ଦୁବାଇରେ ଆରମ୍ଭ ହେଲା ଏସିଆ କପ୍ ଟି-୨୦ କ୍ରିକେଟ୍
ନୂଆଦିଲ୍ଲୀ (ସଂକେତ ଟିଭି): ୟୁଆଇରେ ଏସିଆ କପ୍ ପୁରୁଷ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଜି ଆରମ୍ଭ ହୋଇଛି। ଏହି ପ୍ରତିଯୋଗିତାରେ ଏସିଆର ଶ୍ରେଷ୍ଠ ୮ଟି ଦଳ ଟି-୨୦ ଫର୍ମାଟରେ ଖେଳିବେ। ଭାରତ ଏହି ଟୁର୍ଣ୍ଣାମେଣ୍ଟର ଆୟୋଜକ ହୋଇଥିଲେ ମଧ୍ୟ ପାକିସ୍ତାନ ଖେଳିବାକୁ ନ ଆସିବାରୁ ନିରପେକ୍ଷ ଦେଶ ୟୁଏଇରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଉଛି। ପୂର୍ବରୁ ଏକାଧିକ ହାଇପ୍ରୋଫାଇଲ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାର ଅଭିଜ୍ଞତା ଥିବାରୁ ଭାରତ ଏହି ଭେନ୍ୟୁରେ ଆୟୋଜନ କରିବାକୁ ରାଜି ହୋଇଛି। ଏହା ଫଳରେ ଦୁବାଇ ଓ ଆବୁଧାବିରେ ଥିବା ଦୁଇଟି ଅନ୍ତର୍ଜାତୀୟ ଷ୍ଟାଡିୟମ୍ରେ ଏହି ମ୍ୟାଚ୍ ଆୟୋଜନ କରାଯିବ।
ଟୁର୍ଣ୍ଣାମେଣ୍ଟରେ ଭାଗନେଇଥିବା ୮ଟି ଦଳକୁ ଦୁଇଟି ଗ୍ରୁପ୍ରେ ଭାଗ କରାଯାଇଛି। ଗ୍ରୁପ୍-ଏ’ରେ ଭାରତ, ପାକିସ୍ତାନ, ୟୁଏଇ ଏବଂ ଓମାନ ସ୍ଥାନ ପାଇଛନ୍ତି। ଗ୍ରୁପ୍-ବି’ରେ ଶ୍ରୀଲଙ୍କା, ବାଂଲାଦେଶ, ଆଫଗାନିସ୍ତାନ ଓ ହଂକଂ ସ୍ଥାନ ପାଇଛନ୍ତି। ଗ୍ରୁପ୍ ପର୍ଯ୍ୟାୟରେ ରାଉଣ୍ଡ ରବିନ ଲିଗ୍ ଭିତ୍ତିରେ ଦଳଗୁଡ଼ିକ ଥରେ ଲେଖାଏଁ ମ୍ୟାଚ୍ ଖେଳିବେ। ଏହା ମଧ୍ୟରୁ ଦୁଇ ଶ୍ରେଷ୍ଠ ଦଳ ଗୋଟିଏ ଗ୍ରୁପ୍ ହୋଇଥିବା ସୁପର-୪’କୁ ଉନ୍ନୀତ ହେବେ। ସୁପର-୪’ରେ ମଧ୍ୟ ଗୋଟିଏ ଦଳ ଅନ୍ୟ ସହ ଥରେ ଲେଖାଏଁ ଖେଳିବେ। ଏହା ପରେ ପଏଣ୍ଟ ତାଲିକାରେ ସ୍ଥାନ ପାଇଥିବା ଦୁଇ ଶ୍ରେଷ୍ଠ ଦଳ ଫାଇନାଲ ମୁକାବିଲାରେ ଅବତୀର୍ଣ୍ଣ ହେବେ।
ଏହି ଟୁର୍ଣ୍ଣାମେଣ୍ଟ ସେପ୍ଟେମ୍ବର ୯ରୁ ଆରମ୍ଭ ହୋଇ ୨୮ରେ ଶେଷ ହେବ। ମଙ୍ଗଳବାର ଆରମ୍ଭ ହୋଇଥିବା ଟୁର୍ଣ୍ଣାମେଣ୍ଟରେ ଭାରତ ସେପ୍ଟେମ୍ବର ୧୦ରେ ପ୍ରଥମ ମ୍ୟାଚ୍ ୟୁଏଇ, ୧୪ରେ ଦ୍ୱିତୀୟ ମ୍ୟାଚ୍ ପାକିସ୍ତାନ ଓ ତୃତୀୟ ମ୍ୟାଚ୍ ଓମାନ ସହ ୧୯ରେ ଖେଳିବ। ଭାରତ-ଓମାନ ମୁକାବିଲାଟି ଲିଗ୍ ପର୍ଯ୍ୟାୟରେ ଶେଷ ମ୍ୟାଚ୍ ହେବ।
ଏହି ମେଗା ଇଭେଣ୍ଟର ଟେଲିଭିଜନରେ ପ୍ରସାରଣ ଲାଗି ସୋନି ସ୍ପୋର୍ଟ୍ସ ନେଟ୍ୱର୍କ ଅଧିକାର ହାସଲ କରିଛି। ସୋନି ଲାଇଭ୍ ଆପ୍ ରେ ମଧ୍ୟ ମ୍ୟାଚ୍ର ଲାଇଭ୍ ଷ୍ଟ୍ରିମିଂ ଦେଖାଯାଇପାରିବ। ହଟ୍ଷ୍ଟାରରେ ମଧ୍ୟ ଲାଇଭ୍ ଷ୍ଟ୍ରିମିଂ ଦେଖିବାକୁ ମିଳିବ ବୋଲି ସୂଚନା ମିଳିଛି। ଭାରତୀୟ ସମୟ ଅନୁସାରେ ରାତି ୮ଟାରୁ ମ୍ୟାଚ୍ ଆରମ୍ଭ ହେବ। ଏସିଆ କପ୍ ରେ ମୋଟ ୧୯ଟି ମ୍ୟାଚ୍ ଖେଳାଯିବ।
