FeaturedLatestSports

ରିଙ୍କୁ ସିଂହ ଓ ପ୍ରିୟା ସରୋଜଙ୍କ ବିବାହ: ଡିସେମ୍ବର ୪ରେ ଲକ୍ଷ୍ନୌରେ ହେବ ବିବାହ ଉତ୍ସବ

ନୂଆଦିଲ୍ଲୀ(ସଂକେତ ଟିଭି): କ୍ରିକେଟ୍ ପଡ଼ିଆରେ ଛକା ଓ ଚୌକାରେ ଦର୍ଶକଙ୍କ ମନ ଜିଣୁଥିବା ରିଙ୍କୁ ସିଂହ ଏବେ ଜୀବନର ନୂଆ ଇନିଂସ ଆରମ୍ଭ କରିବାକୁ ଯାଉଛନ୍ତି। ଖୁବଶୀଘ୍ର ବିବାହ କରିବେ ଟିମ୍ ଇଣ୍ଡିଆର ଏହି ଷ୍ଟାର୍ କ୍ରିକେଟର। ସମାଜବାଦୀ ପାର୍ଟିର ସାଂସଦ ପ୍ରିୟା ସରୋଜଙ୍କ ହାତ ଧରିବେ ରିଙ୍କୁ। ଡିସେମ୍ବର ୪ ତାରିଖରେ ଲକ୍ଷ୍ନୌରେ ଉଭୟଙ୍କ ବିବାହ ହେବାକୁ ଥିବାବେଳେ ଏବେଠାରୁ ଆରମ୍ଭ ହୋଇଗଲାଣି ଜୋରଦାର ପ୍ରସ୍ତୁତି।

ବିବାହକୁ ନେଇ ରିଙ୍କୁଙ୍କ ପରିବାର ପକ୍ଷରୁ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି। ରିଙ୍କୁଙ୍କ ମାଆ, ଭାଇ ଓ ଭଉଣୀ ଲକ୍ଷ୍ନୌସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଯାଇ ବିବାହ କାର୍ଡ ପ୍ରଦାନ କରିଛନ୍ତି। ଲକ୍ଷ୍ନୌର ରାମାଡା ହୋଟେଲରେ ଏହି ବିବାହ ଉତ୍ସବ ଆୟୋଜିତ ହେବାକୁ ଥିବାବେଳେ କ୍ରିକେଟ୍ ଓ ରାଜନୈତିକ ଜଗତର ଅନେକ ନାମୀଦାମୀ ଚେହେରା ସାମିଲ ହେବାର ଆଶା ରହିଛି।

ତେବେ ରିଙ୍କୁ ଓ ପ୍ରିୟାଙ୍କ ପ୍ରେମ କାହାଣୀ ମଧ୍ୟ ବେଶ୍ ରୋଚକ। କୋଭିଡ୍ ସମୟରେ ସୋସିଆଲ ମିଡିଆରେ ପ୍ରିୟାଙ୍କ ଫଟୋ ଦେଖି ତାଙ୍କୁ ପସନ୍ଦ କରିଥିଲେ ରିଙ୍କୁ। ହେଲେ ପ୍ରଥମେ ମେସେଜ୍ କରିବାକୁ ସାହସ ଜୁଟାଇ ପାରିନଥିଲେ। ପରେ ପ୍ରିୟା ତାଙ୍କ ଫଟୋ ଲାଇକ୍ କରିବା ପରେ ଆରମ୍ଭ ହୋଇଥିଲା କଥାବାର୍ତ୍ତା। ଧୀରେ ଧୀରେ ବନ୍ଧୁତା ପ୍ରେମରେ ପରିଣତ ହୋଇଥିଲା। ୨୦୨୫ ଜୁନ୍ ୮ ତାରିଖରେ ଉଭୟଙ୍କ ନିର୍ବନ୍ଧ ହୋଇଥିଲା।

ଅନ୍ୟପଟେ ରିଙ୍କୁଙ୍କ କ୍ରିକେଟ୍ କ୍ୟାରିୟରକୁ ପ୍ରିୟା ସବୁବେଳେ ସମର୍ଥନ କରିଆସିଛନ୍ତି। ଷ୍ଟାଡିୟମରେ ଉପସ୍ଥିତ ରହି ରିଙ୍କୁଙ୍କୁ ଉତ୍ସାହିତ କରିବାର ଦୃଶ୍ୟ ମଧ୍ୟ ଅନେକ ଥର ଦେଖିବାକୁ ମିଳିଛି। ତେବେ ଆଗାମୀ ଆଈଈ ରାଇଜିଂ ଷ୍ଟାର୍ସ ଏସିଆ କପରେ ଭାରତ ‘ଏ’ ଦଳର ଉପଅଧିନାୟକ ଭାବେ ଦାୟିତ୍ୱ ପାଇଛନ୍ତି ରିଙ୍କୁ। ନଭେମ୍ବର ୧୯ରୁ ୨୯ ପର୍ଯ୍ୟନ୍ତ କତାରର ଦୋହାରେ ଏହି ପ୍ରତିଯୋଗିତା ଖେଳାଯିବ।

କ୍ରିକେଟ୍ ପଡ଼ିଆରେ ନିଜ ବ୍ୟାଟିଂରେ ଚମକୁଥିବା ରିଙ୍କୁ ଏବେ ଜୀବନର ନୂଆ ପାଳି ପାଇଁ ପ୍ରସ୍ତୁତ। ତେବେ ଏହି ଷ୍ଟାର୍ କ୍ରିକେଟରଙ୍କ ବିବାହକୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ଏବେଠାରୁ ଉତ୍ସାହ ଦେଖିବାକୁ ମିଳିଲାଣି।

Leave a Reply

Your email address will not be published. Required fields are marked *