ରାସ୍ତାରୁ ହଟିବ ଡିଜେଲ ଆମବସ୍ , ଆସିବ ଇଭି ଗାଡ଼ି
ଭୁବନେଶ୍ୱର(ସଂକେତ ଟିଭି): ଭୁବନେଶ୍ୱରର ରାସ୍ତାରୁ ଡିଜେଲ ଚାଳିତ ଆମବସ୍ ହଟିବ ଏବଂ ସେଗୁଡିକର ସ୍ଥାନ ନେବ ବିଦ୍ୟୁତ ଚାଳିତ (ଇଭି) ଗାଡ଼ି। ରାଜ୍ୟ ସରକାର ଡିଜେଲ ଚାଳିତ ଆମବସ୍ ପ୍ରତିସ୍ଥାପନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଣିକି ସହରର ରାସ୍ତାରେ କେବଳ ବିଦ୍ୟୁତ ବସ୍ ଚାଲିବ।
ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି ଯେ, ବର୍ତ୍ତମାନ ସେବାରେ ଥିବା ସମସ୍ତ ଡିଜେଲ ଚାଳିତ ବସ୍ଗୁଡିକୁ ଧୀରେ ଧୀରେ ବାହାର କରାଯାଇ ସେଠାରେ ଇଭି ବସ୍ ଆଣାଯିବ।
ସେହିପରି, ମନ୍ତ୍ରୀ ଆହୁରି କହିଛନ୍ତି ଯେ ଏହି ଇଭି ବସ୍ଗୁଡିକ ଚଳାଇବାର ଦାୟିତ୍ୱ ମହିଳା ଚାଳକଙ୍କୁ ଦିଆଯିବ। ଏହି ଉଦ୍ଦେଶ୍ୟରେ ପ୍ରଥମ ପର୍ଯ୍ୟାୟରେ ୨୦ ଜଣ ମହିଳାଙ୍କୁ ଟ୍ରେନିଂ ଦିଆଯିବ। ଏହି ମହିଳାମାନେ ହେଭି ଭେହିକଲ ଚଳାଇବା ପାଇଁ ଲାଇସେନ୍ସପ୍ରାପ୍ତ। ତାଲିମ ଶେଷ ହେବା ପରେ ସେମାନେ ସ୍ୱତନ୍ତ୍ର ଭାବରେ ବସ୍ ଚଳାଇବେ।
ଏହି ପଦକ୍ଷେପଦ୍ୱାରା ମହିଳା ଯାତ୍ରୀମାନେ ନିଜକୁ ଅଧିକ ସୁରକ୍ଷିତ ଅନୁଭବ କରିବେ ବୋଲି ସରକାର ଆଶା କରୁଛନ୍ତି। ଏହା ଏକ ପରିବେଶ ବନ୍ଧୁତ୍ୱପୂର୍ଣ୍ଣ ଯାନବାହନ ବ୍ୟବସ୍ଥା ଗଠନ ସହିତ ମହିଳା ସଶକ୍ତିକରଣ ଆଡକୁ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।
