ରାଷ୍ଟ୍ରପତିଙ୍କ ଫକୀର ମୋହନ ବିଶ୍ୱବିଦ୍ୟାଳୟ ଗସ୍ତକୁ ନେଇ ପ୍ରସ୍ତୁତି ବୈଠକ
ବାଲେଶ୍ବର (ସଂକେତ ଟିଭି): ଆସନ୍ତା ୩ ଫେବୃଆରୀରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବାଲେଶ୍ୱର ଫକୀର ମୋହନ ବିଶ୍ୱବିଦ୍ୟାଳୟ ଗସ୍ତ ପୂର୍ବରୁ ଏକ ଉଚ୍ଚ ସ୍ତରୀୟ ପ୍ରସ୍ତୁତି ବୈଠକ ଆଜି ଅନୁଷ୍ଠିତ ହୋଇଛି। ବାଲେଶ୍ୱର ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସମସ୍ତ ପ୍ରସ୍ତୁତି ଏବଂ ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କରାଯାଇଥିଲା।
ବୈଠକରେ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀଗଣ, ପୋଲିସ ପ୍ରଶାସନର ଉଚ୍ଚ ପଦାଧିକାରୀ, ଫକୀର ମୋହନ ବିଶ୍ୱବିଦ୍ୟାଳୟର ଉପକୁଳପତି, ରେଜିଷ୍ଟ୍ରାର ଏବଂ ସମସ୍ତ ସମ୍ପୃକ୍ତ ବିଭାଗର ମୁଖ୍ୟମାନେ ଉପସ୍ଥିତ ଥିଲେ। ସମସ୍ତେ ମିଶି ଗସ୍ତ ସମୟର ସୁରକ୍ଷା, ପ୍ରୋଟୋକଲ, ଯାତାୟାତ ବ୍ୟବସ୍ଥା, ଆୟୋଜନ ସ୍ଥଳର ପ୍ରସ୍ତୁତି ଏବଂ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ଆଦି ବିଷୟଗୁଡ଼ିକରେ ସମୀକ୍ଷା କରି ଚର୍ଚ୍ଚା କରିଥିଲେ।
ଜିଲ୍ଲାପାଳ ଏହି ଅବସରରେ ସମସ୍ତ ସମ୍ପୃକ୍ତ ବିଭାଗକୁ ପରସ୍ପର ସହ ସମନ୍ୱୟ ରକ୍ଷା କରି ନିର୍ଦ୍ଧାରିତ ପ୍ରୋଟୋକଲ ଅନୁଯାୟୀ ସମସ୍ତ ପ୍ରକାର ପ୍ରସ୍ତୁତି ସମୟାନୁକ୍ରମେ ଏବଂ ନିର୍ଦ୍ଦିଷ୍ଟ ମାନରେ ସମ୍ପନ୍ନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ରାଷ୍ଟ୍ରପତିଙ୍କ ଏହି ଗୁରୁତ୍ୱପୂର୍ଣ୍ଣ ଗସ୍ତ ନିର୍ବିଘ୍ନ ଏବଂ ସଫଳ କରାଇବା ଏହି ବୈଠକର ମୁଖ୍ୟ ଲକ୍ଷ୍ୟ ଥିଲା।
