ଡେବ୍ରିଗଡ଼ର ମହାବଳ ବାଘର ପୂର୍ବ ଠିକଣା ମିଳିଲା: ମହାରାଷ୍ଟ୍ରରୁ ଛତିଶଗଡ଼ ଦେଇ ଓଡ଼ିଶା ଆସିଛି
ସମ୍ବଲପୁର(ସଂକେତ ଟିଭି): ଡେବ୍ରିଗଡ଼ ଅଭୟାରଣ୍ୟକୁ ଆସିଥିବା ମହାବଳ ବାଘର ପୂର୍ବ ଠିକଣା ନେଇ ବଡ଼ ସୂଚନା ମିଳିଛି। କ୍ୟାମେରା ଟ୍ରାପ୍ ଫଟୋ ବିଶ୍ଳେଷଣରୁ ଜଣାପଡ଼ିଛି ଯେ ଏହି ବାଘଟି ମହାରାଷ୍ଟ୍ରରୁ ବାହାରି ଛତିଶଗଡ଼ ଦେଇ ଦେବ୍ରିଗଡ଼ରେ ପହଞ୍ଚିଥିଲା। ଛତିଶଗଡ଼ର ଉଦନ୍ତୀ-ସୀତାନଦୀ ଟାଇଗର ରିଜର୍ଭରେ ପ୍ରାୟ ୬ ମାସ କାଳ ଏହି ମହାବଳ ବାଘ ରହିଥିଲା।
ଛତିଶଗଡ଼ ବନ ବିଭାଗ ପକ୍ଷରୁ ମିଳିଥିବା କ୍ୟାମେରା ଟ୍ରାପ୍ ଫଟୋର ଷ୍ଟ୍ରାଇପ୍ ପ୍ୟାଟର୍ଣ୍ଣ ବିଶ୍ଳେଷଣ ପରେ ଏହା ସ୍ପଷ୍ଟ ହୋଇଛି। ୨୦୨୫ ମସିହାରେ ଏହି ବାଘକୁ ଉଦନ୍ତୀ-ସୀତାନଦୀ ଅଭୟାରଣ୍ୟରେ ଠାବ କରାଯାଇଥିଲା। ଗତ ନଭେମ୍ବର ୯ ତାରିଖରେ ଏହି ବାଘ ଡେବ୍ରିଗଡ଼ ଅଭୟାରଣ୍ୟରେ ପ୍ରବେଶ କରିଥିଲା। ଏହିପରି ତିନି ରାଜ୍ୟ ବୁଲି ଦେବ୍ରିଗଡ଼ରେ ପହଞ୍ଚିଛି ମହାବଳ ବାଘ।
ବନ ବିଭାଗର ଅନୁମାନ, ଏହି ବାଘଟି ମୂଳତଃ ମହାରାଷ୍ଟ୍ରରୁ ନିଜର ବିଚରଣ ଆରମ୍ଭ କରିଥାଇପାରେ। ତେବେ ମହାରାଷ୍ଟ୍ରରୁ ଛତିଶଗଡ଼ ଏବଂ ପରେ ଓଡ଼ିଶାକୁ ଆସିବାର ପ୍ରକୃତ ରାସ୍ତା ସମ୍ପର୍କରେ ଏଯାଏଁ କୌଣସି କ୍ୟାମେରା ଟ୍ରାପ୍ ପ୍ରମାଣ ମିଳିନାହିଁ।
ସେପଟେ ବାଘର ବିସ୍ତୃତ ବିଚରଣ ଇତିହାସ ଜାଣିବା ପାଇଁ ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ ବା ଏନଟିସିଏକୁ ଅଧିକ ତଥ୍ୟ ଯୋଗାଇଦେବାକୁ ଅନୁରୋଧ କରିଛି ଡେବ୍ରିଗଡ଼ ବନ ବିଭାଗ।
