ରାଜ୍ୟରେ ଅଛନ୍ତି ମାତ୍ର ୧୫ ଜଣ ମାଓବାଦୀ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟରେ ମାଓବାଦୀଙ୍କ ସଂଖ୍ୟା ଦ୍ରୁତ ଗତିରେ କମିବାରେ ଲାଗିଛି। ବର୍ତ୍ତମାନ ରାଜ୍ୟରେ ମାତ୍ର ୧୫ ଜଣ ମାଓବାଦୀ ଥିବା ନେଇ ବିଧାନସଭାରେ ଲିଖିତ ଭାବେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ୧୫ ଜଣ ମାଓବାଦୀ କନ୍ଧମାଳ, କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲା ସୀମାବର୍ତ୍ତୀ ଅଳ୍ପ କିଛି ଅଞ୍ଚଳରେ ଲୁଚି ରହିଥିବା ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି। ରାଜ୍ୟର ଅନ୍ୟ କୌଣସି ସ୍ଥାନରେ ମାଓବାଦୀଙ୍କ ଉପସ୍ଥିତି ନଥିବା ସେ ସ୍ପଷ୍ଟ କରିଛନ୍ତି।
ସେନେଇ ବିଧାୟକଙ୍କ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଗତ ଦୁଇ ବର୍ଷ ମଧ୍ୟରେ ୨୦୨୬ ମାର୍ଚ୍ଚ ୧୫ ତାରିଖ ସୁଦ୍ଧା ରାଜ୍ୟରେ ୯୬ ଜଣ ମାଓବାଦୀ ଓ ମିଲିସିଆ ସଦସ୍ୟ ଆତ୍ମସମର୍ପଣ କରିଛନ୍ତି। କନ୍ଧମାଳ ଜିଲ୍ଲାକୁ ମାଓବାଦୀ ପ୍ରଭାବିତ ଜିଲ୍ଲା ଭାବରେ ବିବେଚନା କରାଯାଉଛି।
ସେହିପରି, ରାଜ୍ୟର ଆଠଟି ଜିଲ୍ଲା ଯଥା ବୌଦ୍ଧ, ବଲାଙ୍ଗୀର, କଳାହାଣ୍ଡି, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା ଓ ରାୟଗଡ଼ାକୁ ‘ଲେଗେସି ଆଣ୍ଡ ଥ୍ରଷ୍ଟ’ ଜିଲ୍ଲା ଭାବରେ ବିବେଚନା କରାଯାଉଛି। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ନିଜ ଲିଖିତ ଉତ୍ତରରେ ଆହୁରି ମଧ୍ୟ କହିଛନ୍ତି ଯେ, ୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ଓଡ଼ିଶାକୁ ସମ୍ପୂର୍ଣ୍ଣ ମାଓବାଦୀ ମୁକ୍ତ ରାଜ୍ୟ ଭାବରେ ଘୋଷଣା କରାଯିବ।
