ପଶ୍ଚିମବଙ୍ଗ ଓ କେରଳରେ ବିଜେପିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା
ନୂଆଦିଲ୍ଲୀ (ସଂକେତ ଟିଭି): କେରଳ ସମେତ ୪ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ବିଧାନସଭା ନିର୍ବାଚନ ତାରିଖ ଘୋଷଣାର ଦିନକ ପରେ ଭାରତୀୟ ଜନତା ପାର୍ଟି (ବିଜେପି) ପଶ୍ଚିମବଙ୍ଗ ଓ କେରଳ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ସୋମବାର ଦିନ ବିଜେପି ପଶ୍ଚିମବଙ୍ଗର ୧୪୪ଟି ଆସନ ଓ କେରଳର ୪୭ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।
ବିଜେପିର ଏହି ତାଲିକାରେ ରାଜ୍ୟର ଦୁଇ ପ୍ରମୁଖ ନେତା ଶୁଭେନ୍ଦୁ ଅଧିକାରୀ ଓ ଦିଲୀପ ଘୋଷଙ୍କ ନାମ ସାମିଲ ରହିଛି। ଦିଲୀପ ଘୋଷ ଖଡ଼ଗପୁର ସଦର ଆସନରୁ ପ୍ରାର୍ଥୀ ହୋଇଥିବାବେଳେ ଶୁଭେନ୍ଦୁ ଅଧିକାରୀ ଦୁଇଟି ଆସନରୁ ନିର୍ବାଚନ ଲଢ଼ିବେ। ସେ ଭବାନୀପୁର ଓ ନନ୍ଦିଗ୍ରାମ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ଭବାନୀପୁର ଆସନରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସେ କଡ଼ା ଟକ୍କର ଦେବେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ଏହାଛଡ଼ା ଅଗ୍ନିମିତ୍ର ପଲ୍ ଆସନସୋଲ ଦକ୍ଷିଣ ଏବଂ ରାଜ୍ୟସଭା ସାଂସଦ ସ୍ୱପନ ଦାସଗୁପ୍ତା ରାସ୍ବିହାରୀ ନିର୍ବାଚନ ମଣ୍ଡଳୀରୁ ଲଢ଼ିବେ। ପଶ୍ଚିମବଙ୍ଗରେ ଦୁଇଟି ପର୍ଯ୍ୟାୟରେ ଏପ୍ରିଲ ୨୩ ଓ ଏପ୍ରିଲ ୨୯ରେ ଭୋଟ୍ ଗ୍ରହଣ ଅନୁଷ୍ଠିତ ହେବ। ୨୦୨୧ ନିର୍ବାଚନରେ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ୨୧୫ ଆସନ ହାସଲ କରି ସରକାର ଗଠନ କରିଥିବାବେଳେ ବିଜେପି ୭୭ଟି ଆସନ ଜିତି ବିରୋଧୀ ଦଳର ଭୂମିକା ନିର୍ବାହ କରିଥିଲା।
ସେହିପରି କେରଳ ପାଇଁ ଘୋଷିତ ତାଲିକାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଓ ପୂର୍ବତନ ରାଜ୍ୟ ବିଜେପି ସଭାପତି କେ. ସୁରେନ୍ଦ୍ରନ୍ ପ୍ରମୁଖ ପ୍ରାର୍ଥୀ ଭାବରେ ଅଛନ୍ତି। ରାଜୀବ ଚନ୍ଦ୍ରଶେଖର ନେମୋମ୍ ନିର୍ବାଚନ ମଣ୍ଡଳୀରୁ ଓ କେ. ସୁରେନ୍ଦ୍ରନ୍ ମଞ୍ଜେଶ୍ୱରରୁ ନିର୍ବାଚନ ଲଢ଼ିବେ। ଏହି ତାଲିକାରେ ପୂର୍ବତନ ଜାତୀୟ ମହିଳା ମୋର୍ଚ୍ଚା ଅଧ୍ୟକ୍ଷା ଶୋଭା ସୁରେନ୍ଦ୍ରନ୍ଙ୍କୁ ପାଲକ୍କାଡ଼, ନବ୍ୟା ହରିଦାସଙ୍କୁ କୋଝିକୋଡ଼ ଏବଂ ପଦ୍ମଜା ବେନୁଗୋପାଳଙ୍କୁ ଥ୍ରିସୁର୍ ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ କରାଯାଇଛି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭି. ମୁରଲୀଧରନ୍ କାଝାକୁଟ୍ଟମ୍ ଓ ପିସି ଜର୍ଜ ପୁଞ୍ଜୁରରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। କେରଳରେ ଗୋଟିଏ ପର୍ଯ୍ୟାୟରେ ଏପ୍ରିଲ ୯ ତାରିଖରେ ମତଦାନ ଗ୍ରହଣ କରାଯିବ ଏବଂ ମେ’ ୪ ତାରିଖରେ ଭୋଟ୍ ଗଣତି ହେବ। କେରଳ ବିଧାନସଭାରେ ୧୪୦ଟି ଆସନ ରହିଛି। ବର୍ତ୍ତମାନ ସେଠାରେ ପିନାରାୟି ବିଜୟନ୍ଙ୍କ ନେତୃତ୍ୱାଧୀନ ବାମପନ୍ଥୀ ସରକାର (ଏଲଡିଏଫ୍) କ୍ଷମତାରେ ଅଛନ୍ତି।
