FeaturedLatestNews

ପୋଲାଭରମ ପ୍ରକଳ୍ପ: ବିଜେଡିର ଆନ୍ଦୋଳନକୁ ଓହ୍ଲାଇବାର ଚେତାବନୀ

ଭୁବନେଶ୍ୱର (ସଂକେତ ଟିଭି): ଲୋକଙ୍କ ସରକାର ବୋଲି ଡିଣ୍ଡିମ ପିଟୁଥିବା ରାଜ୍ୟର ବିଜେପି ସରକାର ମାଲକାନଗିରି ଓ ଓଡିଶାର ଲୋକଙ୍କ ପ୍ରତି ସମ୍ପୂର୍ଣ୍ଣ ଭାବେ ଅସମ୍ବେଦନଶୀଳ ହୋଇଯାଇଛି ବୋଲି ବିଜୁ ଜନତା ଦଳ (ବିଜେଡି) ଆକ୍ରୋଶ ପ୍ରକାଶ କରିଛି । ପୋଲାଭରମ ପ୍ରକଳ୍ପ ପାଣିରେ ଆଦିମ ଜନଜାତି ପରିବାର ଭାସି ଯିବାକୁ ବସିଲେଣି, କିନ୍ତୁ ନା ମୁଖ୍ୟମନ୍ତ୍ରୀ ନା ତାଙ୍କ ସରକାର ଏଥିରେ ଚିନ୍ତିତ ବୋଲି ଦଳଟି ଅଭିଯୋଗ କରିଛି । ଏପରି ଦୁର୍ଭାଗ୍ୟଜନକ ପରିସ୍ଥିତିରେ ରାଜପଥରେ ଓହ୍ଲାଇବାକୁ ବିଜେଡି ଚେତାବନୀ ଦେଇଛି ।

ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜେଡିର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର, ବିଧାୟକ ମନୋହର ରନ୍ଧାରୀ, ରାଜ୍ୟସଭା ସାଂସଦ ସୁଭାଶିଷ ଖୁଣ୍ଟିଆ ଓ ଗଣମାଧ୍ୟମ ସଂଯୋଜକ ଡଃ ପ୍ରିୟବ୍ରତ ମାଝି ଉପସ୍ଥିତ ଥିଲେ । ଦଳ ପକ୍ଷରେ କହାଯାଇଛି ଯେ, ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ବିଜେଡି ପ୍ରତିନିଧିମଣ୍ଡଳୀ ୨୦୨୪ ଅଗଷ୍ଟରେ ମାଲକାନଗିରିର ପ୍ରଭାବିତ ମୋଟୁ ଅଞ୍ଚଳ ଏବଂ ସେପ୍ଟେମ୍ବରରେ ପୋଲାଭରମ ପ୍ରକଳ୍ପ ସ୍ଥଳୀ ପରିଦର୍ଶନ କରିଥିଲେ । ୨୦୨୪ ଡିସେମ୍ବର ଓ ୨୦୨୫ ଅଗଷ୍ଟରେ ଏହି ଦଳ ଜଳସମ୍ପଦ କେନ୍ଦ୍ରମନ୍ତ୍ରୀ, ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ, ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମ ଏବଂ କେନ୍ଦ୍ରୀୟ ଜଳ କମିଶନ ଅଧ୍ୟକ୍ଷଙ୍କ ସହ ଆଲୋଚନା କରି ସମସ୍ୟା ଉଠାଇଥିଲେ ।

ଦେବୀ ପ୍ରସାଦ ମିଶ୍ର କହିଛନ୍ତି ଯେ ଗୋଦାବରୀ ଜଳ ବିବାଦ ଟ୍ରିବୁନାଲ ଅନୁଯାୟୀ ପ୍ରକଳ୍ପର ବନ୍ୟା ଜଳ ନିଷ୍କାସନ କ୍ଷମତା ୩୬ ଲକ୍ଷ କ୍ୟୁସେକ୍ ଏବଂ ଡ୍ୟାମ୍ ଉଚ୍ଚତା ୧୪୦ ଫୁଟ୍ ରଖାଯାଇଥିଲା । କିନ୍ତୁ ୨୦୦୬ରେ ଓଡିଶାକୁ ଯୋଗ୍ୟତା ନଦେଇ ଏହି କ୍ଷମତାକୁ ୫୦ ଲକ୍ଷ କ୍ୟୁସେକକୁ ବୃଦ୍ଧି କରାଯାଇଥିଲା । ପରିବେଶ ମନ୍ତ୍ରାଳୟ ଦ୍ୱାରା ପ୍ରକଳ୍ପ କାର୍ଯ୍ୟ ରୋକିବା ନିର୍ଦ୍ଦେଶ (ଷ୍ଟପ୍ ୱାର୍କ ଅର୍ଡର୍) ବାରମ୍ବାର ସ୍ଥଗିତ ରଖାଯାଇଛି । ଏହି ସମ୍ପୂର୍ଣ୍ଣ ପ୍ରକ୍ରିୟାରେ ଓଡିଶାର ପ୍ରଭାବିତ ଅଞ୍ଚଳରେ କୌଣସି ସାର୍ବଜନୀନ ଶୁଣାଣି ହୋଇନାହିଁ ।

ମିଶ୍ର ଆହୁରି କହିଛନ୍ତି ଯେ ଆନ୍ଧ୍ରପ୍ରଦେଶ ସରକାରଙ୍କ ବ୍ୟାକ୍ ୱାଟର ଅଧ୍ୟୟନ ଅନୁଯାୟୀ କୋଣ୍ଟା ଅଞ୍ଚଳରେ ଜଳମଗ୍ନତା ସ୍ତର ୨୨୦ ଫୁଟ୍ ହେବ, ଯେଉଁଠାରେ ଓଡିଶା ସରକାରଙ୍କ ଆଇଆଇଟି ରୁଡକୀ ଅଧ୍ୟୟନରେ ଏହା ୨୩୨ ଫୁଟ୍ ବୋଲି ରିପୋର୍ଟ ହୋଇଛି । ବିଜେଡି ଦାବି କରୁଛି ଯେ ପ୍ରକଳ୍ପର ସଂଶୋଧିତ କ୍ଷେତ୍ର ଅନୁଯାୟୀ ଏକ ସ୍ୱତନ୍ତ୍ର ଓ ପ୍ରାଯୁକ୍ତିକ ସଂସ୍ଥା ଦ୍ୱାରା ନୂତନ ବ୍ୟାକ୍ ୱାଟର ଅଧ୍ୟୟନ କରାଯାଇ ପରିବେଶ ଅନୁମତି ନିଆଯାଏ । ବିଜେଡି ଆଦିବାସୀଙ୍କ ପୁନର୍ବାସ ଓ ପୁନସ୍ଥାପନ ଯୋଜନା ପାଇଁ ମଧ୍ୟ ଚାପ ସୃଷ୍ଟି କରିଛି ।

ବିଧାୟକ ମନୋହର ରନ୍ଧାରୀ କହିଛନ୍ତି ଯେ ପ୍ରକଳ୍ପ ସମାପ୍ତ ହେଲେ ହଜାର ହଜାର ଆଦିମ ଆଦିବାସୀଙ୍କ ଜୀବିକା ଓ ସେମାନଙ୍କ ଉପରେ ନିର୍ଭରଶୀଳ ଅନେକ ଜଙ୍ଗଲ ସମ୍ପଦ ନଷ୍ଟ ହେବ । ରାଜ୍ୟସଭା ସାଂସଦ ସୁଭାଶିଷ ଖୁଣ୍ଟିଆ କହିଛନ୍ତି ଯେ ବିଜେଡି ଏହି ପ୍ରସଙ୍ଗ ସଂସଦରେ ବାରମ୍ବାର ଉଠାଇଛି, କିନ୍ତୁ ସନ୍ତୋଷଜନକ ଉତ୍ତର ନମିଳିବାରୁ ପ୍ରକଳ୍ପର ଉଦ୍ଦେଶ୍ୟ ଓ ପାରଦର୍ଶିତା ଉପରେ ସନ୍ଦେହ ସୃଷ୍ଟି ହୋଇଛି । ସେ କହିଛନ୍ତି ଯେ ଦଳ ଆଦିବାସୀଙ୍କ ହିତରେ ଓଡିଶାର ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ସଂଘର୍ଷ ଜାରି ରଖିବ ।

ଡଃ ପ୍ରିୟବ୍ରତ ମାଝି ପ୍ରଶ୍ନ କରିଛନ୍ତି ଯେ ଓଡିଶାରେ ଆଦିବାସୀ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ସରକାର ଥାଇହେଁ ମାଲକାନଗିରିର ହଜାର ହଜାର ଆଦିବାସୀ ପ୍ରଭାବିତ ହେଉଥିବା ବେଳେ ମୁଖ୍ୟମନ୍ତ୍ରୀ କାହିଁକି ନିରବ ରହିଛନ୍ତି । ସେ ଜାଣିବାକୁ ଚାହିଁଛନ୍ତି ଯେ ଗତ ୧୮ ମାସରେ ମୁଖ୍ୟମନ୍ତ୍ରୀ କେନ୍ଦ୍ର ବା ଆନ୍ଧ୍ରପ୍ରଦେଶ ସରକାରଙ୍କୁ କେତୋଟି ଚିଠି ଲେଖିଛନ୍ତି । ସେ ଆକ୍ରୋଶ ପ୍ରକାଶ କରି କହିଛନ୍ତି ଯେ ବିଜେପି ସରକାର ଆଦିବାସୀ ଉନ୍ନତି ପାଇଁ ନାଟକ କରୁଛନ୍ତି, ମୂଳ ଯନ୍ତ୍ରଣାକୁ ଏଡାଇ ଦେଉଛନ୍ତି ।

ବିଜେଡି ନେତାମାନେ ଶେଷରେ ଚେତାବନୀ ଦେଇ କହିଛନ୍ତି ଯେ ଯଦି ଡବଲ୍ ଇଞ୍ଜିନ୍ ସରକାର ଆଦିବାସୀ ଓ ମାଲକାନଗିରି ଲୋକଙ୍କ ସମସ୍ୟାର ସମାଧାନ କରିପାରିବେ ନାହିଁ, ତେବେ ବିଜୁ ଜନତା ଦଳ ସେମାନଙ୍କ ଅଧିକାର ଓ ନ୍ୟାୟ ପାଇଁ ରାସ୍ତାରେ ଆନ୍ଦୋଳନ କରିବାକୁ ବାଧ୍ୟ ହେବ ।