ନାମଫଳକ ଓଡ଼ିଆରେ ନ ଲେଖିଲେ ୫ ହଜାର ଟଙ୍କା ଜରିମାନା
ଭୁବନେଶ୍ୱର (ସଂକେତ ଟିଭି): ଓଡ଼ିଶା ସରକାରଙ୍କ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଜାରି କରାଯାଇଛି। ଏଣିକି ଦୋକାନ ଏବଂ ବାଣିଜ୍ୟ ପ୍ରତିଷ୍ଠାନର ନାମଫଳକ ଓଡ଼ିଆ ଭାଷାରେ ନିର୍ଭୁଲ ଏବଂ ସ୍ପଷ୍ଟ ଭାବରେ ଲେଖିବା ବାଧ୍ୟତାମୂଳକ ହୋଇଛି। ଏହି ନିୟମ ଉଲ୍ଲଂଘନ କଲେ ଆଇନର ଧାରା ୩୫ ଅନୁଯାୟୀ ଦଣ୍ଡିତ ହେବାକୁ ପଡ଼ିବ।
ପ୍ରଥମ ଥର ନିୟମ ଉଲ୍ଲଂଘନ କରୁଥିବା ପ୍ରତିଷ୍ଠାନର ମାଲିକଙ୍କୁ ଅତି କମରେ ୫ ହଜାର ଟଙ୍କାରୁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିବ। ସେହିପରି ଦ୍ଵିତୀୟ କିମ୍ବା ପରବର୍ତ୍ତୀ ଉଲ୍ଲଂଘନ ପାଇଁ ଅତି କମରେ ୧୦ ହଜାର ଟଙ୍କାରୁ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଧାର୍ଯ୍ୟ କରାଯାଇଛି।
ଯଦି କୌଣସି ପ୍ରତିଷ୍ଠାନର ନାମଫଳକ ସ୍ପଷ୍ଟ ଭାବରେ ଲେଖାହୋଇନଥାଏ, ତେବେ ସେଠାରେ ଯେକୌଣସି ବ୍ୟକ୍ତି ତୁରନ୍ତ ସ୍ଥାନୀୟ ଶ୍ରମ ଅଧିକାରୀ କିମ୍ବା ଶ୍ରମ କାର୍ଯ୍ୟାଳୟରେ ଅଭିଯୋଗ ଦାଖଲ କରିପାରିବେ।
ଏହି ନିୟମକୁ କଡ଼ାକଡ଼ି ଭାବେ ପାଳନ କରାଯିବ ଏବଂ ଦୋକାନୀ ଓ ବ୍ୟବସାୟୀମାନଙ୍କୁ ସଚେତନ କରିବା ପାଇଁ ‘ଓଡ଼ିଆ ପକ୍ଷ ୨୦୨୬’ ଅଭିଯାନ ଆୟୋଜନ କରାଯାଉଛି। ଏହି ଅଭିଯାନ ଏପ୍ରିଲ ୧ ତାରିଖରୁ ୧୪ ତାରିଖ ୨୦୨୬ ପର୍ଯ୍ୟନ୍ତ ପାଳନ କରାଯିବ।
