FeaturedLatestNews

ଓଡ଼ିଶା ବନ୍ଦର ପ୍ରଭାବ : ରାଜ୍ୟର ବିଭିନ୍ନ ସ୍ଥାନରେ ଗାଡ଼ି ଚଳାଚଳ, ଦୋକାନବଜାର ବନ୍ଦ

ଭୁବନେଶ୍ବର (ସଂକେତ ଟିଭି):ନବନିର୍ମାଣ କୃଷକ ସଂଗଠନର ଡାକରାରେ ଆଜି ବୁଧବାର ଓଡ଼ିଶା ବନ୍ଦ ପାଳିତ ହେଲା । ଧାନ କିଣା ବ୍ୟବସ୍ଥା, ଯାନବାହନ ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର (PUC) ଜରିମାନା, ଟାଟା କମ୍ପାନୀର କାର୍ଯ୍ୟ ଇତ୍ୟାଦି ଅନେକ ଦାବି ଉଦ୍ଦେଶ୍ୟରେ ଏହି ୮ ଘଣ୍ଟିଆ ରାଜ୍ୟବ୍ୟାପୀ ବନ୍ଦ ଡାକରା ଦିଆଯାଇଥିଲା । ରାଜ୍ୟ କଂଗ୍ରେସ, ବିଭିନ୍ନ ବାମପନ୍ଥୀ ଓ ସାମାଜିକ ସଂଗଠନ ଏହାକୁ ସମର୍ଥନ ଯଥାକ୍ରମେ ଦେଇଥିଲେ ।

ରାଜଧାନୀ ଭୁବନେଶ୍ୱର ସହ କଟକ, ବ୍ରହ୍ମପୁର, ବଲାଙ୍ଗୀର, ଜଗତସିଂହପୁର, ଭଦ୍ରକ, ଗଜପତି, କୋରାପୁଟ ଓ କେନ୍ଦ୍ରାପଡ଼ା ଆଦି ଅଞ୍ଚଳରେ ବନ୍ଦର ପ୍ରଭାବ ଅଧିକ ଦେଖାଦେଇଥିଲା । ଏହି ସହରଗୁଡ଼ିକରେ ଦୋକାନବଜାର, ବ୍ୟାଙ୍କ, ପେଟ୍ରୋଲ ପମ୍ପ ବନ୍ଦ ରହିଥିବା ବେଳେ ରାଜପଥ ଓ ଛକମାନଙ୍କରେ ପିକେଟିଂ ହେତୁ ଗାଡ଼ି ଚଳାଚଳ ପ୍ରଭାବିତ ହୋଇଥିଲା । ଭୁବନେଶ୍ୱରରେ ଟାୟାର ଜାଳି ରାସ୍ତା ଅବରୋଧ କରାଯାଇଥିବା ବେଳେ କେତେକ ସ୍ଥଳରେ ରେଳ ଧାରଣା କରାଯାଇ ଯାତାୟତ ବାଧାପ୍ରାପ୍ତ ହୋଇଥିଲା । ବଲାଙ୍ଗୀରରେ ୧୨ ଘଣ୍ଟି ପାଇଁ ସମ୍ପୂର୍ଣ୍ଣ ବନ୍ଦ ପାଳନ କରାଯାଇଥିଲା ।

ଯାଜପୁର, ବାଲେଶ୍ୱର, ରାଉରକେଲା ଓ ଝାରସୁଗୁଡ଼ା ଜିଲ୍ଲାରେ ବନ୍ଦର ଆଂଶିକ କିମ୍ବା ସୀମିତ ପ୍ରଭାବ ପଡ଼ିଥିଲା । ଏହି ଅଞ୍ଚଳଗୁଡ଼ିକରେ ଦୋକାନ ଓ ଯାନବାହନ ଚଳାଚଳ ମୁଖ୍ୟତଃ ସ୍ୱାଭାବିକ ରହିଥିବା ବେଳେ କେବଳ କେତେକ ସ୍ଥାନରେ ପ୍ରତୀକାତ୍ମକ ପିକେଟିଂ ଦେଖାଦେଇଥିଲା । ପାରାଦୀପ ବନ୍ଦର କ୍ଷେତ୍ରରେ ମଧ୍ୟ ବିଶେଷ ପ୍ରଭାବ ପଡ଼ିନଥିବା ଖବର ମିଳିଥିଲା ।

ବିଭିନ୍ନ ଅଞ୍ଚଳରେ ପୋଲିସ କର୍ମୀ ଉନ୍ନତ ସୁରକ୍ଷା ବ୍ୟବସ୍ଥା କରିଥିଲେ ଏବଂ ଅଧିକାଂଶ ସ୍ଥାନରେ ବନ୍ଦ ସମୟ ସରିବା ପରେ କାର୍ଯ୍ୟକଳାପ ଧୀରେ ଧୀରେ ସ୍ୱାଭାବିକ ଅବସ୍ଥାକୁ ଫେରିଆସିଥିଲା ।