FeaturedLatestNews

ମାଲକାନଗିରିରେ ଜନଜାତୀୟ ଗୌରବ ଦିବସ: ୨୮ଟି ପ୍ରକଳ୍ପ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ମାଲକାନଗିରି(ସଂକେତ ଟିଭି): ମାଲକାନଗିରିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜନଜାତୀୟ ଗୌରବ ଦିବସ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ସାରା ଦେଶରେ ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୧ତମ ଜନ୍ମଜୟନ୍ତୀ ପାଳନ କରାଯାଉଛି। ଡିଏନକେ ଖେଳ ପଡିଆରେ ଜନଜାତୀୟ ଦିବସ ଆୟୋଜନ ହୋଇଛି। ମାଲକାନଗିରି ଜିଲ୍ଲାର ପ୍ରାୟ ୩୦ ହଜାର ଆଦିବାସୀ ପାରମ୍ପରିକ ବେଶରେ ଜନଜାତୀୟ ଦିବସରେ ସାମିଲ ହୋଇଛନ୍ତି।

ମାଲକାନଗିରି ଏୟାରପୋର୍ଟରେ ପହଞ୍ଚିବା ପରେ ସେଠାରୁ ସିଧା ସଳଖ ଡିଏନକେ ଖେଳ ପଡିଆରେ ପହଞ୍ଚି ରାଜ୍ୟ ସ୍ତରୀୟ ଜନଜାତୀୟ ଗୌରବ ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀଙ୍କ ସହ ବିଦ୍ୟାଳୟ ଗଣଶିକ୍ଷା ଓ ଆଦିବାସୀ କଲ୍ୟାଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମଧ୍ୟ ଉପସ୍ଥିତ ଥିଲେ। ଆଦିବାସୀ ଲୋକେ ନିଜ ନିଜର ପାରମ୍ପରିକ ବେଶ ଭୁଷାରେ ଜନଜାତୀୟ ଦିବସରେ ସାମିଲ ହୋଇଥିଲେ। ବଣ୍ଡା, ଡିଡାଇ, ଦୁରୁଆ, କୋୟା ଓ ପରଜା ଜନ ଜାତିର ଆଦିବାସୀ ଲୋକେ ପାରମ୍ପରିକ ନୃତ୍ୟରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ କରିଥିଲେ। ଆଦିବାସୀଙ୍କ ସହ ଭାବ ବିନିମୟ କରିବା ସହ ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଥିଲେ ମୁଖ୍ୟମନ୍ତ୍ରୀ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ରାଜ୍ୟର ଆଉ ୫ ଲକ୍ଷ ଲୋକଙ୍କୁ ମଧୁବାବୁ ପେନସନ୍ ଯୋଜନାରେ ସାମିଲ କରାଯାଇଛି। ରାଜ୍ୟରେ ୭୬୬୭ ଗାଁକୁ ଆଦର୍ଶ ଗ୍ରାମ ଭାବେ ଗଠନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ରାଜ୍ୟର ୫ ଲକ୍ଷ ଲୋକଙ୍କୁ ଆବାସ ଯୋଜନାରେ ସାମିଲ କରାଯିବ। ରାଜ୍ୟ ଆଉ ୧୧୧ଟି ନୂତନ ଏକଲବ୍ୟ ବିଦ୍ୟାଳୟ ଖୋଲିବ। ଖଖଓଖ ୨.୦ ଆଉ ୫ ବର୍ଷ ପାଇଁ ବୃଦ୍ଧି କରାଯାଇଛି ବୋଲି କହିବା ସହ ମାଲକାନଗିରି ଜିଲ୍ଲାର ଉନ୍ନତି ପାଇଁ ଖୁବ୍ଶୀଘ୍ର ଶିଳ୍ପ ପ୍ରତିଷ୍ଠା ହେବ ବୋଲି କହିଛନ୍ତି। ଡାଲମିଆ ସିମେଣ୍ଟ ଦୁଇ ହଜାର କୋଟି ଓ ଅମ୍ବୁଜା ସିମେଣ୍ଟ କମ୍ପାନୀ ମାଲକାନଗିରି ଜିଲ୍ଲାରେ ଦୁଇ ହଜାର ଦୁଇ ଶହ କୋଟି ଟଙ୍କା ବିନିଯୋଗ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଜନଜାତୀୟ ଗୌରବ ଦିବସରେ ଅନୁସୁଚିତ ଜାତି ଓ ଜନଜାତିଙ୍କ ଉନ୍ନତି ପାଇଁ ମାଲକାନଗିରି ଜିଲ୍ଲାରେ ୫୫ କୋଟି ଟଙ୍କା ବିନିଯୋଗରେ ୨୮ଟି ପ୍ରକଳ୍ପର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏ ସମସ୍ତ ପ୍ରକଳ୍ପ ହେଉଛି ଆଦିବାସୀ ପିଲାଙ୍କ ପାଠ ପଢିବା ପାଇଁ ହଷ୍ଟେଲ। ଜିଲ୍ଲାରେ ଶିକ୍ଷାର ବିକାଶ କ୍ଷେତ୍ରରେ ଏହି ପ୍ରକଳ୍ପ ଗୁଡ଼ିକ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହା ସହିତ ୧୦୬ କୋଟି ଟଙ୍କା ବିନିଯୋଗରେ ୩୫ଟି ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି।

ମାଲକାନଗିରି ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ୧୧ଟି ନୂତନ ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ ଖୋଲାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସମୃଦ୍ଧ ଓଡ଼ିଶା ଗଠନ କରିବା ଲାଗି ଗରିବ, କୃଷକ, ମହିଳା ଓ ଯୁବକ ଏହି ଚାରି ବର୍ଗର ଲୋକଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ମାଲକାନଗିରି ଜିଲ୍ଲାର ପ୍ରାୟ ୧୦ ହଜାର ଆଦିବାସୀ ଲୋକେ ଜନଜାତୀୟ ଗୌରବ ଦିବସରେ ସାମିଲ ହୋଇଥିବା ବେଳେ ଅନେକ ଲୋକ ନିଜ ନିଜ ହାତରେ ଦାବି ପତ୍ରଟିଏ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଦେବା ଲାଗି ଦୀର୍ଘ ସମୟ ଧରି ଠିଆ ହୋଇଥିଲେ। ଆଉ ଶେଷ ନିଜେ ମୁଖ୍ୟମନ୍ତ୍ରୀ ଲୋକଙ୍କ ପାଖରେ ପହଞ୍ଚି ଦାବି ପତ୍ର ଗ୍ରହଣ କରିଥିବାରୁ ଲୋକେ ବେଶ ଖୁସି ହୋଇଛି।

Leave a Reply

Your email address will not be published. Required fields are marked *