FeaturedLatestNews

ବିଜୁ ବାବୁଙ୍କ ଅଧୁରା ସ୍ୱପ୍ନ ପୂରଣ କରିବାକୁ ସଂକଳ୍ପ ନେଇଛି ରାଜ୍ୟ ସରକାର: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର (ସଂକେତ ଟିଭି):ମହାନ ଜନନାୟକ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ଗୁରୁବାର ରାଜ୍ୟବ୍ୟାପୀ ଧୂମଧାମରେ ପାଳନ କରାଯାଇଛି। ଆଧୁନିକ ଓଡ଼ିଶା ଗଠନର ପୁରୋଧା ବିଜୁ ବାବୁଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହିତ ତାଙ୍କ ଅବଦାନକୁ ସ୍ମରଣ କରାଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି।

ଭୁବନେଶ୍ୱରରେ ଆୟୋଜିତ ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ, ବିଜୁ ବାବୁଙ୍କ ଜୀବନ ସଂଘର୍ଷମୟ ଥିଲା ଏବଂ ସେ ସମ୍ମାନ ଓ ସ୍ୱାଭିମାନ ସହିତ କେବେ ବି ସାଲିସ କରିନଥିଲେ। ସେ ସର୍ବଦା ଜନସେବା ସହିତ ବିକାଶକୁ ପ୍ରାଥମିକତା ଦେଇଆସିଥିଲେ।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, “ବିଜୁ ବାବୁ ଓଡ଼ିଶା ପାଇଁ ଅନେକ ସ୍ୱପ୍ନ ଦେଖିଥିଲେ, ଯାହା ଆଜି ବି ଅଧୁରା ହୋଇ ରହିଛି। ଆମ ସରକାର ତାଙ୍କର ସେହି ଅଧୁରା ସ୍ୱପ୍ନଗୁଡ଼ିକୁ ପୂରଣ କରିବା ସହିତ ଏକ ସମୃଦ୍ଧ ଓଡ଼ିଶା ଗଠନ ପାଇଁ ସଂକଳ୍ପ ନେଇଛନ୍ତି।” ସେ ବିଜୁ ବାବୁଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହିତ ତାଙ୍କ ଦେଖାଯାଇଥିବା ପଥରେ ଚାଲିବାକୁ ସମସ୍ତଙ୍କୁ ଆହ୍ବାନ ଦେଇଛନ୍ତି।

ସେହିପରି, ଭୁବନେଶ୍ୱରର ଫରେଷ୍ଟ ପାର୍କସ୍ଥିତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଲ୍ୟାର୍ପଣ କରିଛନ୍ତି। ବିଜୁ ଜୟନ୍ତୀ ଅବସରରେ ଏବର୍ଷର ଥିମ୍ ‘ସମୃଦ୍ଧ ଓଡ଼ିଶା ଗଠନରେ ବିଜୁ ବାବୁଙ୍କ ଅବଦାନ’ ରଖାଯାଇଛି। ରାଜ୍ୟର ବିଭିନ୍ନ ଜିଲ୍ଲା ଓ ନିର୍ବାଚନ ମଣ୍ଡଳୀସ୍ତରରେ ବିଜୁ ଜୟନ୍ତୀ ପାଳନ କରାଯାଉଥିବା ବେଳେ ଅନେକ ସ୍ଥାନରେ ରକ୍ତଦାନ ଶିବିର ମଧ୍ୟ ଅନୁଷ୍ଠିତ ହେଉଛି।

ଉଲ୍ଲେଖଯୋଗ୍ୟ, ବିଜୁ ପଟ୍ଟନାୟକ କେବଳ ଜଣେ ରାଜନେତା ନଥିଲେ; ସେ ଥିଲେ ଜଣେ ସ୍ୱାଧୀନତା ସଂଗ୍ରାମୀ, ଦକ୍ଷ ପାଇଲଟ୍ ଏବଂ ବିଶ୍ବସ୍ତରୀୟ ବ୍ୟକ୍ତିତ୍ୱ। ସ୍ୱାଧୀନତା ପରେ ପାକିସ୍ତାନୀ ଅନୁପ୍ରବେଶକାରୀଙ୍କୁ ରୋକିବାରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା। ଇଣ୍ଡୋନେସିଆର ସ୍ୱାଧୀନତା ସଂଗ୍ରାମରେ ତାଙ୍କର ଅବଦାନ ପାଇଁ ସେଠାକାର ସରକାର ତାଙ୍କୁ ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ କରିଥିଲେ। ତାଙ୍କ ମରଶରୀରରେ ଭାରତ, ଇଣ୍ଡୋନେସିଆ ଓ ଋଷିଆର ଜାତୀୟ ପତାକା ରଖାଯିବାର ଘଟଣା ଆଜି ବି ପ୍ରତ୍ୟେକ ଓଡ଼ିଆଙ୍କୁ ଗର୍ବିତ କରେ। ପଞ୍ଚାୟତିରାଜ ବ୍ୟବସ୍ଥାକୁ ସୁଦୃଢ଼ କରିବାରେ ମଧ୍ୟ ତାଙ୍କର ଅବଦାନ ସ୍ମରଣୀୟ।