ବାଲେଶ୍ଵରରେ ପୁଣି ଗୁଳିକାଣ୍ଡ: ୨ ଯୁବକ ଗୁରୁତର
ବାଲେଶ୍ବର (ସଂକେତ ଟିଭି): ବାଲେଶ୍ବର ସହରର ସହଦେବଖୁଣ୍ଟା ଥାନା ଅଧୀନ ଅରଡ ବଜାର ଅଞ୍ଚଳରେ ବିଳମ୍ବିତ ରାତିରେ ଗୁଳିକାଣ୍ଡ ଘଟିଛି। ଏହି ଗୁଳିମାଡ଼ରେ ଦୁଇ ଜଣ ଯୁବକ ଗୁରୁତର ଆହତ ହୋଇଛନ୍ତି। ଆହତ ଦୁଇ ଜଣ ହେଲେ ନୂଆବଜାର ଅଞ୍ଚଳର ମନୋଜ କୁମାର ଦାସ (ଓରଫ୍ ଗେଡୁ) ଏବଂ କାର୍ତ୍ତିକ ପ୍ରସାଦ (ଓରଫ୍ ମୁନା)। ଜଣକର ବାମ ହାତରେ ଓ ଅନ୍ୟଜଣକର ପିଠିରେ ଗୁଳି ବାଜିଛି।
ସୂଚନା ଅନୁସାରେ, କୌଣସି କଥାକୁ ନେଇ ଏକ ଗୋଷ୍ଠୀ ମଧ୍ୟରେ ଯୁକ୍ତିତର୍କ ହେବା ପରେ ଏହି ଗୁଳିକାଣ୍ଡ ଘଟିଛି। ଗୁଳିମାଡ଼ କରି ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ଗୁରୁତର ଉଭୟଙ୍କୁ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଫକୀର ମୋହନ ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।
ସହଦେବଖୁଣ୍ଟା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଘଟଣାକୁ ନେଇ ସିଟି ଡିଏସପି ନିର୍ମଳା ଗୋଛାୟତ ସ୍ପଷ୍ଟୀକରଣ ଦେଇ କହିଛନ୍ତି ଯେ ଏହା କୌଣସି ଗୋଷ୍ଠୀ ସଂଘର୍ଷ କିମ୍ବା ଧାର୍ମିକ ମତାନ୍ତର ଜନିତ ଘଟଣା ନୁହେଁ। ବରଂ ଏକ ଗୋଷ୍ଠୀ ନିଜ ଭିତରେ କଥା କଟାକଟି ହେବା ପରେ ଏହି ଅଘଟଣ ଘଟିଛି।
ଏସଡିପିଓ କହିଛନ୍ତି ଯେ ପ୍ରାଥମିକ ତଦନ୍ତରୁ ଏହା ସ୍ପଷ୍ଟ ହୋଇଛି। ଏହି ଘଟଣାରେ ଏକାଧିକ ବ୍ୟକ୍ତିଙ୍କ ସମ୍ପୃକ୍ତି ରହିଛି ଏବଂ ପୋଲିସ ସେମାନଙ୍କୁ ଚିହ୍ନଟ କରିଛି। ଖୁବ୍ ଶୀଘ୍ର ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ ବୋଲି ସେ କହିଛନ୍ତି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।
ଉଲ୍ଲେଖଯୋଗ୍ୟ, କିଛି ଦିନ ଅନ୍ତରାଳରେ ବାଲେଶ୍ଵର ଜିଲ୍ଲାରେ ଏକାଧିକ ବାର ବନ୍ଧୁକ ଫୁଟିବା ଘଟଣା ଘଟି ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଭୟଭୀତ ପରିବେଶ ସୃଷ୍ଟି କରିଛି।
