ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚନର ତାରିଖ ଘୋଷିତ, ଜାନୁଆରୀ ୨୦ରେ ନୂଆ ନେତା
ନୂଆଦିଲ୍ଲୀ(ସଂକେତ ଟିଭି): ଭାରତୀୟ ଜନତା ପାର୍ଟି (ବିଜେପି)ର ନୂତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚନ ପାଇଁ ନୋଟିଫିକେସନ ଜାରି କରାଯାଇଛି। ଏହି ନିର୍ବାଚନ ପ୍ରକ୍ରିୟା ଅନୁଯାୟୀ ଆସନ୍ତା ଜାନୁଆରୀ ୨୦ ତାରିଖରେ ଦଳକୁ ଜଣେ ନୂତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ମିଳିବେ ବୋଲି ଆକାଂକ୍ଷା କରାଯାଉଛି।
ନିର୍ବାଚନ କାର୍ଯ୍ୟକ୍ରମ ଅନୁଯାୟୀ, ଜାନୁଆରୀ ୧୬ ତାରିଖରେ ନିର୍ବାଚକ ମଣ୍ଡଳୀର ମତଦାତାଙ୍କ ତାଲିକା ପ୍ରକାଶିତ ହେବ। ଜାନୁଆରୀ ୧୯ ତାରିଖରେ ଅପରାହ୍ନ ୨ଟାରୁ ୪ଟା ଯାଏଁ ପଦବୀ ପାଇଁ ନାମାଙ୍କନ ଦାଖଲ କରାଯିବ। ଏହାପରେ ଅପରାହ୍ନ ୪ଟାରୁ ୫ଟା ଯାଏଁ ନାମାଙ୍କନ ଯାଞ୍ଚ ହେବ ଏବଂ ୫ଟାରୁ ୬ଟା ମଧ୍ୟରେ ନାମାଙ୍କନ ପ୍ରତ୍ୟାହାର କରାଯାଇପାରିବ। ଆବଶ୍ୟକ ସ୍ଥଳେ ଭୋଟିଂ ହେବା ସମ୍ଭାବନା ରହିଛି। ଶେଷରେ ଜାନୁଆରୀ ୨୦ ତାରିଖରେ ଦଳର ନୂତନ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ନାମ ଘୋଷଣା କରାଯିବ।
ବର୍ତ୍ତମାନ ଦଳର କାର୍ଯ୍ୟକାରୀ ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବରେ ନୀତିନ ନବୀନ କାର୍ଯ୍ୟ କରିଛନ୍ତି। ଅନୁମାନ କରାଯାଉଛି ଯେ, ଗତ ବର୍ଷ ଡିସେମ୍ବର ୧୪ ତାରିଖରେ ଦଳର ଜାତୀୟ କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତି ପରଠାରୁ ନୀତିନ ନବୀନ ହିଁ ଏହି ପଦବୀ ପାଇଁ ଆଗ୍ରହୀ ଥିବାରୁ ସେଇ ଦିଗରେ ଜନରବ ଥିଲା। ମାନ୍ୟବର ନୀତିନ ନବୀନ ଏଥି ପାଇଁ ନାମାଙ୍କନ ଦାଖଲ କରିବେ ଏବଂ ସେ ନିର୍ବିବାଦରେ ନୂତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବରେ ନିର୍ବାଚିତ ହେବେ ବୋଲି ଦଳ ମଧ୍ୟରେ ରାୟ ରହିଛି।
