EducationFeaturedLatestNews

୧୪ ବିଶ୍ୱବିଦ୍ୟାଳୟରେ ନାହାଁନ୍ତି ସ୍ଥାୟୀ କୁଳପତି, ଶୀଘ୍ର ନିଯୁକ୍ତି ନହେଲ ବିଜେଡି କରିବ ଆନ୍ଦୋଳନ

ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟର ଉଚ୍ଚଶିକ୍ଷା ବ୍ୟବସ୍ଥା ଗୁରୁତର ସଙ୍କଟ ଦେଇ ଗତି କରୁଛି। ରାଜ୍ୟରେ ଥିବା ୧୭ ବିଶ୍ୱବିଦ୍ୟାଳୟ ମଧ୍ୟରୁ ୧୪ଟିରେ ସ୍ଥାୟୀ କୁଳପତି ନାହାନ୍ତି। ଏହା ସହିତ ୧୪ଟି ବିଶ୍ୱବିଦ୍ୟାଳୟରେ ୧୪୦୦ରୁ ଅଧିକ ଅଧ୍ୟାପକ ଓ କର୍ମଚାରୀ ପଦବୀ ଖାଲି ପଡିଛି। ଓଡ଼ିଆ ବିଶ୍ୱବିଦ୍ୟାଳୟର ସ୍ଥିତି ସବୁଠାରୁ ଦୟନୀୟ, ସେଠାରେ କୁଳପତି ସମେତ ସମସ୍ତ ୨୧ ଅଧ୍ୟାପକ ପଦବୀ ଖାଲି ରହିଛି।

ଏହି ପରିପ୍ରେକ୍ଷୀରେ, ବିଜେଡି ଚଳିତ ମାସ ଶେଷ ସୁଦ୍ଧା ସ୍ଥାୟୀ କୁଳପତି ନିଯୁକ୍ତି ନହେଲେ ରାଜପଥ ଓହ୍ଲାଇବାକୁ ଚେତାବନୀ ଦେଇଛି। ଯୁବ ବିଜେଡି ସଭାପତି ଚିନ୍ମୟ ସାହୁ କହିଛନ୍ତି, “ଓଡ଼ିଶାରେ ଏଭଳି ଅଭୂତପୂର୍ବ ଅଚଳାବସ୍ଥା କେବେ ଦେଖାଯାଇନାହିଁ। ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ୧୭ ବିଶ୍ୱବିଦ୍ୟାଳୟ ମଧ୍ୟରୁ ୧୪ରେ କାମଚଳା କୁଳପତି କାର୍ଯ୍ୟ କରୁଛନ୍ତି। କୁଳପତି ଚୟନ ବିଜ୍ଞପ୍ତି ୧୦ ମାସ ତଳେ ପ୍ରକାଶ ପାଇଥିଲା ଏବଂ ପ୍ରକ୍ରିୟା ୯ ମାସ ତଳେ ଶେଷ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ନିଯୁକ୍ତି ହୋଇନାହିଁ।”

ଚିନ୍ମୟ ସାହୁ ଅଭିଯୋଗ କରି କହିଛନ୍ତି ଯେ, କୁଳପତି ନଥିବାରୁ ଅଧ୍ୟାପକ ଓ କର୍ମଚାରୀଙ୍କ ନିଯୁକ୍ତି ବାଧାପ୍ରାପ୍ତ ହେଉଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମୟରେ ଓଡ଼ିଶା ଲୋକସେବା ଆୟୋଗ ଅଧ୍ୟାପକ ନିଯୁକ୍ତି କରୁଥିଲା ଏବଂ କୁଳପତିଙ୍କ କାର୍ଯ୍ୟକାଳ ସରିବାର ୬ ମାସ ପୂର୍ବରୁ ନୂଆ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଯାଉଥିଲା। ବର୍ତ୍ତମାନ ସରକାରଙ୍କ ବିଳମ୍ବିତ ପ୍ରକ୍ରିୟାକୁ ହାଇକୋର୍ଟ ମଧ୍ୟ ଭର୍ତ୍ସନା କରିସାରିଲେଣି। ସେ ଆହୁରି ମଧ୍ୟ କହିଛନ୍ତି, “ସରକାର ଗେରୁଆ ଜ୍ୟାକେଟ୍ ପିନ୍ଧିଥିବା, ମୋଟା ଚାନ୍ଦା ଦେବା ଏବଂ ଆରଏସଏସ-ଏବିଭିପି ବ୍ୟାକଗ୍ରାଉଣ୍ଡର ପ୍ରାର୍ଥୀଙ୍କୁ ଖୋଜୁଛନ୍ତି। ଏହା ଦୁର୍ନୀତିକୁ ପ୍ରୋତ୍ସାହନ ଦେବା ସହ ‘କ୍ୟାସ୍ ଫର୍ ଜବ୍’ ସ୍କାମକୁ ସହଜ କରୁଛି।”

ଚିନ୍ମୟ ସାହୁ ଆହୁରି କହିଛନ୍ତି, “ଆମେ କୁଳାଧିପତି (ରାଜ୍ୟପାଳ)ଙ୍କୁ ଭେଟି ଫେବୃଆରୀ ଶେଷ ସୁଦ୍ଧା ନିଯୁକ୍ତି ପ୍ରକ୍ରିୟା ତ୍ୱରାନ୍ୱିତ ହେବ ବୋଲି ଆଶ୍ୱାସନା ପାଇଥିଲୁ, କିନ୍ତୁ ଏପ୍ରିଲ ଅଧା ହେଲାଣି, କିଛି ହୋଇନାହିଁ। ରାଜ୍ୟପାଳ କାଠଗଡ଼ରେ ଛିଡ଼ା ହୋଇଛନ୍ତି। ଏପ୍ରିଲ ଶେଷ ସୁଦ୍ଧା ନିଯୁକ୍ତି ନହେଲେ ଆମେ ଆନ୍ଦୋଳନକୁ ଓହ୍ଲାଇବୁ।”

ଛାତ୍ର ବିଜେଡି ସଭାପତି ଇପ୍ସିତା ସାହୁ କହିଛନ୍ତି, “ରାଜ୍ୟ ସରକାର ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ କୌଣସି ପଦକ୍ଷେପ ନେଉନାହାନ୍ତି। ବିଜେପି ସରକାର ଆସିବା ପରଠୁ ଉଚ୍ଚଶିକ୍ଷା ବିଭାଗ ‘ଉଇ’ ଲାଗି ଯାଇଛି। ରାଜ୍ୟର ଏକମାତ୍ର ମହିଳା ବିଶ୍ୱବିଦ୍ୟାଳୟ, ସର୍ବପୁରାତନ ଉତ୍କଳ ବିଶ୍ୱବିଦ୍ୟାଳୟ, ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା କେନ୍ଦୁଝରସ୍ଥିତ ଧରଣୀଧର ବିଶ୍ୱବିଦ୍ୟାଳୟ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିର୍ବାଚନ ମଣ୍ଡଳୀର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ମଧ୍ୟ କୁଳପତି ନାହାନ୍ତି।”

ଇପ୍ସିତା ସାହୁ ଅଭିଯୋଗ କରି କହିଛନ୍ତି, “ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ ପାରିତ ହେବା ପରେ ବି କାର୍ଯ୍ୟ ଘର ଶୂନ୍ୟ। ଅପରିପକ୍ୱ ଉଚ୍ଚଶିକ୍ଷା ମନ୍ତ୍ରୀ କିଛି ନିଷ୍ପତ୍ତି ନେଇପାରୁନାହାନ୍ତି। କେନ୍ଦ୍ରମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଭାଗ ଛିଡ଼ିପାରୁନଥିବାରୁ ନିଯୁକ୍ତି ଆଗେଇ ପାରୁନାହିଁ। ରାଜ୍ୟର ଶିକ୍ଷା ବ୍ୟବସ୍ଥା ପ୍ରତି ଏହି ଅନ୍ୟାୟ ବରଦାସ୍ତ କରାଯିବ ନାହିଁ। ଚଳିତ ମାସ ଶେଷ ସପ୍ତାହ ସୁଦ୍ଧା କୁଳପତି ପଦବୀ ପୂରଣ କରାଯାଉ, ନହେଲେ ବିଜୁ ଯୁବ ଓ ଛାତ୍ର ଜନତା ଦଳ ଆନ୍ଦୋଳନକୁ ଓହ୍ଲାଇବ।”