CrimeFeaturedLatest

ଶିମିଳିପାଳରେ କଳାବାଘ ଶିକାର ମାମଲା: ମୁଖ୍ୟ ଅଭିଯୁକ୍ତ ଗୁଜୁରାଟରୁ ଗିରଫ

ଭଦ୍ରକ (ସଂକେତ ଟିଭି): ବିରଳ ପ୍ରଜାତିର କଳାବାଘ ଶିକାର କରିବାର ଅଭିଯୋଗରେ ଶିକାରୀ ଗ୍ୟାଙ୍ଗର ମୁଖ୍ୟ ଅଭିଯୁକ୍ତ ରବୀନ୍ଦ୍ର ନାଏକ (୨୪) ଗିରଫ ହୋଇଛି। ବନ୍ୟପ୍ରାଣୀ ଅପରାଧ ନିୟନ୍ତ୍ରଣ ବ୍ୟୁରୋ (WCCB) ଏବଂ ଓଡ଼ିଶା ବନ ବିଭାଗର ସହଯୋଗରେ ଗୁଜରାଟରେ ଥିବା ଅଭିଯୁକ୍ତକୁ ଟ୍ରାକ୍ କରି ଗତ ୪ ତାରିଖରେ ଗିରଫ କରାଯାଇଥିଲା। ଅଭିଯୁକ୍ତ ମୟୂରଭଞ୍ଜ ଜିଲ୍ଲାର ଅମ୍ବିକାଦେଇପୁର ଅଞ୍ଚଳର କସିକୁନ୍ଦଲ ଗାଁର ବାସିନ୍ଦା ଥିଲା।

ଏହି ମାମଲା ଶିମିଳିପାଳ ଜାତୀୟ ଉଦ୍ୟାନରେ ଘଟିଥିଲା, ଯେଉଁଠାରେ ଏକ ବିରଳ କଳାବାଘକୁ ଶିକାର କରାଯାଇଥିବାର ଆରୋପ ରହିଛି। ବନ ବିଭାଗ ଏହି ଘଟଣା ପରେ ତଦନ୍ତ ଆରମ୍ଭ କରି ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ଚେଷ୍ଟା ଜାରି ରଖିଛି। ତଦନ୍ତରେ ଜଣାପଡିଛି ଯେ ବନ୍ଧୁକ ବ୍ୟବହାର କରି ବାଘକୁ ହତ୍ୟା କରାଯାଇଥିଲା। ଅଭିଯୁକ୍ତ ରବୀନ୍ଦ୍ରଠାରୁ ୪ଟି ବାଘ ନଖ ମଧ୍ୟ ଜବତ କରାଯାଇଛି।

ଶିମିଳିପାଳ ଜାତୀୟ ଉଦ୍ୟାନରେ କଳାବାଘଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ସତ୍ତ୍ୱେ ଶିକାରୀମାନଙ୍କ କାର୍ଯ୍ୟକଳାପ ଚିନ୍ତାର କାରଣ ହୋଇଛି। ବନ ବିଭାଗ ପକ୍ଷରୁ ବ୍ୟାପକ ପାଟ୍ରୋଲିଂ କରାଯାଉଥିଲେ ମଧ୍ୟ ଶିକାରୀମାନେ ନିଷିଦ୍ଧ କାର୍ଯ୍ୟକଳାପ ଜାରି ରଖିଛନ୍ତି। ଏହି ମାମଲାରେ ଏପର୍ଯ୍ୟନ୍ତ ୧୧ ଜଣକୁ ଗିରଫ କରାଯାଇସାରିଛି, କିନ୍ତୁ ଆହୁରି ୪ ଜଣ ଫରାରିରେ ଅଛନ୍ତି। ଫରାରି ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଛାନବିନ୍ ଜାରି ରହିଛି।

ଅଭିଯୁକ୍ତ ରବୀନ୍ଦ୍ରକୁ ଶନିବାର କୋର୍ଟରେ ଚାଲାଣ କରାଯାଇଥିଲା ଏବଂ ଜାମିନ୍ ନାମଞ୍ଜୁର ହେବା ପରେ ତାକୁ ଜେଲ୍ ପଠାଯାଇଛି। ବନ ବିଭାଗ ଏହି ମାମଲାରେ ସାଇଣ୍ଟିଫିକ୍ ପ୍ରମାଣ ସହିତ ଆଗକୁ କାର୍ଯ୍ୟକ୍ରମ ଜାରି ରଖିଛି।

Leave a Reply

Your email address will not be published. Required fields are marked *