ଅକ୍ଷୟ ତୃତୀୟାରେ କଟକରେ ଅଖିମୁଠି ଅନୁକୂଳ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର (ସଂକେତ ଟିଭି): ପବିତ୍ର ଅକ୍ଷୟ ତୃତୀୟା ଓ ରାଜ୍ୟସ୍ତରୀୟ କୃଷକ ଦିବସ ଅବସରରେ କଟକ ସ୍ଥିତ କେନ୍ଦ୍ରୀୟ ଧାନ ଗବେଷଣା ଅନୁଷ୍ଠାନ (ସିଆର୍ଆର୍ଆର୍ଆଇ) ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଖିମୁଠି ଅନୁକୂଳ କରିଛନ୍ତି। ଧାନ ଗବେଷଣା କେନ୍ଦ୍ର ନିକଟରେ ଥିବା ଚାଷ ଜମିରେ ସେ ପ୍ରଥମେ ଭୂମି ପୂଜା କରିବା ସହ ନୂଆ କୃଷି ବର୍ଷର ଶୁଭାରମ୍ଭ କରିଥିଲେ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟର କୃଷକମାନଙ୍କ ପାଇଁ ଅନେକ ବଡ଼ ଘୋଷଣା କରିଛନ୍ତି। ଚାଷୀଙ୍କ ଦୁଆର ମୁହଁକୁ ଉନ୍ନତମାନର ବିହନ ଯୋଗାଇ ଦେବା ପାଇଁ ‘ଆମ ବିହନ ରଥ’ର ଶୁଭାରମ୍ଭ କରାଯାଇଛି। ଏହି ଭ୍ରାମ୍ୟମାଣ ବିହନ ବିକ୍ରୟ କେନ୍ଦ୍ର ପ୍ରଥମ ପର୍ଯ୍ୟାୟରେ ୧୦ଟି ଜିଲ୍ଲାର ୩୧ଟି ବ୍ଲକରେ ଚାଲୁ ହେବ। ୫ କେଜିଆ ପ୍ୟାକେଟ୍ ଆକାରରେ ନୂତନ କିସମର ଧାନ ବିହନ ଗ୍ରାମ ପଞ୍ଚାୟତ ସ୍ତରରେ ଉପଲବ୍ଧ ହେବ।
ଏହାସହିତ ମୁଖ୍ୟମନ୍ତ୍ରୀ ୪୧,୬୮,୫୮୨ ଜଣ ଚାଷୀଙ୍କୁ ସିଏମ-କିସାନ ଯୋଜନାରେ ୮୩୮ କୋଟି ୪୮ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ଏହି ଚାଷୀମାନଙ୍କ ମଧ୍ୟରୁ ୪୧,୨୪,୨୪୧ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ, ୪୧,୦୪୯ ଜଣ ଭୂମିହୀନ କୃଷକ ପରିବାରର ଚାଷୀ ଏବଂ ୩,୨୯୨ ଜଣ ଜନଜାତି କୃଷକ ପରିବାରର ଚାଷୀ ଅଛନ୍ତି।
କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ସମସ୍ତ କୃଷକ ଭାଇ ଓ ଭଉଣୀଙ୍କୁ ଅକ୍ଷୟ ତୃତୀୟାର ଶୁଭେଚ୍ଛା ଜଣାଇ କହିଥିଲେ ଯେ, ଓଡ଼ିଶାର ଅର୍ଥନୀତି, ସଂସ୍କୃତି ଓ ସମୃଦ୍ଧିର ମୂଳ ଆଧାର ହେଉଛି କୃଷି। ଅକ୍ଷୟ ତୃତୀୟା ଦିନ ଚାଷୀମାନେ ଅଖିମୁଠି ଅନୁକୂଳ କରି ନୂଆ କୃଷି ବର୍ଷର ଶୁଭାରମ୍ଭ କରୁଥିବାରୁ ଏହା ଓଡ଼ିଶାର ଗୌରବମୟ ପରମ୍ପରା ବୋଲି ସେ ଉଲ୍ଲେଖ କରିଥିଲେ।
ରାଜ୍ୟର କୃଷି ଅଭିବୃଦ୍ଧି ହାର ୫.୩ ପ୍ରତିଶତରେ ପହଞ୍ଚିଥିବା ଏବଂ ୧୫୦ ଲକ୍ଷ ମେଟ୍ରିକ ଟନ୍ରୁ ଅଧିକ ଖାଦ୍ୟଶସ୍ୟ ଉତ୍ପାଦନ ହୋଇ ନୂଆ ରେକର୍ଡ ସୃଷ୍ଟି ହୋଇଥିବା ନେଇ ମୁଖ୍ୟମନ୍ତ୍ରୀ କୃଷକମାନଙ୍କୁ ଅଭିନନ୍ଦନ ଜଣାଇଥିଲେ। ଚାଷୀଙ୍କ ପରିଶ୍ରମର ଯଥୋଚିତ ମୂଲ୍ୟ ଦେବା ପାଇଁ ରାଜ୍ୟ ସରକାର କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କାରେ ଧାନ କ୍ରୟ କରୁଥିବା ସେ କହିଥିଲେ।
