ହଠାତ୍ ମୋବାଇଲ୍ରୁ ଅସାମାନ୍ୟ ଆଲାର୍ମ ଶବ୍ଦ, ଲୋକେ ଆତଙ୍କିତ
ଭୁବନେଶ୍ୱର (ସଂକେତ ଟିଭି): ସମୟ ପୂର୍ବାହ୍ନ ୧୧.୪୩। ହଠାତ୍ ଥରି ଉଠିଲା ମୋବାଇଲ। କେହି ଫେସବୁକ୍ ଚଲାଉଥିଲେ, ତ ଆଉ କେହି ୱ୍ହାଟ୍ସଆପ୍ରେ ବନ୍ଧୁଙ୍କ ସହ ଚାଟିଂ କରୁଥିଲେ। ମୋବାଇଲ୍ ଥରିବା ଦେଖି ସଭିଏଁ ଭୟଭୀତ ହୋଇପଡ଼ିଲେ।
କିନ୍ତୁ ଆପଣ ଭୟଭୀତ ହୁଅନ୍ତୁ ନାହିଁ। କାରଣ ଏହା ଥିଲା କେନ୍ଦ୍ର ସରକାରଙ୍କ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (NDMA) ଦ୍ୱାରା ପଠାଯାଇଥିବା ଏକ ପରୀକ୍ଷାମୂଳକ (ଟେଷ୍ଟ) ମେସେଜ୍। ଆଜି ସାରା ଦେଶରେ NDMA ୱେୟାରଲେସ୍ ଏମରଜେନ୍ସି ଆଲର୍ଟ ସିଷ୍ଟମର ଯାଞ୍ଚ କରାଯାଇଛି।
ଦେଶର ନାଗରିକମାନଙ୍କୁ ଦୁର୍ଘଟଣା ସମୟରେ ତୁରନ୍ତ ସତର୍କ କରିବା ପାଇଁ ଭାରତ ସରକାର ନିଜସ୍ୱ (ଇଣ୍ଡିଜେନସ୍) ପ୍ରଯୁକ୍ତିରେ ତିଆରି ‘ସେଲ୍ ବ୍ରଡକାଷ୍ଟ’ ମେସେଜିଂ ସିଷ୍ଟମ୍ ଆରମ୍ଭ କରିଛନ୍ତି। ଆଜି ପୂର୍ବାହ୍ନ ୧୧ଟା ୪୩ ମିନିଟ୍ରେ କେନ୍ଦ୍ର ସରକାର ପ୍ରାୟ ସମସ୍ତ ମୋବାଇଲ୍ ବ୍ୟବହାରକାରୀଙ୍କୁ ଏହି ପରୀକ୍ଷାମୂଳକ ସନ୍ଦେଶ ପଠାଇ ସିଷ୍ଟମ୍ର କାର୍ଯ୍ୟକ୍ଷମତା ଯାଞ୍ଚ କରିଥିଲେ।
ହଠାତ୍ ମୋବାଇଲ୍ରୁ ଅସାମାନ୍ୟ ଆଲାର୍ମ ଶବ୍ଦ ଶୁଣି ଲୋକମାନଙ୍କ ମଧ୍ୟରେ ଭୟ ଓ ଆତଙ୍କ ଖେଳିଯାଇଥିଲା। ଏପରି ଶବ୍ଦ ପୂର୍ବରୁ କେବେ ନଶୁଣିଥିବାରୁ କେହି ଘରୁ ବାହାରି ପଡ଼ିଥିଲେ, ତ ଆଉ କେହି ରାସ୍ତାରେ ଏପଟୁ ସେପଟୁ ଦୌଡ଼ିବାକୁ ଲାଗିଥିଲେ।
ପରେ ଜଣାପଡ଼ିଲା ଯେ ଏହା କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରେରିତ ଏକ ପରୀକ୍ଷାମୂଳକ ‘ସେଲ୍ ବ୍ରଡକାଷ୍ଟ’ ଆଲର୍ଟ ସନ୍ଦେଶ। ସନ୍ଦେଶରେ ସ୍ପଷ୍ଟ କରାଯାଇଥିଲା ଯେ ଏହା କେବଳ ଟେଷ୍ଟ, ଏଥିପାଇଁ ସାଧାରଣ ଲୋକଙ୍କୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଆବଶ୍ୟକତା ନାହିଁ। ତଥାପି, କିଛି ସମୟ ପାଇଁ କଟକରେ ଭୟ ଓ ଅସ୍ଥିରତା ଦେଖାଦେଇଥିଲା।
“ଭାରତ ସରକାର ନିଜସ୍ୱ ପ୍ରଯୁକ୍ତିରେ ସେଲ୍ ବ୍ରଡକାଷ୍ଟ ସିଷ୍ଟମ୍ ଆରମ୍ଭ କରିଛନ୍ତି, ଯାହା ଦୁର୍ଘଟଣା ସମୟରେ ନାଗରିକଙ୍କୁ ତୁରନ୍ତ ସତର୍କ କରିବ। ଏହା ଏକ ପରୀକ୍ଷାମୂଳକ ସନ୍ଦେଶ।” ଭବିଷ୍ୟତରେ ଭୂକମ୍ପ, ବନ୍ୟା, ଘୂର୍ଣ୍ଣିବାତ୍ୟା ଭଳି ଆପଦ ସମୟରେ ଏହି ସେବା ମାଧ୍ୟମରେ ସମସ୍ତ ମୋବାଇଲ ବ୍ୟବହାରକାରୀଙ୍କୁ ଏକ ସମୟରେ ସତର୍କ ସନ୍ଦେଶ ପଠାଯିବ। “ସୁରକ୍ଷିତ ନାଗରିକ, ସୁରକ୍ଷିତ ଦେଶ” – ଏହି ମନ୍ତ୍ରକୁ ନେଇ କାର୍ଯ୍ୟ କରୁଛି ସରକାର।
