ଏମସିଏଲରେ ସିବିଆଇ ଚଢାଉ, ଚୋରା କୋଇଲା ଖଣି ଚାଲିଥିବା ନେଇ ଅଭିଯୋଗ
ଭୁବନେଶ୍ବର (ସଂକେତ ଟିଭି): ସୁନ୍ଦରଗଡ଼ ଜିଲ୍ଲାର ଏମସିଏଲ (ମାଇନିଂ କର୍ପୋରେଶନ ଲିମିଟେଡ୍) ଅଞ୍ଚଳରେ ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନ ଚଳାଇଲା କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥା (ସିବିଆଇ)। ଦିଲ୍ଲୀରୁ ଆସିଥିବା ଏକ ୩ ଜଣିଆ ଟିମ୍ ଏହି ଚଢ଼ାଉ କରିଥିଲେ।
ଏହି ଅଭିଯାନର ପୃଷ୍ଠଭୂମିରେ ରହିଛି ସୁନ୍ଦରଗଡ଼ ଏମସିଏଲ ନିକଟବର୍ତ୍ତୀ ଜଙ୍ଗଲ ଅଞ୍ଚଳରେ ବର୍ଷବର୍ଷ ଧରି ଚୋରା କୋଇଲା ଖଣି ଚାଲିଥିବା ଗୁରୁତ୍ଵପୂର୍ଣ୍ଣ ଅଭିଯୋଗ। ଏହି ଅଭିଯୋଗ ଉପରେ ରାଜ୍ୟ ସରକାର ପୂର୍ବରୁ ଭିଜିଲାନ୍ସ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ତେବେ ସଦର ବିଧାୟକ ଏହି ମାମଲାର ତଦନ୍ତ ଭାର ସିବିଆଇକୁ ଦିଆଯାଉ ବୋଲି ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ।
ସୁନ୍ଦରଗଡ଼ ବିଧାୟକ ଶ୍ରୀ ଯୋଗେଶ ସିଂ ଏହି ସିବିଆଇ ଚଢ଼ାଉକୁ ଉପଯୁକ୍ତ ବୁଝିଛନ୍ତି। ସେ କହିଛନ୍ତି ଯେ ଗତ ବର୍ଷ ଏପ୍ରିଲ୍ ମାସରେ ଏହି ଚୋରା କୋଇଲା ଖଣିର ରହସ୍ୟ ବାହାରିଥିଲା ଏବଂ ତା’ପରଠୁ ଏହାର ତଦନ୍ତ ଭାର ସିବିଆଇ ହାତକୁ ଦେବାକୁ ଦାବି ଉଠିଥିଲା। ସିବିଆଇ ନିରପେକ୍ଷ ତଦନ୍ତ କରି ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରିବା ସହ ଏହି ଚୋରି ମାମଲାରେ ଜଡ଼ିତ ସମସ୍ତଙ୍କୁ ଧରାବାଡ଼ କରିବେ ବୋଲି ସେ ଆଶା ପ୍ରକାଶ କରିଛନ୍ତି।
