FeaturedGeneralLatest

ରାଜ୍ୟସଭା ସାଂସଦ ସୋନିଆ ଗାନ୍ଧୀ ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ (ସଂକେତ ଟିଭି):କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ବର୍ତ୍ତମାନ ରାଜ୍ୟସଭା ସାଂସଦ ସୋନିଆ ଗାନ୍ଧୀଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ ଖରାପ ହୋଇଥିବାରୁ ତାଙ୍କୁ ରବିବାର ରାତି ୧୦ଟାରେ ଦିଲ୍ଲୀର ସାର ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ହସ୍ପିଟାଲ ଚେୟାରମ୍ୟାନ ଡା. ଅଜୟ ସ୍ୱରୂପଙ୍କ କହିବା ଅନୁସାରେ, ତାଙ୍କର ଶ୍ୱାସକ୍ରିୟା ସମ୍ବନ୍ଧୀୟ ସମସ୍ୟା ଦେଖାଦେଇଥିଲା । ଚିକିତ୍ସା ପରେ ଜଣାପଡିଛି ଯେ ଅତ୍ୟଧିକ ଥଣ୍ଡା ଏବଂ ପ୍ରଦୂଷଣ ଯୋଗୁଁ ତାଙ୍କର ଆସ୍ଥମା ଅବସ୍ଥା ବିଗିଡିଯାଇଛି, ଫଳରେ ସ୍ୱାସ୍ଥ୍ୟ ହାନୀ ଘଟିଛି ।

ଡା. ସ୍ୱରୂପ ଆହୁରି ସୂଚନା ଦେଇ କହିଛନ୍ତି ଯେ ସୋନିଆ ଗାନ୍ଧୀଙ୍କୁ ଆବଶ୍ୟକୀୟ ଚିକିତ୍ସା ପାଇଁ ହସ୍ପିଟାଲରେ ରଖାଯାଇଛି ଏବଂ ତାଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ଅଛି । ତାଙ୍କୁ ଆଣ୍ଟିବାୟୋଟିକ ଓ ଅନ୍ୟାନ୍ୟ ଔଷଧ ପ୍ରଦାନ କରାଯାଇଥିବା ବେଳେ ଏଥିରେ ତାଙ୍କ ସ୍ୱାସ୍ଥ୍ୟରେ ସୁଧାର ମଧ୍ୟ ଦେଖାଦେଇଛି । ତାଙ୍କୁ ଡିସଚାର୍ଜ କରିବା ସମୟ ଚିକିତ୍ସକ ଦଳ ତାଙ୍କ ଅଗ୍ରଗତି ଉପରେ ନିର୍ଭର କରିବ ବୋଲି ଡାକ୍ତର କହିଛନ୍ତି, ମାତ୍ର ସମ୍ଭାବ୍ୟ ଭାବେ ଗୋଟିଏ କିମ୍ବା ଦୁଇ ଦିନ ମଧ୍ୟରେ ତାଙ୍କୁ ଛାଡ଼ କରାଯାଇପାରେ ।

୭୯ ବର୍ଷ ବୟସ୍କ ସୋନିଆ ଗାନ୍ଧୀ ଏହାପୂର୍ବେ ୨୦୨୫ ଜୁନ ୭ ତାରିଖରେ ହିମାଚଳ ପ୍ରଦେଶ ଗସ୍ତ ବେଳେ ଅସୁସ୍ଥ ହୋଇପଡିଥିଲେ । ସେତେବେଳେ ସେ ସିମଳାରେ ଥିବାରୁ ସେଠାକାର ଏକ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଏବଂ ପରବର୍ତ୍ତୀ ସମୟରେ ଦିଲ୍ଲୀ ଆଣି ଗଙ୍ଗାରାମ ହସ୍ପିଟାଲରେ ଚିକିତ୍ସିତ ହୋଇଥିଲେ । ସୋନିଆ ଗାନ୍ଧୀ ନିଜର ନିୟମିତ ଚେକଅପ୍ ମଧ୍ୟ ଏହି ହସ୍ପିଟାଲରେ କରୁଥିବା ବିଷୟ ଗୋଟିଏ ଉଲ୍ଲେଖଯୋଗ୍ୟ ତଥ୍ୟ ।