FeaturedLatestNews

ଉତ୍କଳିକାରୁ କିଣାହେବ କନ୍ୟା ବିବାହ ଯୋଜନାର ସାମଗ୍ରୀ, ହସ୍ତଶିଳ୍ପକୁ ମିଳିବ ପ୍ରୋତ୍ସାହନ

ଭୁବନେଶ୍ୱର (ସଂକେତ ଟିଭି): ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ଲାଭାନ୍ୱିତ ହିତାଧିକାରୀଙ୍କୁ ବିବାହ ସାମଗ୍ରୀ ଯୋଗାଇବା ପାଇଁ ଉତ୍କଳିକା ସହ ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ମଧ୍ୟରେ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଉପସ୍ଥିତିରେ ଏହି ଚୁକ୍ତିପତ୍ର ସ୍ବାକ୍ଷରିତ ହୋଇଥିଲା ।

ଏହି ଚୁକ୍ତି ଅନୁଯାୟୀ, ଯୋଜନାର ଝିଅମାନଙ୍କୁ ଶାଢୀ, ଚୁଡ଼ି, ପାଉଁଜି ଓ ବିନ୍ଦି ଭଳି ବ୍ୟବହାରିକ ସାମଗ୍ରୀ ଉତ୍କଳିକା ମାଧ୍ୟମରେ ଯୋଗାଇ ଦିଆଯିବ । ଏହାଦ୍ୱାରା ଓଡ଼ିଶାର ହସ୍ତଶିଳ୍ପ ଓ ହସ୍ତକଳା କ୍ଷେତ୍ରକୁ ଗୁରୁତ୍ୱପୂର୍ଣ୍ଣ ପ୍ରୋତ୍ସାହନ ମିଳିବ ବୋଲି ସରକାର ଆଶା ପ୍ରକାଶ କରିଛନ୍ତି ।

ଗରିବ ଓ ଅସହାୟ ପରିବାରର ଝିଅମାନଙ୍କ ବିବାହରେ ଆର୍ଥିକ ସହାୟତା ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା କାର୍ଯ୍ୟକାରୀ ହୋଇଛି । ଏଥି ଅନ୍ତର୍ଗତ ହିତାଧିକାରୀଙ୍କୁ ମୋଟ ୫୧ ହଜାର ଟଙ୍କା ଆର୍ଥିକ ସହାୟତା ଦିଆଯାଏ । ବାହାଘର ପଞ୍ଜିକରଣ ହେବାର ୭ ଦିନ ପରେ ସେମାନଙ୍କ ଆକାଉଣ୍ଟରେ ୩୫ ହଜାର ଟଙ୍କା ପରିବେଶିତ ହୋଥାଏ । ଅବଶିଷ୍ଟ ୧୬ ହଜାର ଟଙ୍କା ଉପହାର (୧୦ ହଜାର) ଓ ସାଜସଜା (୬ ହଜାର) ପାଇଁ ନିର୍ଦ୍ଧାରିତ ଅଛି ।

ଏହି ଯୋଜନାର ଲାଭ ପାଇବା ପାଇଁ ଝିଅର ବୟସ ସର୍ବନିମ୍ନ ୧୮ ବର୍ଷ ହୋଇଥିବା ଆବଶ୍ୟକ ଏବଂ ତାଙ୍କର ପ୍ରଥମ ବିବାହ ହେବା ଦରକାର । ବର ଓ କନ୍ୟା ଉଭୟ ଓଡ଼ିଶାର ବାସିନ୍ଦା ହେବା ଜରୁରୀ । ଗରିବ ଶ୍ରେଣୀର ପରିବାରର ଝିଅମାନେ ଏଥିରେ ଲାଭାନ୍ୱିତ ହୋଇପାରିବେ । ବିଧବା ମହିଳା ମଧ୍ୟ ପୁନର୍ବିବାହ କଲେ ଏହି ଯୋଜନାର ସୁବିଧା ପାଇପାରିବେ । ପୂର୍ବରୁ ଏହି ଯୋଜନା ପାଇଁ ଗାଇଡଲାଇନ ଆସିଥିବା ବେଳେ ଆଜି ଉତ୍କଳିକା ସହ ବୁଝାମଣାପତ୍ର ସ୍ବାକ୍ଷରିତ ହେବା ଏହାର କାର୍ଯ୍ୟକାରିତାକୁ ଆହୁରି ବେଗବାନ୍ କରିବ ବୋଲି ଆଶା କରାଯାଉଛି ।