FeaturedLatestNews

ବୃହତ ଭିତ୍ତିଭୂମି ପ୍ରକଳ୍ପକୁ ତ୍ବରାନ୍ବିତ କରିବାକୁ ଗଠନ ହେବ ସ୍ୱତନ୍ତ୍ର ସେଲ୍

ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟରେ ବୃହତ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକର କାର୍ଯ୍ୟକୁ ତ୍ବରାନ୍ବିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି। ଚଳିତ ବର୍ଷ ସରକାର ପୁଞ୍ଜି ଖର୍ଚ୍ଚ ପାଇଁ ୬୫ ହଜାର କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି। ଏହି ବିପୁଳ ଅର୍ଥରାଶିକୁ ସଠିକ୍ ଭାବରେ ବ୍ୟବହାର କରିବା ପାଇଁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପ୍ରକଳ୍ପ ନକ୍ସା ପ୍ରସ୍ତୁତି ଅତ୍ୟନ୍ତ ଜରୁରୀ। ଯଦି ଏହି ପ୍ରକ୍ରିୟାରେ ବିଳମ୍ବ ହୁଏ, ତେବେ ପ୍ରକଳ୍ପ କାର୍ଯ୍ୟ ମଧ୍ୟ ବିଳମ୍ବିତ ହେଉଛି, ଫଳରେ ସମୟସୀମା ବୃଦ୍ଧି ପାଉଛି ଏବଂ ବ୍ୟୟବରାଦ ମଧ୍ୟ ବଢ଼ିଚାଲିଛି।

ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ଏକ ସ୍ୱତନ୍ତ୍ର ସେଲ୍ ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରସ୍ତାବିତ ଏହି ସେଲ୍ ପ୍ରକଳ୍ପଗୁଡ଼ିକୁ କାର୍ଯ୍ୟକାରୀ କରିବାରେ ଏକ ଅଗ୍ରଣୀ ଅନୁଷ୍ଠାନ ଭାବରେ କାର୍ଯ୍ୟ କରିବ। ଏହା ବିଭିନ୍ନ ବିଭାଗ ଦ୍ବାରା ପରିଚାଳିତ ଭିତ୍ତିଭୂମି ପ୍ରକଳ୍ପର ଡିଜାଇନ୍ ପ୍ରସ୍ତୁତି ଠାରୁ ଆରମ୍ଭ କରି ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର) ପ୍ରସ୍ତୁତି ପର୍ଯ୍ୟନ୍ତ ସହାୟତା ପ୍ରଦାନ କରିବ। ଏହାବ୍ୟତୀତ, ସେଲ୍ ପ୍ରକଳ୍ପଗୁଡ଼ିକର ନିରନ୍ତର ସମୀକ୍ଷା ଓ ମୂଲ୍ୟାୟନ ମଧ୍ୟ କରିବ, ଯାହା ଫଳରେ ଏହା ସମସ୍ତ ଭିତ୍ତିଭୂମି ପ୍ରକଳ୍ପ ପାଇଁ ଏକ ସିଙ୍ଗଲ୍ ଉଇଣ୍ଡୋ ସେଲ୍ ଭଳି କାର୍ଯ୍ୟ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଗତ ମାର୍ଚ୍ଚ ୧୮ ତାରିଖରେ ମୁଖ୍ୟମନ୍ତ୍ରୀ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କୁ ଏକ କନ୍ସେପ୍ଟ ନୋଟ୍ ମାଧ୍ୟମରେ ଏହି ନିର୍ଦ୍ଦେଶ ଦେଇଥିଲେ ଏବଂ ସେଲ୍ ଗଠନ ପାଇଁ ପ୍ରକ୍ରିୟା ଆରମ୍ଭ କରିବାକୁ କହିଥିଲେ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ରାଜ୍ୟ ପ୍ରଶାସନ ଏଦିଗରେ ଆଗକୁ ବଢ଼ିଛି। ଆଜି ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏହି ସେଲ୍ର ପ୍ରଥମ ବୈଠକ ଅନୁଷ୍ଠିତ ହେବ, ଯେଉଁଥିରେ ସମସ୍ତ ବିଭାଗୀୟ ମୁଖ୍ୟ ଯୋଗ ଦେବେ। ଏଥିପାଇଁ ଯୋଜନା ଓ ସଂଯୋଜନା ବିଭାଗକୁ ସମସ୍ତ ବିଭାଗ ସହ ସମନ୍ବୟ ରକ୍ଷା କରିବାକୁ ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟାଳୟ ପକ୍ଷରୁ ଚିଠି ଲେଖାଯାଇଛି।

ଏହି ସେଲ୍ କେବଳ ଡିଜାଇନ୍ ଓ ଡିପିଆର ଯାଞ୍ଚରେ ସୀମିତ ରହିବ ନାହିଁ। ବରଂ ସରକାରୀ ଇଞ୍ଜିନିୟର ଓ ବୈଷୟିକ କର୍ମଚାରୀଙ୍କ ଦକ୍ଷତା ବିକାଶ ପାଇଁ ନିୟମିତ ପ୍ରଶିକ୍ଷଣ, ସମ୍ପୂର୍ଣ୍ଣ ଗୁଣବତ୍ତା ପରିଚାଳନା, ନୂତନ ନିର୍ମାଣ ପ୍ରଯୁକ୍ତି ଓ ଜଳବାୟୁ ସହନଶୀଳ ଭିତ୍ତିଭୂମି ଉପରେ ଗବେଷଣାକୁ ମଧ୍ୟ ପ୍ରାଧାନ୍ୟ ଦିଆଯିବ। ପ୍ରକଳ୍ପର ଡିଜାଇନ୍, ନିର୍ମାଣ ସାମଗ୍ରୀ ଓ ପ୍ରଯୁକ୍ତିର ଗୁଣବତ୍ତା ଯାଞ୍ଚ ପାଇଁ କ୍ୱାଲିଟି ଆସ୍ୟୁରାନ୍ସ ଏବଂ ଟେକ୍ନିକାଲ ଅଡିଟ୍ ବ୍ୟବସ୍ଥା ମଧ୍ୟ ରହିବ। ଗବେଷଣା ଓ ବୈଷୟିକ କ୍ଷମତା ବୃଦ୍ଧି ପାଇଁ ଆଇଆଇଟି ଭୁବନେଶ୍ୱର, ଏନ୍ଆଇଟି ରାଉରକେଲା, ବିପିୟୁଟି, ଆଉଟର୍ ଏବଂ ସ୍କୁଲ୍ ଅଫ୍ ପ୍ଲାନିଂ ଆଣ୍ଡ ଆର୍କିଟେକ୍ଚର ଭଳି ଅଗ୍ରଣୀ ଅନୁଷ୍ଠାନମାନଙ୍କ ସହଯୋଗ ନିଆଯିବ।