି କାର୍ଯ୍ୟକ୍ରମ ବିଷୟରେ ଲେଖିଛନ୍ତି। ସେଥିରେ ସେ ସ୍ପଷ୍ଟ କରିଛନ୍ତି ଯେ ଜନତାଙ୍କ ଭରସା ହିଁ ସରକାରଙ୍କ ପ୍ରେରଣା। ଏକ ସମୃଦ୍ଧ, ଶକ୍ତିଶାଳୀ ଓ ବିକଶିତ ଓଡ଼ିଶା ଗଠନ ପାଇଁ ସରକାରଙ୍କର ପ୍ରତ୍ୟେକଟି ପଦକ୍ଷେପ ନାଗରିକଙ୍କ ସେବାରେ ସମର୍ପିତ।
