EducationFeaturedLatestNews

ଛାତ୍ରକୁ କୁକୁର କାମୁଡ଼ା ଘଟଣା : ସ୍କୁଲ୍ ଗେଟ୍‌ରେ ତାଲା ପକାଇଲେ ଗ୍ରାମବାସୀ

ବାଲେଶ୍ବର (ସଂକେତ ଟିଭି): ବାଲେଶ୍ୱର ଜିଲ୍ଲାର ଖନ୍ତାପଡ଼ା ଥାନା ଅନ୍ତର୍ଗତ ରସଲପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ସ୍ଥାନୀୟ ସତ୍ୟନାରାୟଣ ସରକାରୀ ନୋଡାଲ ହାଇସ୍କୁଲର ଜଣେ ଛାତ୍ରଙ୍କୁ ବୁଲା କୁକୁର ଆକ୍ରମଣ କରିବା ପରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇପଡ଼ିଛି। ଏହି ଘଟଣାର ପ୍ରତିବାଦରେ ବୁଧବାର ଦିନ ସ୍ଥାନୀୟ ଲୋକେ ଏବଂ ସ୍କୁଲ ପରିଚାଳନା କମିଟି (SMC) ସଦସ୍ୟମାନେ ସ୍କୁଲ ଗେଟ୍‌ରେ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ସେମାନେ ପ୍ରଶାସନ ନିକଟରେ ଦାବି ଜଣାଇଛନ୍ତି।

ଘଟଣାର ସୂଚନା ଅନୁଯାୟୀ, ଗତ ମଙ୍ଗଳବାର ଦିନ ଜଣେ ଛାତ୍ର ସ୍କୁଲ ଶୌଚାଳୟକୁ ଯାଉଥିବା ବେଳେ ହଠାତ୍ ଏକ ବୁଲା କୁକୁର ତାଙ୍କୁ ଆକ୍ରମଣ କରିଥିଲା। କୁକୁରଟି ଛାତ୍ରଙ୍କର ଡାହାଣ ହାତ ବୁଢ଼ା ଆଙ୍ଗୁଠିକୁ ଗୁରୁତର ଭାବେ କାମୁଡ଼ି ଦେବା ସହ ଶରୀରର ଅନ୍ୟ ଅଙ୍ଗକୁ ମଧ୍ୟ କ୍ଷତାକ୍ତ କରିଥିଲା। ଛାତ୍ରଙ୍କ ଚିତ୍କାର ଶୁଣି ସହପାଠୀମାନେ ଘଟଣାସ୍ଥଳରେ ପହଞ୍ଚି କୁକୁରକୁ ଘଉଡ଼ାଇ ଥିଲେ।

ପରେ ଆହତ ଛାତ୍ରଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ (DHH) ରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସ୍ଥିତି ଗୁରୁତର ହେବାରୁ ଡାକ୍ତର ତାଙ୍କୁ ଉନ୍ନତ ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲ (S.C.B.) କୁ ସ୍ଥାନାନ୍ତର କରିଛନ୍ତି। ଏହି ଘଟଣା ପରେ ଗ୍ରାମବାସୀ ଓ SMC ସଦସ୍ୟମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି।

ସ୍କୁଲ ପରିସରରେ ବୁଲା କୁକୁରଙ୍କ ଉପସ୍ଥିତିକୁ ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ବିପଦ ଭାବି ବିକ୍ଷୋଭକାରୀମାନେ ସ୍କୁଲ ଗେଟ୍‌ରେ ତାଲା ପକାଇ ଆନ୍ଦୋଳନ କରିଛନ୍ତି। ବୁଲା କୁକୁରମାନେ ଯେପରି ସ୍କୁଲ୍‌ ପରିସରକୁ ପ୍ରବେଶ କରି ନ ପାରନ୍ତି, ସେଥିପାଇଁ ଦୃଢ଼ ବ୍ୟବସ୍ଥା ଗ୍ରହଣ କରିବାକୁ ସେମାନେ ପ୍ରଶାସନ ଦୃଷ୍ଟି ଆକର୍ଷଣ କରିଛନ୍ତି।