ପ୍ରସିଦ୍ଧ ବକ୍ରେଶ୍ୱର ଶୈବପୀଠରେ ଚୋରି: ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟ
ବାଲେଶ୍ବର (ସଂକେତ ଟିଭି): ବାଲେଶ୍ୱର ଜିଲା ଖଇରା ଥାନା ଅନ୍ତର୍ଗତ ଟିପିସଗଡ଼ିଆସ୍ଥିତ ପ୍ରସିଦ୍ଧ ବକ୍ରେଶ୍ୱର ଶୈବପୀଠରୁ ବିଳମ୍ବିତ ରାତିରେ ଚୋରି ହୋଇଥିବା ନେଇ ଖଇରା ଥାନାରେ ଅଭିଯୋଗ ହୋଇଛି।
ଅଭିଯୋଗ ଅନୁଯାୟୀ, ୧୦ରୁ ଊର୍ଦ୍ଧ୍ୱ ଦୁର୍ବୃତ୍ତ ମୁହଁରେ ମୁଖା ପିନ୍ଧି ମନ୍ଦିର ପରିସରରେ ପ୍ରବେଶ କରିଥିଲେ। ସେମାନେ ମନ୍ଦିରରେ ପଡ଼ିଥିବା ସମସ୍ତ ତାଲା ଭାଙ୍ଗିବା ସହ ସିସିଟିଭି କ୍ୟାମେରା ମଧ୍ୟ ନଷ୍ଟ କରିଦେଇଥିଲେ।
ଶିବ ମନ୍ଦିର ସମେତ ଅନ୍ନପୂର୍ଣ୍ଣା ମନ୍ଦିର ଓ ମାଗ୍ଦ ଦୁର୍ଗା ମନ୍ଦିରରୁ ଅଳଙ୍କାର ଏବଂ ଦାନବାକ୍ସ ଭାଙ୍ଗି ସେଥିରେ ଥିବା ଟଙ୍କା ଲୁଟି ନେଇଥିବା ଅଭିଯୋଗରେ ଦର୍ଶାଯାଇଛି। ଲୁଟେରାମାନେ ମନ୍ଦିର ପରିସରରେ ଥିବା ବିଭିନ୍ନ ମନ୍ଦିରରୁ ହୁଣ୍ଡି ଭାଙ୍ଗି ଟଙ୍କା ସମେତ ଲକ୍ଷାଧିକ ଟଙ୍କାର ସୁନା ଓ ରୁପା ନେଇଯାଇଥିବା ଜଣାପଡ଼ିଛି।
ଖବର ପାଇ ଖଇରା ଥାନା ଆଇଆଇସି ପ୍ରଶାନ୍ତ କୁମାର ବେହେରା ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ପୋଲିସ ଘଟଣାର ଛାନଭିନ ଜାରି ରଖିଛି।
