ବାଲେଶ୍ୱରରେ ବେଆଇନ ଖଣି ଉପରେ ଚଢ଼ାଉ: ଗୋଟିଏ ଖଣି ଓ ୫ଟି କ୍ରସର ସିଲ୍
ବାଲେଶ୍ୱର (ସଂକେତ ଟିଭି): ବାଲେଶ୍ୱର ଜିଲ୍ଲାରେ ବେଆଇନ ଖଣି, ଖାଦାନ ଏବଂ ଚାଲାଣ ରୋକିବା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ତତ୍ପରତା ଦେଖାଯାଇଛି। ଆଜି ପୂର୍ବାହ୍ନ ୯.୦୦ ଘଟିକା ସମୟରେ ସୋର ତହସିଲ ଅଧିନସ୍ଥ ବାଗୁଡ଼ି ପଥର ଖାଦାନ ଏବଂ କ୍ରସର ଉପରେ ବାଲେଶ୍ୱର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଖଣି ବିଭାଗର ମିଳିତ ସହଯୋଗରେ ଚଢ଼ାଉ କରାଯାଇଥିଲା।
ଏହି କାର୍ଯ୍ୟାନୁଷ୍ଠାନ ସମୟରେ ବାଲେଶ୍ୱର ଜିଲ୍ଲାପାଳ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ମୟୂର ବିକାଶ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀଯୁକ୍ତ ତପନ କୁମାର ଖୁଣ୍ଟିଆ, ବାଲେଶ୍ୱର ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଶିବ ମାଲବ୍ୟ, ଜିଲ୍ଲା ଖଣି ଅଧିକାରୀ, ସୋର ତହସିଲଦାର, ୭ ଜଣ ଆରାଇ ଏବଂ ସୋର ଥାନା ଅଧିକାରୀ, ଏସଡିପିଓ ସହିତ ଅନେକ ସରକାରୀ କର୍ମଚାରୀ ଓ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ। ଜିଲ୍ଲାପାଳ ପଥର ଖନନ ଓ ପଥର କ୍ରସର କାର୍ଯ୍ୟକଳାପର ଚଢ଼ାଉ କରିଛନ୍ତି।
ଏହି ଚଢ଼ାଉ ସମୟରେ ଗୋଟିଏ ପଥର ଖଣିକୁ ଜବତ କରାଯାଇଥିବାବେଳେ ୫ଟି ପଥର କ୍ରସରକୁ ସିଲ୍ କରାଯାଇଛି। ଏହା ସହିତ ଜେସିବି ଓ ପ୍ରୋକ୍ଲିନ୍ ସମେତ ୨୩ଟି ଭାରୀ ଯାନକୁ ଅଟକ ରଖାଯାଇଛି। ୬ଟି କମ୍ପ୍ରେସରକୁ ମଧ୍ୟ ଅଟକ ରଖାଯିବା ସହିତ ୬ ଜଣ ଅପରେଟରଙ୍କୁ ଅଟକ ରଖାଯାଇଛି। ଚଢ଼ାଉ ସମୟରେ ୭ଟି ମୋବାଇଲ୍ ଫୋନ୍ ମଧ୍ୟ ଜବତ କରାଯାଇଛି।
ଖଣି ଅଞ୍ଚଳରେ ବେଆଇନ ପଥର ଖନନ ଓ ଅନିୟମିତତା ରୋକିବା ସହିତ ଖଣି ନିୟମର ଉଲ୍ଲଂଘନ ଉପରେ ରୋକ ଲଗାଇବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏପରି ଯାଞ୍ଚ ଓ ଚଢ଼ାଉ କରାଯାଉଛି। ଖଣି ନିୟମର ଉଲ୍ଲଂଘନ କରୁଥିବା ବ୍ୟକ୍ତି ଓ ସଂସ୍ଥା ବିରୋଧରେ ନିୟମାନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ।
