ବିଜେପି ଛାଡ଼ିଲେ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ
ବାଲେଶ୍ବର (ସଂକେତ ଟିଭି): ରାଜ୍ୟ ରାଜନୀତିରେ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ଘଟିଛି। ପୂର୍ବତନ ବିଧାୟକ ତଥା ବରିଷ୍ଠ ନେତା ଜୀବନ ପ୍ରଦୀପ ଦାଶ ଭାରତୀୟ ଜନତା ପାର୍ଟି (ବିଜେପି)ରୁ ଇସ୍ତଫା ଦେଇଛନ୍ତି। ରବୀନ୍ଦ୍ର ଜେନାଙ୍କୁ ଦଳରେ ସାମିଲ୍ କରାଯିବା ପରେ ସେ ଏହି ନିଷ୍ପତ୍ତି ନେଇଛନ୍ତି। ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଦାଶ ନିଜ ଇସ୍ତଫାର କାରଣ ବିସ୍ତୃତ ଭାବେ ବର୍ଣ୍ଣନା କରିଛନ୍ତି।
ଶ୍ରୀ ଦାଶ କହିଛନ୍ତି ଯେ, ୨୦୨୪ ନିର୍ବାଚନରେ ଓଡ଼ିଶାରେ ବିଜେପି କ୍ଷମତାକୁ ଆସିବା ପରେ ଦଳର ନୈତିକ ପତନ ଘଟିଛି। ଦଳ ଏବେ ମୂଲ୍ୟବୋଧଯୁକ୍ତ ରାଜନୀତିଠାରୁ ଦୂରେଇ ଯାଇଥିବା ସେ ଅଭିଯୋଗ କରିଛନ୍ତି। “ଦୀର୍ଘ ବର୍ଷ ଦଳରୁ ଦୂରରେ ରହିବା ପରେ ୨୦୨୧ ମସିହାରେ ବହୁ ଆଶା ନେଇ ବିଜେପିରେ ଯୋଗ ଦେଇଥିଲି। ଜୀବନର ଶେଷ ଦିନଗୁଡ଼ିକ ଏହି ଦଳରେ ରହି ସଂଗଠନ କାର୍ଯ୍ୟ କରି କଟାଇବି ବୋଲି ଭାବିଥିଲି। ବିଗତ ପାଞ୍ଚ ବର୍ଷରୁ ଅଧିକ ସମୟ ଧରି ଦଳ ମୋତେ ଯେଉଁ ଦାୟିତ୍ବ ଦେଇଛି, ତାକୁ ମୁଁ ସୂଚାରୁ ରୂପେ ପାଳନ କରିଛି। ପଶ୍ଚିମବଙ୍ଗ ସାଧାରଣ ନିର୍ବାଚନ, ପିପିଲି ଉପନିର୍ବାଚନ, ଦଳୀୟ ସଦସ୍ୟତା ସଂଗ୍ରହ ଓ ଅନ୍ୟାନ୍ୟ ଜିଲ୍ଲାରେ ସାଙ୍ଗଠନିକ କାର୍ଯ୍ୟରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲି। କିନ୍ତୁ ବର୍ତ୍ତମାନ ଦଳର ଯେଉଁ ଦିଗ ବଦଳୁଛି, ତାହା ମୋ ପାଇଁ ଗ୍ରହଣୀୟ ନୁହେଁ,” ବୋଲି ସେ କହିଛନ୍ତି।
ପୂର୍ବତନ ବିଧାୟକ ଜଣକ ନିଜ ଇସ୍ତଫାର ମୁଖ୍ୟ କାରଣ ଭାବେ ଜଣେ ଚିଟ୍ଫଣ୍ଡ ଅଭିଯୁକ୍ତଙ୍କୁ ଦଳରେ ସାମିଲ କରାଯିବାକୁ ଦର୍ଶାଇଛନ୍ତି। “ଜଣେ ଚିଟ୍ଫଣ୍ଡ ଅଭିଯୁକ୍ତ, ଯାହା ଉପରେ ସିବିଆଇ ମାମଲା ଚାଲିଛି ଏବଂ ଯିଏ ଜାମିନରେ ଅଛନ୍ତି, ତାଙ୍କୁ ଦଳରେ ସାମିଲ କରାଯାଇଛି। ଏହା ରାଜ୍ୟ ବିଜେପିର ଇତିହାସରେ ପ୍ରଥମ ଘଟଣା। ମୂଲ୍ୟବୋଧଯୁକ୍ତ ରାଜନୀତିରୁ ଦୂରେଇ ଯାଇ କ୍ଷମତାର ମୋହରେ ଅନ୍ଧ ହୋଇ ରାଜ୍ୟ ନେତୃତ୍ଵ ସମସ୍ତ ନୈତିକତା ହରାଇଛନ୍ତି। ଏହି ବ୍ୟକ୍ତିଙ୍କ ଘରେ ସିବିଆଇ ରେଡ୍ ହୋଇଥିବା ପ୍ରସଙ୍ଗରେ ଆମ ସାଂସଦଙ୍କ ବିବୃତ୍ତି ମଧ୍ୟ ସମସ୍ତେ ଜାଣିଛନ୍ତି,” ବୋଲି କହି ସେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି।
ଆସନ୍ତା ରାଜ୍ୟସଭା ନିର୍ବାଚନକୁ ନେଇ ମଧ୍ୟ ଶ୍ରୀ ଦାଶ ତୀକ୍ଷ୍ଣ ସମାଲୋଚନା କରିଛନ୍ତି। “ତୃତୀୟ ପ୍ରାର୍ଥୀ ପାଇଁ ଆବଶ୍ୟକ ସଂଖ୍ୟା ନଥିବା ସତ୍ତ୍ବେ ‘ଘୋଡ଼ା ବେପାର’କୁ ପ୍ରୋତ୍ସାହନ ଦେଇ ଗଣତନ୍ତ୍ରକୁ ହତ୍ୟା କରାଯାଇଛି। ବିଜେପିର ମୂଳ ବିଚାର ଥିଲା ଗଣତନ୍ତ୍ରର ସୁରକ୍ଷା, କିନ୍ତୁ ଦଳର ଆଭ୍ୟନ୍ତରୀଣ ଗଣତନ୍ତ୍ର ଲୋପ ପାଇସାରିଛି। ଏବେ ଜଣେ ନେତାଙ୍କ କଥାରେ ସଭାପତି ଚୟନ ହେଉଛନ୍ତି ଏବଂ ରାଜ୍ୟସଭା ନିର୍ବାଚନରେ ଦଳ ସମସ୍ତ ନୀତି ନୈତିକତା ହରାଇ ବସିଛି,” ବୋଲି ସେ କହିଛନ୍ତି।
ଦଳରେ ଆଉ ଅଧିକ ସମୟ ରହିବା ସମ୍ଭବ ନୁହେଁ ବୋଲି କହି ଶ୍ରୀ ଦାଶ ଭାରତୀୟ ଜନତା ପାର୍ଟିର ସାଧାରଣ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ତେବେ ନିଜର ଭବିଷ୍ୟତ କାର୍ଯ୍ୟପନ୍ଥା ବାବଦରେ ସେ କୌଣସି ନିଷ୍ପତ୍ତି ନେଇନଥିବା ସ୍ପଷ୍ଟ କରିଛନ୍ତି।
