ବାରିପଦାରୁ ନିଖୋଜ ଶିଶୁକନ୍ୟା ସୁରକ୍ଷିତ ଉଦ୍ଧାର, ସନ୍ଦିଗ୍ଧ ଅଟକ
ବାରିପଦା(ସଂକେତ ଟିଭି): ଘର ସାମ୍ନାରେ ଖେଳୁଥିବା ବେଳେ ନିଖୋଜ ହୋଇଯାଇଥିବା ସାଢ଼େ ୪ ବର୍ଷର ଶିଶୁକନ୍ୟାକୁ ବାରିପଦା ଭଞ୍ଜପୁର ଥାନା ପୋଲିସ ସୁରକ୍ଷିତ ଭାବେ ଉଦ୍ଧାର କରିଛି। ଘଟଣାରେ ସମ୍ପୃକ୍ତି ସନ୍ଦେହରେ ପଶ୍ଚିମବଙ୍ଗର ଝାଟିଗୋଡ଼ା ଗୋପୀବଲ୍ଲଭପୁର ଅଞ୍ଚଳର କୃଷ୍ଣା ଓରଫ ହରେକୃଷ୍ଣ ଘୋଷ ନାମକ ଜଣେ ବ୍ୟକ୍ତିଙ୍କୁ ପୋଲିସ ଅଟକ ରଖିଛି।
ପ୍ରାପ୍ତ ସୂଚନା ମୁତାବକ, ବାରିପଦା ପୌରାଞ୍ଚଳ ୧୮ ନମ୍ବର ୱାର୍ଡ ଅନ୍ତର୍ଗତ ଯମୁନାଦେଇପୁରରେ ଭଡ଼ାରେ ରହୁଥିବା ବିଏସଏଫ ଯବାନ ସୁନିଲ ସୋରେନ ଓ ଚାନ୍ଦମଣୀ ସୋରେନଙ୍କ ଝିଅ ରବିବାର ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ ଟ୍ୟୁସନରୁ ଫେରି ଘର ସାମ୍ନା ବାଲିଗଦା ନିକଟରେ ଖେଳୁଥିଲା। ଏହି ସମୟରେ ମାଆ ଘର ଭିତରକୁ ରୋଷେଇ କରିବାକୁ ଯାଇଥିବା ବେଳେ ଶିଶୁଟି ଅଚାନକ ନିଖୋଜ ହୋଇଯାଇଥିଲା। ବହୁ ଖୋଜାଖୋଜି ପରେ ମଧ୍ୟ ସନ୍ଧାନ ନମିଳିବାରୁ ପରିବାର ଲୋକେ ଭଞ୍ଜପୁର ଥାନାରେ ଲିଖିତ ଅଭିଯୋଗ ଦାୟର କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ ୩ଟି ସ୍ୱତନ୍ତ୍ର ଟିମ୍ ଗଠନ କରି ତଦନ୍ତ ଚଳାଇଥିଲା।
ଘର ନିକଟରେ ଲାଗିଥିବା ସିସିଟିଭି ଫୁଟେଜ୍ ଯାଞ୍ଚ ବେଳେ ଜଣେ ବ୍ୟକ୍ତି ଶିଶୁକନ୍ୟାକୁ ସାଇକେଲରେ ନେଇଯାଉଥିବା ଦୃଶ୍ୟ ସାମ୍ନାକୁ ଆସିଥିଲା। ଏହାପରେ ମୁର୍ଗାବାଡ଼ି ସମେତ ବିଭିନ୍ନ ସ୍ଥାନର ସିସିଟିଭି ଯାଞ୍ଚ କରି ପୋଲିସ ସନ୍ଦିଗ୍ଧଙ୍କ ଗତିବିଧି ଠାବ କରିଥିଲା। ରାତିସାରା ତନାଘନା ପରେ ଭୋର ପ୍ରାୟ ୫ଟା ସମୟରେ ଶିଶୁକନ୍ୟାକୁ ଛାଡ଼ି ସନ୍ଦିଗ୍ଧ ଜଣକ ପଳାଉଥିବା ସମ୍ପର୍କରେ ପୋଲିସ ସୂଚନା ପାଇଥିଲା।
ଏହାପରେ ସ୍ଥାନୀୟ ଲୋକଙ୍କ ସହଯୋଗରେ ଶିଶୁକନ୍ୟାକୁ ଉଦ୍ଧାର କରାଯିବା ସହ ସନ୍ଦିଗ୍ଧଙ୍କୁ କାବୁ କରାଯାଇଥିଲା। ଅଟକ ବ୍ୟକ୍ତି ଜଣକ ବାରିପଦା ସଦର ଥାନା ଅଞ୍ଚଳରେ ରହି ବିଭିନ୍ନ କାମଧନ୍ଦା କରୁଥିଲେ। ପୋଲିସର ପ୍ରାଥମିକ ପଚରାଉଚରା ପରେ ଘଟଣା ପଛର ପ୍ରକୃତ ଉଦ୍ଦେଶ୍ୟ ଜାଣିବା ପାଇଁ ତଦନ୍ତ ଜାରି ରହିଛି।
ବାରିପଦା ସଦର ଏସଡିପିଓ ପ୍ରଭାତ କୁମାର ମଲ୍ଲିକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି ଯେ ଅଟକ ବ୍ୟକ୍ତିଙ୍କ ମାନସିକ ସ୍ଥିତି ସମ୍ପର୍କରେ ମଧ୍ୟ ଯାଞ୍ଚ କରାଯାଉଥିବା ବେଳେ ତାଙ୍କର ପୃଷ୍ଠଭୂମି ଯାଞ୍ଚ ଓ ଡାକ୍ତରୀ ପରୀକ୍ଷା ପ୍ରକ୍ରିୟା ଜାରି ରହିଛି। ଉଦ୍ଧାର ଶିଶୁକନ୍ୟାକୁ ସୁରକ୍ଷିତ ଭାବେ ପରିବାର ଲୋକଙ୍କ ଜିମା ଦିଆଯାଇଛି। ଝିଅ ସୁରକ୍ଷିତ ଫେରିବା ପରେ ପରିବାର ପକ୍ଷରୁ ପୁଲିସ ଓ ଗଣମାଧ୍ୟମକୁ କୃତଜ୍ଞତା ଜଣାଯାଇଛି।
