FeaturedGeneralLatestPolitics

ମାନହାନି ମାମଲାରେ ରାହୁଲ ଗାନ୍ଧି ଦୋଷମୁକ୍ତ: ସୁଲତାନପୁର କୋର୍ଟର ରାୟ

ଲକ୍ଷ୍ନୌ (ସଂକେତ ଟିଭି): କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଉପରେ ଟିପ୍ପଣୀ ଦେବା ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଆଶ୍ୱସ୍ତି ମିଳିଛି। ଉତ୍ତରପ୍ରଦେଶର ସୁଲତାନପୁରସ୍ଥିତ ଏମପି-ଏମଏଲଏ କୋର୍ଟ ତାଙ୍କୁ ମାନହାନି ମାମଲାରେ ଦୋଷମୁକ୍ତ କରିଛନ୍ତି।

ଅତିରିକ୍ତ ମୁଖ୍ୟ ନ୍ୟାୟିକ ମାଜିଷ୍ଟ୍ରେଟ୍ ଶୁଭମ ବର୍ମାଙ୍କ ଅଦାଲତ ସୋମବାର ରାୟ ଶୁଣାଇ କହିଛନ୍ତି ଯେ, ରାହୁଲ ଗାନ୍ଧିଙ୍କ ଟିପ୍ପଣୀ ମାନହାନିକାରକ ନଥିଲା। ରାୟ ଶୁଣାଣି ସମୟରେ ରାହୁଲ ନିଜେ କୋର୍ଟରେ ଉପସ୍ଥିତ ଥିଲେ।

୨୦୧୮ ମେ’ ମାସରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପ୍ରଚାର ବେଳେ ବେଙ୍ଗାଲୁରୁଠାରେ ରାହୁଲ ଗାନ୍ଧି ବିଜେପିର ତତ୍କାଳୀନ ଜାତୀୟ ସଭାପତି ଅମିତ ଶାହଙ୍କୁ ନେଇ ଏକ ଟିପ୍ପଣୀ ଦେଇଥିଲେ। ଏହି ଟିପ୍ପଣୀକୁ ନେଇ ସ୍ଥାନୀୟ ବିଜେପି ନେତା ବିଜୟ ମିଶ୍ର ୪ ଅଗଷ୍ଟ ୨୦୧୮ରେ ସୁଲତାନପୁର କୋର୍ଟରେ ରାହୁଲ ଗାନ୍ଧିଙ୍କ ବିରୋଧରେ ଆପରାଧିକ ମାନହାନି ଅଭିଯୋଗ ଦାଖଲ କରିଥିଲେ।

ଏହି ମାମଲାରେ ୨୭ ନଭେମ୍ବର ୨୦୨୩ରେ ସୁଲତାନପୁର ଏମପି-ଏମଏଲଏ କୋର୍ଟ ରାହୁଲ ଗାନ୍ଧିଙ୍କୁ ହାଜର ହେବା ପାଇଁ ସମନ ଜାରି କରିଥିଲେ। ୨୦ ଫେବୃଆରୀ ୨୦୨୪ରେ କୋର୍ଟରେ ହାଜର ହେବା ପରେ ତାଙ୍କୁ ଜାମିନ ମିଳିଥିଲା।

ଅକ୍ଟୋବର ୨୦୨୬ରେ ଉଭୟ ପକ୍ଷର ଶେଷ ଯୁକ୍ତି ଶୁଣିବା ପରେ କୋର୍ଟ ୨୬ ଅକ୍ଟୋବରରେ ରାୟ ଶୁଣାଇବାକୁ ତାରିଖ ଧାର୍ଯ୍ୟ କରିଥିଲେ। ଏହି ମାମଲାରେ ଆଜି କୋର୍ଟଙ୍କ ରାୟ ପରେ କଂଗ୍ରେସ କର୍ମୀମାନେ ଅଦାଲତ ବାହାରେ ବାଣ ଫୁଟାଇ ଓ ପରସ୍ପରକୁ ମିଠା ଖୁଆଇ ଖୁସି ମନାଇଥିଲେ।

Leave a Reply

Your email address will not be published. Required fields are marked *