FeaturedGeneralLatest

ବଦ୍ରିନାଥରୁ ଡେରାଡୁନ ଫେରୁଥିବା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ୬ ଜଣଙ୍କ ମୃତ୍ୟୁ

ଡେରାଡୁନ (ସଂକେତ ଟିଭି): ବଦ୍ରିନାଥରୁ ଡେରାଡୁନ ଫେରୁଥିବା ଏକ ହେଲିକପ୍ଟର ଯୋଶୀ ମଠ ନିକଟ ପାଣ୍ଡୁକେଶ୍ୱରରେ ଭେଡ଼ ଗଦେର ପାହାଡ଼ ଉପରେ ଦୁର୍ଘଟଣାର ଶିକାର ହୋଇଛି। ବିପର୍ଯ୍ୟୟ ପ୍ରବନ୍ଧନ ଅଧିକାରୀ ନନ୍ଦ କିଶୋର ଯୋଶୀ କହିଛନ୍ତି ଯେ ଦୁର୍ଘଟଣାରେ ହେଲିକପ୍ଟରରେ ଯାତ୍ରା କରୁଥିବା ସମସ୍ତ ୬ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି। ସେ କହିଛନ୍ତି ଯେ ସେନା ଦୁର୍ଘଟଣାସ୍ଥଳକୁ ପହଞ୍ଚିବା ସହ ଉଦ୍ଧାର ଅଭିଯାନ ଦାୟିତ୍ୱ ମଧ୍ୟ ତୁଲାଉଛି।

ହେଲିକପ୍ଟରଟି ଟ୍ରାନ୍ସ ଭାରତ କମ୍ପାନୀର ଓ ଏଥିରେ ପାଇଲଟ ଓ ୫ ଜଣ ଯାତ୍ରୀ ଥିଲେ। ସମସ୍ତ ଯାତ୍ରୀ ବେଙ୍ଗାଲୁରୁର ବୋଲି କୁହାଯାଉଛି। ହେଲିକପ୍ଟରଟି ବଦ୍ରିନାଥରୁ ଡେରାଡୁନ ଫେରୁଥିଲା ଏବଂ ଏହା ଶହସ୍ରଧାର ହେଲିପ୍ୟାଡରେ ଅବତରଣ କରିଥାନ୍ତା।

ରିପୋର୍ଟ ଅନୁଯାୟୀ, ତୁଷାରପାତ ମଧ୍ୟରେ ହେଲିକପ୍ଟରଟି ଅପରାହ୍ନ ୧:୧୪ରେ ବଦ୍ରିନାଥ ଧାମରୁ ଡେରାଡୁନର ଶହସ୍ରଧାର ହେଲିପ୍ୟାଡ ଅଭିମୁଖେ ଉଡ଼ାଣ ଭରିଥିଲା। ଏହାର କିଛି ସମୟ ପରେ ଜୋଶୀମଠ ନିକଟସ୍ଥ ହାତୀ ପର୍ବତ ଅଞ୍ଚଳରେ ହେଲିକପ୍ଟରଟି ନିଖୋଜ ହୋଇଯାଇଥିଲା। ପରେ ଜିଲ୍ଲା ପ୍ରଶାସନକୁ ଏହାର ଦୁର୍ଘଟଣା ସମ୍ପର୍କରେ ସୂଚନା ଦିଆଯାଇଥିଲା।

ଭାରତୀୟ ସେନା ପ୍ରଥମେ ହାତୀ ପର୍ବତ ନିକଟରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିବା ବିଷୟରେ ଚାମୋଲୀ ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ସୂଚନା ଦେଇଥିଲା। ଏହା ପରେ SDRFର ଏକ ଉଦ୍ଧାରକାରୀ ଦଳ ଘଟଣାସ୍ଥଳକୁ ପଠାଯାଇଥିଲା।
ଉତ୍ତରାଖଣ୍ଡ ସିଭିଲ ଆଭିଏସନ ଡେଭେଲପମେଣ୍ଟ ଅଥରିଟି (UCADA) ସିଇଓ ପ୍ରତୀକ ଜୈନ ସୂଚନା ଦେଇଛନ୍ତି ଯେ, “ଶ୍ରୀ ବଦ୍ରିନାଥ ଧାମରୁ ଡେରାଡୁନ ଫେରୁଥିବା ଏକ ଟ୍ରାନ୍ସ ଭାରତ ଆଭିଏସନ ହେଲିକପ୍ଟର ଜୋଶୀମଠ ଅଞ୍ଚଳର ମାରୱାଡି ସେତୁ ଉପରେ ଥିବା ଜେପି ପାୱାର ହାଉସ ନିକଟରେ ଏକ ପାହାଡ଼ରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ଏଥିରେ ଜଣେ ପାଇଲଟ ଏବଂ ପାଞ୍ଚ ଜଣ ଯାତ୍ରୀ ଥିବା ଜଣାପଡ଼ିଛି। ହେଲିକପ୍ଟର ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଛି। ପୋଲିସ, SDRF, ସେନା ଏବଂ ITBP କର୍ମଚାରୀମାନଙ୍କୁ ଘଟଣାସ୍ଥଳକୁ ପଠାଯାଇଥିଲା।”

ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ମଧ୍ୟ ଏହି ଦୁର୍ଘଟଣା ବିଷୟରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଜୋଶୀମଠର ଚାଇ ଗ୍ରାମ ନିକଟରେ ଏକ ହେଲିକପ୍ଟର ଦୁର୍ଘଟଣା ସମ୍ପର୍କରେ ଦୁର୍ଭାଗ୍ୟଜନକ ଖବର ମିଳିଛି। ଜିଲ୍ଲା ପ୍ରଶାସନ, ବିପର୍ଯ୍ୟୟ ପରିଚାଳନା ବିଭାଗ ଏବଂ SDRF ମିଳିତ ଭାବେ ଉଦ୍ଧାର କାର୍ଯ୍ୟ କରୁଛନ୍ତି। ମୁଖ୍ୟମନ୍ତ୍ରୀ ଧାମି କହିଛନ୍ତି ଯେ ସେ ସମ୍ପୂର୍ଣ୍ଣ ଘଟଣାର ବ୍ୟକ୍ତିଗତ ଭାବେ ତଦାରଖ କରୁଛନ୍ତି ଏବଂ ଗୁରୁତର ଆହତମାନଙ୍କୁ ଉତ୍ତମ ଚିକିତ୍ସା ପାଇଁ ତୁରନ୍ତ ଏକ ଉଚ୍ଚ କେନ୍ଦ୍ରକୁ ବିମାନରେ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେ ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ପ୍ରାର୍ଥନା କରୁଛନ୍ତି।

Leave a Reply

Your email address will not be published. Required fields are marked *