Latest

ଆମେରିକୀୟ ଶୁଳ୍କ ନୀତିକୁ ନେଇ ମୋଦିଙ୍କୁ ଟାର୍ଗେଟ କଲେ ରାହୁଲ

ନୂଆଦିଲ୍ଲୀ:(ସଂକେତ ଟିଭି): କଂଗ୍ରେସ ନେତା ଏବଂ ସାଂସଦ ରାହୁଲ ଗାନ୍ଧୀ ପୁଣିଥରେ କେନ୍ଦ୍ର ସରକାରଙ୍କ ଉପରେ ତୀବ୍ର ଆକ୍ଷେପ କରିଛନ୍ତି। ଏଥର ସେ ଆମେରିକାର ଶୁଳ୍କ ନୀତି ଓ ଭାରତ ସରକାରଙ୍କ ପ୍ରତିକ୍ରିୟାକୁ ନେଇ ମନ୍ତ୍ରୀ ପୀୟୁଷ ଗୋୟଲ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଲକ୍ଷ୍ୟ କରି କଟୁ ମନ୍ତବ୍ୟ ଦେଇଛନ୍ତି।

ରାହୁଲ ଗାନ୍ଧୀ ତାଙ୍କ ଟ୍ୱିଟର ହ୍ୟାଣ୍ଡଲ୍ ମାଧ୍ୟମରେ ଲେଖିଛନ୍ତି, “ପୀୟୁଷ ଗୋୟଲ ଯେତେ ଗର୍ବ କରନ୍ତୁ, ମୋର କଥା ଲେଖି ରଖନ୍ତୁ – ମୋଦି ଚୁପଚାପ ଟ୍ରମ୍ପଙ୍କ ଶୁଳ୍କ ସମୟସୀମା ଆଗରେ ମୁଣ୍ଡ ନୁଆଁଇବେ!” ଏହି ଟିପ୍ପଣୀ ଆସିଛି ଏପରି ସମୟରେ ଯେତେବେଳେ ଭାରତ ଏବଂ ଆମେରିକା ମଧ୍ୟରେ ବାଣିଜ୍ୟ ଶୁଳ୍କ ବିବାଦ ଉପରେ ଉତ୍ତେଜନା ବଢ଼ିଛି।

ଗତ କିଛି ସପ୍ତାହ ମଧ୍ୟରେ, ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତୀୟ ପଣ୍ୟଦ୍ରବ୍ୟ ଉପରେ ଅତିରିକ୍ତ ଶୁଳ୍କ ଆରୋପ କରିବା ନେଇ ଚେତାବନୀ ଦେଇଥିଲେ। ଏହାକୁ ନେଇ ବିରୋଧୀ ଦଳଗୁଡ଼ିକ କେନ୍ଦ୍ର ସରକାରଙ୍କ ନୀୟତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି।

କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ପୀୟୁଷ ଗୋୟଲ ଏହାକୁ ପ୍ରତ୍ୟୁତ୍ତର ଦେଇ କହିଛନ୍ତି, “ଭାରତ କେବଳ ସେତେବେଳେ ବାଣିଜ୍ୟ ଚୁକ୍ତି କରେ ଯେତେବେଳେ ଏହା ଦେଶର ସ୍ୱାର୍ଥ ସୁରକ୍ଷିତ କରେ। ଆମେ ଆମେରିକା, ୟୁରୋପୀୟ ସଂଘ, ନ୍ୟୁଜିଲ୍ୟାଣ୍ଡ ଆଦି ଦେଶମାନଙ୍କ ସହିତ କଥାବାର୍ତ୍ତା କରୁଛୁ, କିନ୍ତୁ କୌଣସି ଚାପରେ ନୁହେଁ।”

ଆମେରିକା ଗତ ମାସରେ ଭାରତ ଉପରେ ୨୬% ଶୁଳ୍କ ଲଗାଇଥିଲେ, ଯାହାକୁ ୯୦ ଦିନ ପାଇଁ ସ୍ଥଗିତ ରଖାଯାଇଥିଲା। ଏହି ଛାଡ଼ ଜୁଲାଇ ୯ ତାରିଖରେ ଶେଷ ହେବାକୁ ଯାଉଛି। ଏହି ପୃଷ୍ଠଭୂମିରେ, ଭାରତ-ଆମେରିକା ମଧ୍ୟରେ ବାଣିଜ୍ୟ ଚୁକ୍ତି ନେଇ ଆଲୋଚନା ଜୋର୍ରେ ଚାଲିଛି।

ରାହୁଲ ଗାନ୍ଧୀଙ୍କ ଟିପ୍ପଣୀକୁ ଏହି ପରିସ୍ଥିତିରେ ଏକ ରାଜନୈତିକ ଆକ୍ରୋଶ ଭାବେ ଦେଖାଯାଉଛି, ଯେତେବେଳେ କି କେନ୍ଦ୍ର ସରକାର ଦାବି କରୁଛନ୍ତି ଯେ ଭାରତ କୌଣସି ବାହ୍ୟ ଚାପରେ ନାହିଁ।

Leave a Reply

Your email address will not be published. Required fields are marked *