FeaturedLatestNews

ରାଜ୍ୟ କ୍ୟାବିନେଟ୍ ବୈଠକରେ ୧୧ ପ୍ରସ୍ତାବ ପାରିତ

ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ବପୂର୍ଣ୍ଣ ବୈଠକ ଶେଷ ହୋଇଯାଇଛି। ଏହି ବୈଠକରେ ୫ଟି ବିଭାଗର ମୋଟ ୧୧ଟି ପ୍ରସ୍ତାବ ଉପରେ କ୍ୟାବିନେଟ୍ ମୋହର ବାଜିଛି। ବୈଠକ ସରିବା ପରେ ପ୍ରେସମିଟ୍‌ରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସୂଚନା ଦେଇଛନ୍ତି।

ଗ୍ରାମ୍ୟ ପାନୀୟ ଜଳ ନୀତି ୨୦୨୬କୁ ଅନୁମୋଦନ

ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ପରିଚାଳନା ଏବଂ ରକ୍ଷଣ ବେକ୍ଷଣ ନୀତି ୨୦୨୬କୁ କ୍ୟାବିନେଟ୍ ଅନୁମୋଦନ କରିଛି। ଏହି ନୀତିରେ ପ୍ରକଳ୍ପ ସରିବା ପରେ ତାର ରକ୍ଷଣାବେକ୍ଷଣ ପାଇଁ ଦାୟିତ୍ୱ ବଣ୍ଟନ କରାଯାଇଛି। ଏଥିରେ ପଞ୍ଚାୟତ ଓ ଗ୍ରାମବାସୀଙ୍କର କ’ଣ ଦାୟିତ୍ୱ ରହିବ, ମନିଟରିଂ କେମିତି ହେବ ଏବଂ କେତେ ଟଙ୍କା ଦିଆଯିବ, ସବୁକିଛି ଉଲ୍ଲେଖ ରହିଛି।

୩୪୦୦ କୋଟି ଟଙ୍କାର ଅଟଳ ବସଷ୍ଟାଣ୍ଡ ଯୋଜନାକୁ ମଞ୍ଜୁରୀ

୩୪୦୦ କୋଟି ଟଙ୍କା ବ୍ୟୟର ଅଟଳ ବସଷ୍ଟାଣ୍ଡ ଯୋଜନାକୁ କ୍ୟାବିନେଟ୍ ମଞ୍ଜୁରୀ ଦେଇଛି। ରାଜ୍ୟରେ ନିର୍ମାଣ ହେଉଥିବା ୩୧୮ଟି ବସ୍‌ଷ୍ଟାଣ୍ଡ OSRTC ସମନ୍ୱୟରେ କରାଯିବ।

ଜଳସମ୍ପଦ ବିଭାଗର ୫ଟି ପ୍ରକଳ୍ପକୁ ମଞ୍ଜୁରୀ

ଜଳସମ୍ପଦ ବିଭାଗର ୫ଟି ପ୍ରକଳ୍ପକୁ ମଧ୍ୟ କ୍ୟାବିନେଟ୍ ଅନୁମୋଦନ କରିଛି:

  • ହାଡୁଆ ଜଳସେଚନ ପ୍ରକଳ୍ପ (କଟକ): ୧୩୫ କୋଟି ଟଙ୍କା ବ୍ୟୟରେ ଏହି ପ୍ରକଳ୍ପ ଯୋଗୁଁ ୩୬୦୦ ହେକ୍ଟର ଜମି ଜଳସେଚିତ ହେବ। ଏହା ବଡମ୍ବାର ୭୬ ଗାଁ, ନରସିଂହପୁର ଓ ତିଗିରିଆର ୫ଟି ଗାଁରେ ପାଣି ମାଡ଼ିବ।
  • ପାର୍ବତୀ ଗିରି ମେଗା ଲିଫ୍ଟ ଜଳସେଚନ ପ୍ରକଳ୍ପ: ୨୦୪ କୋଟି ଟଙ୍କା ବ୍ୟୟରେ ଏହି ପ୍ରକଳ୍ପ ସମ୍ବଲପୁରର ୬୨୧୦ ହେକ୍ଟର ଜମିକୁ ଜଳସେଚିତ କରିବ।
  • କ୍ଲଷ୍ଟର ୩୦ ପ୍ରକଳ୍ପ (ସୋନପୁର): ସୋନପୁର ତେଲ ନଦୀରେ ୧୭୦ କୋଟି ଟଙ୍କା ବ୍ୟୟରେ ଏହି ପ୍ରକଳ୍ପ ୬ ହଜାର ହେକ୍ଟର ଜମିକୁ ଜଳସେଚିତ କରିବ।
  • ଖରାସୁଆ କ୍ଲଷ୍ଟର ୩୭ ପ୍ରକଳ୍ପ (ଯାଜପୁର): ୧୫୮ କୋଟି ଟଙ୍କା ବ୍ୟୟରେ ବ୍ରାହ୍ମଣୀ ନଦୀରେ ଏହି ପ୍ରକଳ୍ପ ୬ ହଜାର ହେକ୍ଟର ଓ ୭୩ ଗାଁକୁ ପାଣି ଯୋଗାଇବ।
  • କ୍ଲଷ୍ଟର ୩୮ ପ୍ରକଳ୍ପ (କେନ୍ଦୁଝର): ୯୩ କୋଟି ଟଙ୍କା ବ୍ୟୟରେ ଏହି ପ୍ରକଳ୍ପ ପାନପୁର ଅଞ୍ଚଳର ୪୨୮୦ ହେକ୍ଟର ଜମିକୁ ଜଳସେଚିତ କରିବ।

୧୬୪୭ କୋଟିର ନୂଆ ସବ୍ ଷ୍ଟେସନ ଓ ଅନ୍ୟାନ୍ୟ ପ୍ରସ୍ତାବ

କେନ୍ଦୁଝରରେ ୧୬୪୭ କୋଟି ଟଙ୍କା ବ୍ୟୟରେ ନୂଆ ୨୫୦୦ ଏମ୍‌ଭିଏ ସବ୍ ଷ୍ଟେସନ ନିର୍ମାଣକୁ କ୍ୟାବିନେଟ୍ ଅନୁମୋଦନ ଦେଇଛି। ଏହାର କାମ ୩ ବର୍ଷ ମଧ୍ୟରେ ଶେଷ ହେବ। ଏହାବ୍ୟତୀତ, ଚାକିରି ସର୍ତ୍ତାବଳୀରେ ସଂଶୋଧନ, କ୍ୟାଡର ରୁଲ୍ ପରିବର୍ତ୍ତନ ସହ ଶ୍ରମ ବିଭାଗର ୩ଟି ପ୍ରସ୍ତାବ ମଧ୍ୟ ପାରିତ ହୋଇଛି।