୫ ଦିନ ପାଇଁ ଇରାନ ଉପରେ ଆକ୍ରମଣ ସ୍ଥଗିତ ରଖିଲା ଆମେରିକା, ଟ୍ରମ୍ପଙ୍କ ଘୋଷଣା
ନୂଆଦିଲ୍ଲୀ (ସଂକେତ ଟିଭି): ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଘୋଷଣା କରି ଇରାନ ଉପରେ ସମସ୍ତ ପ୍ରକାର ସାମରିକ ଆକ୍ରମଣକୁ ୫ ଦିନ ପାଇଁ ସ୍ଥଗିତ ରଖିଛନ୍ତି। ସୋସିଆଲ ମିଡିଆ ଟ୍ରୁଥରେ ଏହି ସୂଚନା ଦେଇ ସେ କହିଛନ୍ତି ଯେ ଏହି ସମୟ ମଧ୍ୟରେ ଇରାନର ବିଦ୍ୟୁତ ଏବଂ ଶକ୍ତି ଭିତ୍ତିଭୂମି ଉପରେ କୌଣସି ଆକ୍ରମଣ କରାଯିବ ନାହିଁ। ଏହା ଦ୍ୱାରା ଇରାନକୁ ୫ ଦିନର ସମୟ ମିଳିଛି।
ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ନେଇ ଗତ ଦୁଇ ଦିନ ମଧ୍ୟରେ ଇରାନ ଓ ଆମେରିକା ମଧ୍ୟରେ ଫଳପ୍ରଦ ଆଲୋଚନା ହୋଇଥିବା ଟ୍ରମ୍ପ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି ଯେ ଆମ ଶତ୍ରୁଙ୍କ ସହ ଆଲୋଚନା ଏକପ୍ରକାର ନିର୍ଣ୍ଣାୟକ ମୋଡରେ ପହଞ୍ଚିଛି। ଏହି ଘୋଷଣା ପୂର୍ବରୁ ଆମେରିକା ଷ୍ଟ୍ରେଟ ଅଫ ହର୍ମୁଜକୁ ଜାହାଜ ଚଳାଚଳ ପାଇଁ ଖୋଲା ରଖିବାକୁ ଇରାନକୁ ୪୮ ଘଣ୍ଟାର ମହଲତ ଦେଇଥିଲା।
ସେ ସମୟରେ ଆମେରିକା ଚେତାବନୀ ଦେଇଥିଲା ଯେ, ୪୮ ଘଣ୍ଟା ମଧ୍ୟରେ ଯଦି ହର୍ମୁଜ ପ୍ରଣାଳୀକୁ ମୁକ୍ତ ନକରାଯାଏ, ତେବେ ଇରାନର ବିଦ୍ୟୁତ ଓ ଶକ୍ତି ଭିତ୍ତିଭୂମି ଉପରେ ଆକ୍ରମଣ କରାଯିବ। ଏହାରି ମଧ୍ୟରେ ଟ୍ରମ୍ପଙ୍କ ତାଜା ଘୋଷଣା ସାରା ବିଶ୍ୱ ପାଇଁ ଆଶ୍ୱସ୍ତିକର ପାଲଟିଛି। ଗତ ଫେବୃଆରୀ ୨୮ ତାରିଖରୁ ଆରମ୍ଭ ହୋଇଥିବା ଘମାଘୋଟ ଯୁଦ୍ଧ ଉପରେ ଏବେ ରୋକ୍ ଲାଗିଛି।
