EducationFeaturedLatestNews

ଫକୀର ମୋହନ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ସମାରୋହରେ ଯୋଗଦେଲେ ରାଷ୍ଟ୍ରପତି

ବାଲେଶ୍ବର (ସଂକେତ ଟିଭି): ବାଲେଶ୍ୱର ଫକୀର ମୋହନ ବିଶ୍ୱବିଦ୍ୟାଳୟର ୧୨ଷ୍ଠ ସମାବର୍ତ୍ତନ ସମାରୋହ ଆଜି ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଶୁଭ ଉପସ୍ଥିତିରେ ଅନୁଷ୍ଠିତ ହେଲା। ସ୍ଥାନୀୟ ସମୟ ପ୍ରାୟ ୧୨.୧୦ ମିନିଟ୍‌ରେ ହେଲିକପ୍ଟର ରେ ଅବତରଣ କରି ମହାମହିମଙ୍କୁ ରାଜ୍ୟପାଳ ଶ୍ରୀ ହରିବାବୁ କାମ୍ଭାମପତି, ଡିଆଇଜି ପିନାକ ମିଶ୍ର, ଜିଲ୍ଲାପାଳ ଶ୍ରୀ ସୂର୍ଯ୍ୟବଂଶୀ ମୟୂର ବିକାଶ ଓ ଆରକ୍ଷୀ ଅଧୀକ୍ଷକ ଶ୍ରୀ ପ୍ରତ୍ୟୁଷ ଦିବାକର ସ୍ୱାଗତ କରିଥିଲେ।

କାର୍ଯ୍ୟକ୍ରମ ଆରମ୍ଭରେ ମହାମହିମ ରାଷ୍ଟ୍ରପତି ବିଶ୍ୱବିଦ୍ୟାଳୟ ପରିସରରେ ଥିବା ଫକୀର ମୋହନ ସେନାପତିଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପାଞ୍ଜଳି ଦେଇଥିଲେ। ଏହାପରେ ସେ ଏକ ନୂତନ ଅଡିଟୋରିୟମ୍‌ର ଉଦ୍‌ଘାଟନ କରିବା ସହ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ।

ସମାବର୍ତ୍ତନ ଅଭିଭାଷଣରେ ମହାମହିମ ରାଷ୍ଟ୍ରପତି ଫକୀର ମୋହନଙ୍କ ସାହିତ୍ୟିକ ଅବଦାନ ଓ କନ୍ୟା ଶିକ୍ଷା ପ୍ରତି ତାଙ୍କର ପ୍ରତିଶ୍ରୁତିକୁ ସ୍ମରଣ କରି ଛାତ୍ରଛାତ୍ରୀଙ୍କୁ ନୈତିକତା, ସତ୍ୟନିଷ୍ଠା ଓ ସାମାଜିକ ଦାୟିତ୍ୱବୋଧ ରଖିବାକୁ ଆହ୍ୱାନ ଜଣାଇଥିଲେ। ତାଙ୍କର କଥନ, “ଏ ମାଟି କେବଳ ରତ୍ନଗର୍ଭା ନୁହଁ, ମାଟିର ମା’ମାନେ ମଧ୍ୟ ରତ୍ନଗର୍ଭା…” ସମସ୍ତଙ୍କୁ ଆନ୍ଦୋଳିତ କରିଥିଲା। ଅଟଳ ବିହାରୀ ବାଜପେୟୀଙ୍କୁ ସ୍ମରଣ କରି ତାଙ୍କ ଅବଦାନକୁ ମଧ୍ୟ ସେ ମନେ ପକାଇଥିଲେ।

ଏହି ବର୍ଷ ସମାବର୍ତ୍ତନରେ ମୋଟ ୧,୮୩୧ ଜଣ ସ୍ନାତକ ଓ ସ୍ନାତକୋତ୍ତର ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ଓ ପଦକ ପ୍ରଦାନ କରାଯାଇଥିଲା। ଗତ ତିନି ବର୍ଷ ମଧ୍ୟରେ ବିଶ୍ୱବିଦ୍ୟାଳୟ ୧୦୧ଟି ସ୍ୱର୍ଣ୍ଣପଦକ ପ୍ରଦାନ କରିଛି ଏବଂ ୮୯ ଜଣ ଗବେଷକ ପିଏଚ୍.ଡି. ଡିଗ୍ରୀ ଲାଭ କରିଛନ୍ତି। ବିଶେଷ ସମ୍ମାନ ରୂପେ ଡକ୍ଟରେଟ୍ ଡିଗ୍ରୀ ପ୍ରଦାନ କରାଯାଇଥିଲା କ୍ରୀଡାବିତ୍ ଅନୁରାଧା ବିଶ୍ୱାଳ, ସାହିତ୍ୟିକ ସନ୍ତନୁ କୁମାର ଆଚାର୍ଯ୍ୟ ଓ ଶାସ୍ତ୍ରୀୟ ସଙ୍ଗୀତଜ୍ଞ ଗୋପାଳ ଚନ୍ଦ୍ର ପାଣ୍ଡାଙ୍କୁ।

କାର୍ଯ୍ୟକ୍ରମରେ ରାଜ୍ୟପାଳ ଶ୍ରୀ କାମ୍ଭାମପତି ଶିକ୍ଷାର ସାମାଜିକ ଗୁରୁତ୍ୱ ଉପରେ ଗୁରୁତ୍ଵାରୋପ କରିଥିଲେ। ଉପକୁଳପତି ପ୍ରଫେସର୍ ସନ୍ତୋଷ କୁମାର ତ୍ରିପାଠୀ ବିଶ୍ୱବିଦ୍ୟାଳୟର କାର୍ଯ୍ୟପ୍ରଣାଳୀ ଉପରେ ରିପୋର୍ଟ ପ୍ରଦାନ କରିଥିଲେ। ମାନ୍ୟବର ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ ରାଜ୍ୟରେ ଉଚ୍ଚଶିକ୍ଷାର ନୂତନ ନୀତି ଓ ପଦକ୍ଷେପ ବିଷୟରେ ଆଲୋଚନା କରିଥିଲେ।

ଏହି ସମାରୋହରେ ସାଂସଦ ଶ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ, ବାଲେଶ୍ୱର, ନୀଳଗିରି, ସିମୁଳିଆ ଓ ରେମୁଣା (ଉପମୁଖ୍ୟ ସଚେତକ) ବିଧାୟକମାନେ, ଉଚ୍ଚପଦସ୍ଥ ପ୍ରଶାସନିକ ଅଧିକାରୀ, ଶିକ୍ଷାବିତ୍ ଓ ବହୁସଂଖ୍ୟକ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ପ୍ରଫେସର୍ ନିହାର ରଞ୍ଜନ ରାଉତଙ୍କ ସଫଳ ମଞ୍ଚ ସଂଚାଳନାରେ କାର୍ଯ୍ୟକ୍ରମ ସମାପ୍ତ ହୋଇଥିଲା।