ଆମେରିକା-ଇରାନ ଯୁଦ୍ଧ: ଭାରତରେ ପ୍ରିମିୟମ ପେଟ୍ରୋଲ ଦାମ ବୃଦ୍ଧି
ନୂଆଦିଲ୍ଲୀ (ସଂକେତ ଟିଭି): ଆମେରିକା- ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଜାରି ଯୁଦ୍ଧର ଗୁରୁତର ପ୍ରଭାବ ସାରା ବିଶ୍ବର ତେଲ ଯୋଗାଣ ଉପରେ ପଡ଼ିଛି। ଫଳରେ ବିଶ୍ବର ଅନେକ ଦେଶରେ ଶକ୍ତି ସଙ୍କଟ ସୃଷ୍ଟି ହୋଇଛି। ଏହାରି ମଧ୍ୟରେ ଯୁଦ୍ଧର ପ୍ରଥମ ପ୍ରଭାବ ଭାରତୀୟ ତେଲ ମାର୍କେଟ ଉପରେ ପଡ଼ିଛି ଏବଂ ଦେଶରେ ପ୍ରିମିୟମ ଅର୍ଥାତ ପାଓ୍ବାର ପେଟ୍ରୋଲର ଦାମ ବୃଦ୍ଧି ପାଇଛି।
ସୂଚନା ଅନୁସାରେ, ବିଭିନ୍ନ କମ୍ପାନି ସେମାନଙ୍କର ପ୍ରିମିୟମ ପେଟ୍ରୋଲର ଦାମରେ ଲିଟର ପିଛା ୨ ଟଙ୍କା ୩୦ ପଇସା ଲେଖାଏଁ ବୃଦ୍ଧି କରିଛନ୍ତି। CNBC ଆଓ୍ବାଜର ଏକ ରିପୋର୍ଟ ଅନୁସାରେ, ପେଟ୍ରୋଲ ଡିଲରମାନେ ମୂଲ୍ୟ ବୃଦ୍ଧି ନେଇ ସ୍ପଷ୍ଟ କରିଛନ୍ତି। ବର୍ତ୍ତମାନ କେବଳ ପାଓ୍ବାର ପେଟ୍ରୋଲ ଦାମ ବୃଦ୍ଧି ପାଇଥିବା ବେଳେ ରେଗୁଲାର ପେଟ୍ରୋଲ ଦାମ୍ ବୃଦ୍ଧି କରାଯାଇ ନଥିବା ଡିଲର ସଂଘ ପକ୍ଷରୁ କୁହାଯାଇଛି।
ଏହି ବୃଦ୍ଧିର ପ୍ରଭାବ ମୁଖ୍ୟତଃ ସେହି ଗ୍ରାହକମାନଙ୍କ ଉପରେ ପଡ଼ିବ, ଯେଉଁମାନେ ହାଇ-ଅକ୍ଟେନ ବା ପ୍ରିମିୟମ ପେଟ୍ରୋଲ ବ୍ୟବହାର କରୁଥିଲେ। ଉତ୍ତମ ଇଞ୍ଜିନ ପରଫରମାନ୍ସ ଏବଂ ଅଧିକ ମାଇଲେଜ ପାଇଁ ସାଧାରଣତଃ ପ୍ରିମିୟମ ପେଟ୍ରୋଲର ବ୍ୟବହାର କରାଯାଇଥାଏ।
ତେବେ କମ୍ପାନିଗୁଡ଼ିକ ପକ୍ଷରୁ ଦାମ୍ ବୃଦ୍ଧି ନେଇ କୌଣସି ଆନୁଷ୍ଠାନିକ ଘୋଷଣା କରାଯାଇନାହିଁ। ଅବଶ୍ୟ ବିଶେଷଜ୍ଞମାନଙ୍କ କହିବା ଅନୁସାରେ, ଇରାନ ଯୁଦ୍ଧ ଯୋଗୁ ବିଶ୍ବ କଞ୍ଚାତେଲ ଦାମ ଅସ୍ଥିର ରହିଛି ଏବଂ ପରିବହନ ଖର୍ଚ୍ଚରେ ପରିବର୍ତ୍ତନ ଦାମ ବୃଦ୍ଧିର ମୁଖ୍ୟ କାରଣ ହୋଇପାରେ।
ସୂଚନାଯୋଗ୍ୟ, ଆମେରିକା ଓ ଇସ୍ରାଏଲର ଇରାନ ଉପରେ ଆକ୍ରମଣ ଏବଂ ତେହେରାନର ପାଲଟା ଆକ୍ରମଣ ପରେ ଅଶୋଧିତ ତେଲ ଦାମ ପ୍ରତି ବ୍ୟାରେଲ ପିଛା ୧୦୦ ଡଲାର ଟପିଛି। ଏହା ସମଗ୍ର ଦୁନିଆରେ ହାହାକାର ସୃଷ୍ଟି କରିଛି। ଏଭଳି ସ୍ଥିତିରେ ନିଜ ଆବଶ୍ୟକତାର ୮୮ ପ୍ରତିଶତ ତେଲ ଆମଦାନୀ କରୁଥିବା ଭାରତ ପାଇଁ ଏହା ଏକ ବଡ଼ ଆର୍ଥିକ ସଙ୍କଟ ସୃଷ୍ଟି କରିପାରେ।
ତୈଳ ଯୋଗାଣରେ ବାଧା ଉପୁଜିବାର ଆଉ ଏକ ବଡ଼ କାରଣ ହେଉଛି ହର୍ମୁଜ ପ୍ରଣାଳୀ। ଯୁଦ୍ଧ ଆରମ୍ଭ ହେବା ପରଠାରୁ ଏହି ମାର୍ଗ ଦେଇ ଜାହାଜ ଗମନାଗମନ ଠପ୍ ହୋଇଯାଇଛି। ଯୁଦ୍ଧ ପୂର୍ବରୁ ସାଧାରଣତଃ ପ୍ରତିଦିନ ପ୍ରାୟ ଏହି ମାର୍ଗରେ ୧.୫ କୋଟି ବ୍ୟାରେଲ ଅଶୋଧିତ ତେଲ ଏବଂ ୫୦ ଲକ୍ଷ ବ୍ୟାରେଲ ତେଲ ଉତ୍ପାଦ ଆମଦାନୀ-ରପ୍ତାନୀ ହେଉଥିଲା। ଏହା ବିଶ୍ବ ତେଲ ବ୍ୟବହାରର ୨୦ ପ୍ରତିଶତ। ଭାରତକୁ ଅଶୋଧିତ ତେଲ, ୪୦ ପ୍ରତିଶତ ଗ୍ୟାସ ଏବଂ ୮୫-୯୦ ପ୍ରତିଶତ ଏଲପିଜି ଏହି ମାର୍ଗ ଦେଇ ଆସିଥାଏ। ଏଭଳି ପରିସ୍ଥିତିରେ ଭାରତ ପାଇଁ ଏକ ବଡ଼ ଚିନ୍ତାର ବିଷୟ ଉତ୍ପନ୍ନ ହୋଇଛି।
