FeaturedGeneralLatest

ପଶ୍ଚିମ ଏସିଆ ସଙ୍କଟ ନେଇ ୫ ଦେଶର ନେତାଙ୍କ ସହ କଥାବାର୍ତ୍ତା କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ (ସଂକେତ ଟିଭି): ଯୁଦ୍ଧ ଯୋଗୁ ପଶ୍ଚିମ ଏସିଆ ଅଶାନ୍ତ ହୋଇପଡ଼ିଥିବା ବେଳେ ଭାରତ ସରକାର ନିଜ ବୈଦେଶିକ କୂଟନୀତିକୁ ମଜବୁତ ରଖିବାକୁ ଉଦ୍ୟମ ଜାରି ରଖିଛନ୍ତି। ଏହି କ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ୨୪ ଘଣ୍ଟାରେ ୫ଟି ଦେଶ ଯଥା ମାଲେସିଆ, ଓମାନ, କୁଏତ, ଫ୍ରାନ୍ସ ଓ ଜୋର୍ଡାନର ନେତାଙ୍କ ସହ କଥା ହୋଇଛନ୍ତି।

ପ୍ରଧାନମନ୍ତ୍ରୀ ଗୁରୁବାର ମାଲେସିଆ ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମଙ୍କ ସହ ଫୋନରେ କଥା ହୋଇଛନ୍ତି। ଏହି ଅବସରରେ ମୋଦି ତାଙ୍କୁ ଇଦ୍ ଉଲ୍-ଫିତରର ଶୁଭେଚ୍ଛା ଜଣାଇଛନ୍ତି। ଏହାପରେ ‘ଏକ୍ସ’ରେ ମୋଦି ଲେଖିଛନ୍ତି, “ବନ୍ଧୁ ଅନୱର ଇବ୍ରାହିମଙ୍କ ସହ କଥା ହୋଇଛି। ପଶ୍ଚିମ ଏସିଆରେ ଜାରି ରହିଥିବା ସଙ୍କଟ ନେଇ ତାଙ୍କ ସହ ଆଲୋଚନା କରିଛି। ଆଲୋଚନା ଓ କୂଟନୀତି ଜରିଆରେ ଆଗୁଆ ଶାନ୍ତି ଓ ସ୍ଥିରତା ଆସିବା ନେଇ ଆମେ ଏକମତ ହୋଇଛୁ।”

ସେହିପରି ପ୍ରଧାନମନ୍ତ୍ରୀ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନଙ୍କୁ ଫୋନ କରି ମଧ୍ୟପ୍ରାଚ୍ୟ ସ୍ଥିତି ସଂକ୍ରାନ୍ତରେ ଚର୍ଚ୍ଚା କରିଛନ୍ତି। ଗୁରୁବାର ସେ ଏହି ସୂଚନା ‘ଏକ୍ସ’ରେ ଦେଇଛନ୍ତି। ମୋଦି କହିଛନ୍ତି, “ପରିସ୍ଥିତିକୁ ଶାନ୍ତ କରିବା ଏବଂ ଆଲୋଚନା ଓ କୂଟନୀତି ରାସ୍ତାକୁ ଆପଣାଇବା ଉଚିତ୍।” ଏହାଛଡ଼ା ମୋଦି ଓମାନର ସୁଲତାନ ହାଇଥମ୍ ବିନ୍ ତାରିକଙ୍କ ସହ ମଧ୍ୟ କଥା ହୋଇଛନ୍ତି।

ଏହା ପୂର୍ବରୁ ବୁଧବାର ମୋଦି କୁଏତର କ୍ରାଉନ ପ୍ରିନ୍ସ ଶେଖ ସବାହ ଅଲ-ଖାଲିଦ୍ ଅଲ-ହମଦ୍ ଅଲ-ମୁବାରକ ଅଲ୍-ସବାହଙ୍କ ସହ ଫୋନରେ କଥା ହୋଇଥିଲେ। ଏହି ସମୟରେ ସେ କ୍ରାଉନ ପ୍ରିନ୍ସଙ୍କୁ ଇଦର ଆଗୁଆ ଶୁଭକାମନା ଜଣାଇଥିଲେ। ଉଭୟ ନେତା ଇସ୍ରାଏଲ୍-ଇରାନ ଯୁଦ୍ଧ ମଧ୍ୟରେ ପଶ୍ଚିମ ଏସିଆର ବର୍ତ୍ତମାନର ସ୍ଥିତି ସମ୍ପର୍କରେ ଚର୍ଚ୍ଚା କରିଥିଲେ। ଏତଦ୍ବ୍ୟତୀତ, ମୋଦି ଜୋର୍ଡାନ ରାଜା ଅବଦୁଲ୍ଲା ଦ୍ୱିତୀୟଙ୍କ ସହ ଫୋନରେ କଥା ହୋଇ ପଶ୍ଚିମ ଏସିଆ ସଙ୍କଟ ନେଇ ଚର୍ଚ୍ଚା କରିଛନ୍ତି। ଅଞ୍ଚଳରେ ଶାନ୍ତି ଓ ସ୍ଥିରତା ପାଇଁ ଆଲୋଚନା ଓ କୂଟନୀତିକୁ ଫୋକସ୍ କରିବା ଲାଗି ଉଭୟ ଜୋର ଦେଇଛନ୍ତି।