FeaturedLatestNews

ବୈତରଣୀରେ ମକର ସ୍ନାନ କଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର (ସଂକେତ ଟିଭି): ପବିତ୍ର ମକର ସଂକ୍ରାନ୍ତିରେ କେନ୍ଦୁଝର ଜିଲ୍ଲାର ପାଟଣା ଅଞ୍ଚଳରେ ଅବସ୍ଥିତ ବୈତରଣୀ ନଦୀର ଶୈବ୍ୟା କାବେରୀ ଘାଟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପାରମ୍ପରିକ ମକର ସ୍ନାନ କରିଛନ୍ତି। ତାଙ୍କ ସହ ତାଙ୍କର ସହଧର୍ମିଣୀ ମଧ୍ୟ ଏହି ପବିତ୍ର ସ୍ନାନରେ ଅଂଶଗ୍ରହଣ କରିଥିଲେ। ମୁଖ୍ୟମନ୍ତ୍ରୀ ଏଠାରେ ସାତଥର ବୁଡ଼ ପକାଇ ମକର ସ୍ନାନ ସମ୍ପନ୍ନ କରିଥିଲେ ଏବଂ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରିଥିଲେ।

ସ୍ନାନ ସମାପ୍ତ ପରେ ମୁଖ୍ୟମନ୍ତ୍ରୀ ଓ ତାଙ୍କ ପତ୍ନୀ ନିକଟସ୍ଥ ଶ୍ରୀ ରଘୁନାଥଜୀଉଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି। ପ୍ରଭୁଙ୍କ ଦର୍ଶନ କରି ସେ ରାଜ୍ୟବାସୀଙ୍କ ମଙ୍ଗଳ କାମନା କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଜିଲ୍ଲାରେ ଶିଳ୍ପ ବିକାଶ ସହ ସମଗ୍ର ରାଜ୍ୟର ସର୍ବାଙ୍ଗୀଣ ଉନ୍ନତି ପାଇଁ ପ୍ରାର୍ଥନା କରିଥିବା କହିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ ପୂର୍ବରୁ ପୁଲିସ ଓ ଅଗ୍ନିଶମ ବିଭାଗ ଘାଟ ଅଞ୍ଚଳରେ ସୁରକ୍ଷା ଯାଞ୍ଚ କରିଥିଲେ ଏବଂ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ତେଲକୋଇ ବିଧାୟକ ଡାକ୍ତର ଫକୀର ମୋହନ ନାୟକ ଏବଂ ମୁଖ୍ୟମନ୍ତ୍ରୀଙ୍କର ଅନ୍ୟ ଦୁଇ ବାଲ୍ୟବନ୍ଧୁ ମଧ୍ୟ ମକର ସ୍ନାନ କରିଥିଲେ।

ଗତ ବର୍ଷ ମୁଖ୍ୟମନ୍ତ୍ରୀ ବୈତରଣୀ ନଦୀର ଅନସୂୟା ତୀର୍ଥ ଘାଟରେ ମକର ସ୍ନାନ କରିଥିଲେ। ଏହାପୂର୍ବରୁ ୨୦୨୨ ମସିହାରେ, ବିଧାୟକ ଭାବରେ ଥିବା ସମୟରେ ମଧ୍ୟ ସେ ପାଟଣାର ଅନସୂୟା ତୀର୍ଥ ଘାଟରେ ଏହି ପାରମ୍ପାରିକ ସ୍ନାନ କରିଥିଲେ।