ଅଗଷ୍ଟରେ ଦିଲ୍ଲୀରେ ଆୟୋଜିତ ହେବ ଓଡ଼ିଶା ସରକାରଙ୍କ ଇନଭେଷ୍ଟର୍ସ ରୋଡ୍ ଶୋ
ଭୁବନେଶ୍ୱର (ସଂକେତ ଟିଭି): ଓଡ଼ିଶା ସରକାର ଆସନ୍ତା ଅଗଷ୍ଟ ମାସରେ ଦିଲ୍ଲୀରେ ଏକ ଇନଭେଷ୍ଟର୍ସ ରୋଡ୍ ଶୋ’ ଆୟୋଜନ କରିବାକୁ ଯୋଜନା କରିଛନ୍ତି। ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ ଏହି ସୂଚନା ଦେଇଛନ୍ତି। ଏହି ରୋଡ୍ ଶୋ’ର ନେତୃତ୍ୱ ନେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସେ ବିଭିନ୍ନ ପୁଞ୍ଜିପତିଙ୍କ ସହ ବ୍ୟକ୍ତିଗତ ଭାବେ ଆଲୋଚନା କରି ଓଡ଼ିଶାରେ ନିବେଶ ପାଇଁ ପ୍ରସ୍ତାବ ଦେବେ।
ଆଧୁନିକ ଶିଳ୍ପ ଉପରେ ଓଡ଼ିଶା ସରକାର ବିଶେଷ ଗୁରୁତ୍ୱ ଦେଉଥିବା ବେଳେ ଏହି ରୋଡ୍ ଶୋ’ରେ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ର ଉପରେ ମୁଖ୍ୟ ଫୋକସ୍ ରହିବ। ଶିଳ୍ପ ମନ୍ତ୍ରୀ କହିଛନ୍ତି ଯେ, ଗତ ୨ ବର୍ଷରେ ଓଡ଼ିଶାକୁ ଉଲ୍ଲେଖନୀୟ ପରିମାଣର ପୁଞ୍ଜି ନିବେଶ ଆସିଛି ଏବଂ ଅନେକ ଶିଳ୍ପ ଆରମ୍ଭ ହୋଇଛି। ସରକାର ନିୟମିତ ଭାବେ ପୁଞ୍ଜି ନିବେଶ, ଶିଳ୍ପ ପ୍ରତିଷ୍ଠା ଏବଂ ନିଯୁକ୍ତି ସୃଷ୍ଟି ଉପରେ ସମୀକ୍ଷା କରୁଛନ୍ତି। ଶିଳ୍ପ ପ୍ରତିଷ୍ଠା ସହିତ ଓଡ଼ିଶାର ଯୁବକ ଯୁବତୀମାନେ କିପରି ଶିଳ୍ପ ବାତାନୁକୂଳ ଦକ୍ଷତା ହାସଲ କରିବେ, ସେଥିପ୍ରତି ମଧ୍ୟ ସରକାର ଧ୍ୟାନ ଦେଉଛନ୍ତି ବୋଲି ଶିଳ୍ପ ମନ୍ତ୍ରୀ ପ୍ରକାଶ କରିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟ ସରକାର ନିବେଶକମାନଙ୍କୁ ଓଡ଼ିଶାରେ ପୁଞ୍ଜି ନିବେଶ କରିବା ପାଇଁ ନିରନ୍ତର ଅପିଲ୍ କରୁଛନ୍ତି। ଏହି କ୍ରମରେ ବିଭିନ୍ନ ସ୍ଥାନରେ ଇନଭେଷ୍ଟର୍ସ ମିଟ୍ ଆୟୋଜନ କରାଯାଇ ପୁଞ୍ଜିପତିଙ୍କ ସହ ବିସ୍ତୃତ ଆଲୋଚନା କରାଯାଉଛି। ଗତ ବର୍ଷ ଡିସେମ୍ବର ତୃତୀୟ ସପ୍ତାହରେ ହାଇଦ୍ରାବାଦରେ ଏବଂ ଗତ ମେ’ ପ୍ରଥମ ସପ୍ତାହରେ ଗୁଜରାଟରେ ଓଡ଼ିଶା ସରକାରଙ୍କ ପକ୍ଷରୁ ନିବେଶକ ସମ୍ମିଳନୀ ଆୟୋଜନ କରାଯାଇଥିଲା।
ଗୁଜରାଟ ରୋଡ୍ ଶୋ’ରୁ ଫେରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ବିଭିନ୍ନ ଶିଳ୍ପପତିଙ୍କ ଠାରୁ ୪୮ ହଜାର ୩୩୦ କୋଟି ଟଙ୍କାର ପୁଞ୍ଜି ନିବେଶ ପ୍ରତିଶ୍ରୁତି ମିଳିଛି। ଏହି ସବୁ ପ୍ରକଳ୍ପରେ ୬୭ ହଜାର ୮୩୮ରୁ ଅଧିକ ନିଯୁକ୍ତି ସୃଷ୍ଟି ହେବ ବୋଲି ଆଶା କରାଯାଉଛି। ଗୁଜରାଟ ରୋଡ୍ ଶୋ’ରେ ଧାତୁ ଶିଳ୍ପ, ରସାୟନ, ଫାର୍ମା, ଗ୍ରୀନ ଏନର୍ଜି, ଖାଦ୍ୟ ପ୍ରକ୍ରିୟାକରଣ, ଟେକ୍ସଟାଇଲ୍, ଆଇଟି, ସେମିକଣ୍ଡକ୍ଟର, ପର୍ଯ୍ୟଟନ, ଏରୋସ୍ପେସ ଓ ଡିଫେନ୍ସ ସହ ବିଭିନ୍ନ କ୍ଷେତ୍ରରେ ନିବେଶ ପ୍ରସ୍ତାବ ମିଳିଛି। ପାରାଦୀପ, ଧାମରା ଓ ଗୋପାଳପୁର ବନ୍ଦର ମାଧ୍ୟମରେ ଓଡ଼ିଶା ପୂର୍ବ ଏସିଆ ଓ ଇଣ୍ଡୋ-ପ୍ୟାସିଫିକ ବଜାର ସହ ସଂଯୋଗ ସ୍ଥାପନ କରୁଥିବାରୁ ଏହା ନିବେଶକଙ୍କ ପାଇଁ ଏକ ଆକର୍ଷଣୀୟ ଗନ୍ତବ୍ୟ ସ୍ଥଳୀ ହୋଇପାରିଛି।
