ଅଭିଷେକଙ୍କ ବିସ୍ଫୋରକ ଶତକ, ନ୍ୟୁଜିଲାଣ୍ଡକୁ ୬ ଓ୍ଵିକେଟରେ ହରାଇ ଭାରତ ୩-୦ରେ ଅଗ୍ରଣୀ
ଓ୍ଵେଲିଂଟନ(ସଂକେତ ଟିଭି): ଅଭିଷେକ ଶର୍ମାଙ୍କ ଐତିହାସିକ ଶତକ ବଳରେ ଭାରତ ଘରୋଇ ନ୍ୟୁଜିଲାଣ୍ଡକୁ ତୃତୀୟ ଟି-୨୦ରେ ୬ ଓ୍ଵିକେଟରେ ସହଜରେ ହରାଇଛି। ଏହି ବିଜୟ ସହ ଶ୍ରେୟସ ଆୟରଙ୍କ ନେତୃତ୍ଵାଧୀନ ଭାରତୀୟ ଦଳ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜ ଜିତିବା ସହ ୩-୦ରେ ଅଗ୍ରଣୀ ହାସଲ କରିଛି।
ପ୍ରଥମେ ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡ ୧୯୮ ରନ କରିଥିଲା। ଜବାବରେ ଭାରତ ଅଭିଷେକ ଶର୍ମାଙ୍କ ବିଧ୍ଵଂସୀ ୧୧୩ ରନର ଇନିଂସ ବଳରେ ୧୩.୨ ଓଭରରେ ୪ ଓ୍ଵିକେଟ୍ ହରାଇ ଲକ୍ଷ୍ୟ ହାସଲ କରିନେଇଛି। ବୈଭବ ସୂର୍ଯ୍ୟବଂଶୀ ୪୫ ରନର ଉପଯୋଗୀ ଇନିଂସ ଖେଳିଛନ୍ତି।
୧୯୯ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ଭାରତକୁ ପ୍ରଥମ ଓଭରରୁ ହିଁ ଦମଦାର ଆରମ୍ଭ ଦେଇଥିଲେ ବୈଭବ ସୂର୍ଯ୍ୟବଂଶୀ ଓ ଅଭିଷେକ ଶର୍ମା। ଦୁଇ ବ୍ୟାଟର ନିଜର ଚିରାଚରିତ ଢଙ୍ଗରେ ବିସ୍ଫୋଟକ ବ୍ୟାଟିଂ କରିଥିଲେ। ଦୁହିଁଙ୍କ ଆଗରେ ଅସହାୟ ନଜର ଆସିଥିଲେ କିଓ୍ଵି ବୋଲର। ପ୍ରଥମ ୫ ଓଭରରେ ଭାରତ ୧୦୦ ରନ ପୂରଣ କରିଥିଲା। ମାତ୍ର ୭.୧ ଓଭରରେ ଓପନିଂରେ ଦୁଇ ବାମହାତୀ ବ୍ୟାଟର ୧୩୩ ରନ ଯୋଡ଼ି ଭାରତକୁ ସହଜ ବିଜୟର ମାର୍ଗ ପ୍ରଶସ୍ତ କରିଥିଲେ।
ସୂର୍ଯ୍ୟବଂଶୀ ୧୯ ବଲରୁ ୪ ଚୌକା ଏବଂ ୪ ଛକା ସହ ୪୫ ରନ କରି ପାଭିଲିୟନ ଫେରିଥିଲେ। ଅନ୍ୟପଟେ ଅଭିଷେକ ଶର୍ମାଙ୍କ ତାଣ୍ଡବ ଜାରି ରହିଥିଲା। ସେ ୩୫ଟି ବଲରେ ନିଜର ଚତୁର୍ଥ ଟି-୨୦ ଅନ୍ତର୍ଜାତୀୟ ଶତକ ପୂରଣ କରିଥିଲେ।
ଭାରତ ବିଜୟର ଦ୍ଵାର ଦେଶରେ ପହଞ୍ଚିବା ପରେ ଅଭିଷେକ ଆଉଟ୍ ହୋଇଥିଲେ। ସେ ମାତ୍ର ୩୮ ବଲରୁ ୯ ଚୌକା ଏବଂ ୧୧ ଛକା ସହ ୧୧୩ ରନର ମ୍ୟାଚ୍ ବିଜୟୀ ଇନିଂସ ଖେଳିଥିଲେ। ଏହା ପରେ ମଧ୍ୟକ୍ରମରେ ସଞ୍ଜୁ ସାମସନ (୧୮ ରନ) ଓ ଅଧିନାୟକ ଶ୍ରେୟସ ଆୟର (୫ ରନ) ଶସ୍ତାରେ ଆଉଟ୍ ହୋଇଥିଲେ। ଭାରତ ୧୩.୨ ଓଭରରେ ୪ ଓ୍ଵିକେଟ୍ ହରାଇ ସହଜ ବିଜୟ ହାସଲ କରିଛି।
ନ୍ୟୁଜିଲାଣ୍ଡ ପକ୍ଷରୁ ଅଧିନାୟକ ମିଚେଲ ସାଣ୍ଟନରଙ୍କୁ ବାଦ୍ ଦେଲେ ବାକି ବୋଲର ବହୁତ ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି। ଜେମିସନ ୨ଟି ଓ୍ଵିକେଟ୍ ନେଇଥିଲେ ହେଁ ୪୫ ରନ ବ୍ୟୟ କରିଛନ୍ତି। ସାଣ୍ଟନର ଏହି ହାଇ ସ୍କୋରିଂ ମ୍ୟାଚରେ ୩ ଓଭରରେ କେବଳ ୧୭ ରନ ଦେଇ ଗୋଟିଏ ଓ୍ଵିକେଟ୍ ନେଇଛନ୍ତି।
