FeaturedLatestNews

ଜାପାନ ପ୍ରତିନିଧି ଦଳ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର (ସଂକେତ ଟିଭି): ବାଣିଜ୍ୟ, ପର୍ଯ୍ୟଟନ, ପୁଞ୍ଜିନିବେଶ ଏବଂ ଶିକ୍ଷା କ୍ଷେତ୍ରରେ ସହଭାଗୀତାକୁ ସୁଦୃଢ କରିବା ପାଇଁ ଜାପାନ ଏବଂ ଓଡ଼ିଶା ସରକାର ଆଗେଇ ଆସିଛନ୍ତି। ଆଜି ବୁଧବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ କୋଲକାତାସ୍ଥିତ ଜାପାନର କନସୁଲ ଜେନେରାଲ ଇସିକାୱା ୟୋସିହିସା (Ishikawa Yoshihisa) ସାକ୍ଷାତ କରି ଏକାଧିକ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଏହି ବୈଠକରେ ଓଡ଼ିଶାର ଯୁବକ ଯୁବତୀମାନଙ୍କୁ ଜାପାନରେ ଅଧିକ ନିଯୁକ୍ତି ସୁଯୋଗ ଯୋଗାଇବା ନେଇ ମଧ୍ୟ ଆଲୋଚନା ହୋଇଥିଲା।

ବୈଠକର ନିଷ୍ପତ୍ତି ଅନୁଯାୟୀ, ଜାପାନର ଏକ ରାଜ୍ୟ ‘ତୋତ୍ତୋରୀ’ ଓ ଓଡ଼ିଶା ମଧ୍ୟରେ ସହଭାଗୀତା ହେବ। ଏହି ଉଭୟ ରାଜ୍ୟ ‘ସିଷ୍ଟର ଷ୍ଟେଟ୍‌ସ’ ଭାବରେ କାର୍ଯ୍ୟ କରିବେ। ଉଭୟ ରାଜ୍ୟର ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳୀ ଆଗାମୀ ଦିନରେ ପରସ୍ପର ରାଜ୍ୟକୁ ଗସ୍ତ କରିବେ। ପରବର୍ତ୍ତୀ ସମୟରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଏବଂ ତୋତ୍ତୋରୀର ରାଜ୍ୟପାଳ ଏହି ପାର୍ଟନରସିପ୍ ସମ୍ପର୍କରେ ଅଧିକୃତ ଘୋଷଣା କରିବେ। ଏହା ମାଧ୍ୟମରେ ଉଭୟ ରାଜ୍ୟ ମଧ୍ୟରେ ବାଣିଜ୍ୟ, ପ୍ରଯୁକ୍ତି, ସାଂସ୍କୃତିକ ଓ ଶିକ୍ଷା କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇବ।

ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଓଡ଼ିଶାର ବିକାଶମୂଳକ ପ୍ରକଳ୍ପରେ ଜାପାନର ସହଯୋଗ ଓ ବୃଦ୍ଧିଶୀଳ ବାଣିଜ୍ୟିକ ସମ୍ପର୍କ ପାଇଁ ପ୍ରଶଂସା କରିଥିଲେ। ଆଗାମୀ ଦିନରେ ଜାପାନ ଓଡ଼ିଶାରେ ଅଧିକ ପୁଞ୍ଜିନିବେଶ କରି ଶିଳ୍ପାୟନ ପ୍ରକ୍ରିୟାରେ ଭୂମିକା ନେବ ବୋଲି ସେ ଆଶା ପ୍ରକାଶ କରିଥିଲେ।

କନସୁଲ ଜେନେରାଲ ଇସିକାୱା ୟୋସିହିସା ଓଡ଼ିଶା ଓ ଜାପାନ ମଧ୍ୟରେ ଥିବା ଐତିହାସିକ, କଳା ଓ ସାଂସ୍କୃତିକ ସମ୍ପର୍କ ଉପରେ ଆଲୋକପାତ କରିଥିଲେ। ଓଡ଼ିଶାର ସାମାଜିକ ଓ ଆର୍ଥିକ ବିକାଶରେ ଜାପାନ ସହଯୋଗ କରିବାକୁ ପ୍ରସ୍ତୁତ ବୋଲି କନସୁଲ ଜେନେରାଲ କହିଥିଲେ।

ବୈଠକରେ ଓଡ଼ିଶାର ଯୁବକ ଯୁବତୀମାନଙ୍କୁ ଜାପାନରେ ଅଧିକ ନିଯୁକ୍ତି ସୁଯୋଗ ଯୋଗାଇବା ନେଇ ମଧ୍ୟ ଆଲୋଚନା ହୋଇଥିଲା। ଏହି ଉଦ୍ଦେଶ୍ୟରେ ଜାପାନର ବିଭିନ୍ନ ରିକ୍ରୁଟମେଣ୍ଟ ଏଜେନ୍ସି ଆଗାମୀ ଦିନରେ ଓଡ଼ିଶାରେ କାର୍ଯ୍ୟ କରିବେ ବୋଲି ନିଷ୍ପତ୍ତି ହୋଇଛି।

ପର୍ଯ୍ୟଟନ କ୍ଷେତ୍ରରେ ଓଡ଼ିଶାର ବୌଦ୍ଧ ସର୍କିଟ୍ ଓ ପ୍ରାକୃତିକ ପର୍ଯ୍ୟଟନସ୍ଥଳୀଗୁଡ଼ିକୁ ଜାପାନୀ ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣୀୟ ଗନ୍ତବ୍ୟ ଭାବେ ବିକଶିତ କରିବା ନେଇ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା। ଏହା ସହ ଶିକ୍ଷା ଓ ପ୍ରଯୁକ୍ତି ବିନିମୟ କ୍ଷେତ୍ରରେ ସହଭାଗୀତା ବୃଦ୍ଧି ଉପରେ ଜୋର ଦିଆଯାଇଥିଲା।

ବୈଠକରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା ଏବଂ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶାଶ୍ୱତ ମିଶ୍ର ଉପସ୍ଥିତ ଥିଲେ।