FeaturedLatestNews

ମାଡ଼ିଆସୁଛି ବାତ୍ୟା ଅର୍ଣ୍ଣବ: ଅକ୍ଟୋବର ୨୮ରେ ଆନ୍ଧ୍ର ଉପକୂଳ ଛୁଇଁବ

ନୂଆଦିଲ୍ଲୀ (ସଂକେତ ଟିଭି): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ବାତ୍ୟାର ରୂପ ନେଇଛି। ଆଜି ମଧ୍ୟରାତି ସୁଦ୍ଧା ଏହା ଭୀଷଣ ବାତ୍ୟାର ରୂପ ନେବ ଏବଂ ଆସନ୍ତାକାଲି ଅତି ଭୀଷଣ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି। ୨୮ ତାରିଖ ପୂର୍ବାହ୍ନରେ ବାତ୍ୟା ଅର୍ଣ୍ଣବ ଆନ୍ଧ୍ର ଉପକୂଳ ଛୁଇଁବ ବୋଲି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି।

ସ୍ଥଳଭାଗ ଛୁଇଁବା ସମୟରେ ପବନର ବେଗ ଘଣ୍ଟାପ୍ରତି ୧୨୦ରୁ ୧୨୫ କିଲୋମିଟର ଏବଂ ଝଟକା ପବନର ବେଗ ୧୪୦ କିଲୋମିଟର ପର୍ଯ୍ୟନ୍ତ ରହିପାରେ। ଓଡ଼ିଶା ପାଇଁ ୨୭ ତାରିଖ ରାତି ଏବଂ ୨୮ ତାରିଖ ସକାଳ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ୨୭ ତାରିଖ ସନ୍ଧ୍ୟାରୁ ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ବର୍ଷାର ପରିମାଣ ବଢ଼ିବ।

ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ସେହିଭଳି ପବନର ବେଗ ସର୍ବାଧିକ ଘଣ୍ଟାପ୍ରତି ୯୦ କିଲୋମିଟର ପର୍ଯ୍ୟନ୍ତ ରହିପାରେ। ୨୯ ତାରିଖ ବେଳକୁ ଉତ୍ତର ଓଡ଼ିଶାର ସମ୍ବଲପୁର, ସୁନ୍ଦରଗଡ଼, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ।

ସମୁଦ୍ରରେ ୧ରୁ ଦେଢ଼ ମିଟର ପର୍ଯ୍ୟନ୍ତ ଉଚ୍ଚ ଜୁଆର ଆସିବାର ସମ୍ଭାବନା ଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନଯିବା ପାଇଁ କଡ଼ା ଚେତାବନୀ ଦିଆଯାଇଛି। ସହରାଞ୍ଚଳରେ ଜଳବନ୍ଦୀ ସମସ୍ୟା ସୃଷ୍ଟି ହୋଇପାରେ। ପୁରୀ ଓ ଉପକୂଳବର୍ତ୍ତୀ ଅଞ୍ଚଳକୁ ଆସୁଥିବା ପର୍ଯ୍ୟଟକମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ବୋଲି IMD ଡିଜି କହିଛନ୍ତି।

ସମ୍ଭାବ୍ୟ ବାତ୍ୟା ପରିସ୍ଥିତିର ମୁକାବିଲା ପାଇଁ ସ୍ୱାସ୍ଥ୍ୟ ବିଭାଗର ପ୍ରସ୍ତୁତିକୁ ଆଜି ସ୍ୱାସ୍ଥ୍ୟ ବିଭାଗ ଶାସନ ସଚିବ ତଥା କମିଶନର ଅଶ୍ୱତୀ ଏସ. ସମୀକ୍ଷା କରିଛନ୍ତି। ଖାରବେଳ ଭବନ ସ୍ୱାସ୍ଥ୍ୟ ବିଭାଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ଶାସନ ସଚିବ, ବିଭାଗର ବରିଷ୍ଠ ଅଧିକାରୀ ଏବଂ ଅଭାସି ମାଧ୍ୟମରେ ସମ୍ପୃକ୍ତ ଜିଲ୍ଲାମାନଙ୍କର ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ।

ବୈଠକରେ ସଚିବ ବନ୍ୟା ପ୍ରଭାବିତ ଅଞ୍ଚଳରେ ନିରବଚ୍ଛିନ୍ନ ସ୍ୱାସ୍ଥ୍ୟସେବା ସୁନିଶ୍ଚିତ କରିବା ସହ ହାଲୋଜେନ ବଟିକା ଓ ବ୍ଲିଚିଂ ପାଉଡ଼ର ସମେତ ଅତ୍ୟାବଶ୍ୟକ ଔଷଧ ଓ ଚିକିତ୍ସା ସାମଗ୍ରୀ ପର୍ଯ୍ୟାପ୍ତ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବନ୍ୟା ପ୍ରଭାବିତ ଓ ଦୁର୍ଗମ ଅଞ୍ଚଳରେ ତ୍ୱରିତ ପ୍ରତିକ୍ରିୟା ଟିମ୍ (RRT) ଓ ମୋବାଇଲ ହେଲ୍ଥ ୟୁନିଟ୍ ମାଧ୍ୟମରେ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ସହ ଡାଇରିଆ, ହଇଜା, ମ୍ୟାଲେରିଆ, ଡେଙ୍ଗୁ ଓ ଅନ୍ୟାନ୍ୟ ଜଳବାହିତ ତଥା ଭେକ୍ଟରଜନିତ ରୋଗ ଉପରେ ନିରନ୍ତର ନଜର ରଖିବା ଏବଂ ଆବଶ୍ୟକ ସ୍ଥଳେ ଚିକିତ୍ସା ଯୋଗାଇଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।

ରିଲିଫ କେନ୍ଦ୍ରଗୁଡ଼ିକରେ ରହୁଥିବା ଲୋକମାନଙ୍କୁ ସୁରକ୍ଷିତ ପାନୀୟ ଜଳ, ସ୍ୱଚ୍ଛତା ବ୍ୟବସ୍ଥା ଓ ଆବଶ୍ୟକ ସ୍ୱାସ୍ଥ୍ୟସେବା ଯୋଗାଇବା ସହ ଗର୍ଭବତୀ ମହିଳା, ଶିଶୁ ଓ ବୟସ୍କ ବର୍ଗଙ୍କ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବା ଉପରେ ସଚିବ ଗୁରୁତ୍ୱାରୋପ କରିଛନ୍ତି। ସମୀକ୍ଷା ବୈଠକରେ ବିଭିନ୍ନ ଜିଲ୍ଲାର ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀମାନେ ବନ୍ୟା ପରିସ୍ଥିତି, ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ଏବଂ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ସଚିବଙ୍କୁ ଅବଗତ କରାଇଥିଲେ। ଅନ୍ୟ ସମ୍ପୃକ୍ତ ବିଭାଗ ସହ ସମନ୍ୱୟ ରକ୍ଷା କରି ଜନସ୍ୱାସ୍ଥ୍ୟ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେବାକୁ ସଚିବ ପରାମର୍ଶ ଦେଇଛନ୍ତି।

ସମ୍ଭାବ୍ୟ ପ୍ରଭାବିତ ଅଞ୍ଚଳରେ ଜନସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଥିବା ବେଳେ ପରିସ୍ଥିତି ସ୍ୱାଭାବିକ ନ ହେବା ପର୍ଯ୍ୟନ୍ତ ସମସ୍ତ ଅଧିକାରୀ ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ସଜାଗ ରହି ଦାୟିତ୍ୱ ସମ୍ପାଦନ କରିବାକୁ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଅଧିକାରୀଙ୍କ ଛୁଟି ବାତିଲ କରାଯିବା ସହ ରାଜ୍ୟ ଏବଂ ଜିଲ୍ଲାସ୍ତରରେ କଣ୍ଟ୍ରୋଲ ରୁମ କାର୍ଯ୍ୟକ୍ଷମ କରାଯାଇଛି।

ସୂଚନାଯୋଗ୍ୟ, ବାତ୍ୟା ଅର୍ଣ୍ଣବ ଅକ୍ଟୋବର ୨୮ ବେଳକୁ ସ୍ଥଳଭାଗ ଛୁଇଁବା ନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଆନ୍ଧ୍ରର ବାପଟଲା ଓ ବିଶାଖାପଟନମ ଠାରେ ଏହା ସ୍ଥଳଭାଗ ଛୁଇଁବ। ବାତ୍ୟାର ଅଧିକ ପ୍ରଭାବ ଆନ୍ଧ୍ରରେ ପଡ଼ୁଥିବା ବେଳେ ଓଡ଼ିଶା ଉପରେ ମଧ୍ୟ ବିପଦ ରହିଛି। ଦକ୍ଷିଣ ଓଡ଼ିଶାରେ ପ୍ରଭାବ ଅଧିକ ରହିବ। ଲ୍ୟାଣ୍ଡଫଲ ସମୟରେ ଏହା ଉତ୍ତର ପଶ୍ଚିମ ଦିଗରେ ଗତି କରିବାର ପୂର୍ବାନୁମାନ ଭାରତୀୟ ପାଣିପାଗ ବିଭାଗ କରିଛି।

Leave a Reply

Your email address will not be published. Required fields are marked *