FeaturedLatestNewsPolitics

ଏସସିବି ଅଗ୍ନିକାଣ୍ଡ: ଶାସକଙ୍କୁ ପୁଣି ଟାର୍ଗେଟ କଲେ ନବୀନ ପଟ୍ଟନାୟକ

ଭୁବନେଶ୍ୱର (ସଂକେତ ଟିଭି): ଏସସିବି ମେଡିକାଲ ପୋଡ଼ି ଘଟଣା ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି କରିଛି। ଶାସକ ଏବଂ ବିରୋଧୀଙ୍କ ମଧ୍ୟରେ ଆରୋପ ଏବଂ ପ୍ରତ୍ୟାରୋପର ଲଢ଼େଇ ଜାରି ରହିଛି। କେବେ ବିରୋଧୀ ଶାସକଙ୍କୁ ଟାର୍ଗେଟ କରୁଛନ୍ତି ତ ଆଉ କେବେ ଶାସକ ବିରୋଧୀଙ୍କ ଉପରେ ପ୍ରହାର କରୁଛନ୍ତି। ଏହି ସବୁ ଘଟଣାବଳୀ ଭିତରେ ମଙ୍ଗଳବାର ଦିନ ପୁଣି ଥରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସରକାରୀ ଦଳକୁ ଟାର୍ଗେଟ କରିଛନ୍ତି।

ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ଏସସିବି ମେଡିକାଲ ପୋଡ଼ି ଘଟଣାକୁ ନେଇ ୯ ଦିନ ବିତିସାରିଲାଣି, ତଥାପି ଏପର୍ଯ୍ୟନ୍ତ କୌଣସି କେନ୍ଦ୍ର ମନ୍ତ୍ରୀ ମେଡିକାଲ ପରିଦର୍ଶନ କରିନାହାନ୍ତି। କିନ୍ତୁ ଯେତେବେଳେ ଏକ ଘରୋଇ ହସ୍ପିଟାଲରେ ନିଆଁ ଲାଗିଥିଲା, ସେତେବେଳେ ଅନେକ କେନ୍ଦ୍ର ମନ୍ତ୍ରୀ ଆସିଥିଲେ। ଏବେ କାହିଁକି ଆସୁନାହାନ୍ତି, ଯାହା ପୁରା ଆଶ୍ଚର୍ଯ୍ୟଜନକ। ସେ ପୁଣି ଥରେ କହିଛନ୍ତି ଯେ, ରାଜ୍ୟର ସ୍ୱାସ୍ଥ୍ୟ ମନ୍ତ୍ରୀ ଏହି ଘଟଣାରେ ଇସ୍ତଫା ଦିଅନ୍ତୁ। ନଚେତ୍ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ଏବଂ ବିଜେଡି ଜୋରଦାର୍ ପ୍ରତିବାଦ କରିବ।

ସୂଚନାଯୋଗ୍ୟ, ଗତ ୧୬ ତାରିଖରେ କଟକ ସ୍ଥିତ ଏସସିବି ମେଡିକାଲରେ ଅଗ୍ନିକାଣ୍ଡ ଘଟିଥିଲା। ଏହି ଦୁର୍ଘଟଣାରେ ପ୍ରାଥମିକ ପର୍ଯ୍ୟାୟରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ଆଉ ୨ ଜଣଙ୍କର ମୃତ୍ୟୁ ହୋଇଥିଲା। ମୁଖ୍ୟମନ୍ତ୍ରୀ ଶୋକ ଜାହିର କରିବା ସହ କ୍ଷତିପୂରଣ ଘୋଷଣା କରିଥିଲେ ଏବଂ ଆହତମାନଙ୍କୁ ଉତ୍ତମ ଚିକିତ୍ସା ପାଇଁ ନିର୍ଦ୍ଦେଶ ଦେଇଥିଲେ। ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି ଏବଂ ରାଜ୍ୟପାଳ ମଧ୍ୟ ଏହି ଘଟଣାରେ ଶୋକ ପ୍ରକାଶ କରିଥିଲେ।

ଅନ୍ୟପଟେ, ରାଜ୍ୟ ରାଜନୀତିରେ ଆରୋପ-ପ୍ରତ୍ୟାରୋପର ଲଢ଼େଇ ଜାରି ରହିଛି। ବିଧାନସଭାରେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିରୋଧୀ ଅଡ଼ି ବସିଛନ୍ତି। ପ୍ରତିଦିନ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ଏହି ପ୍ରସଙ୍ଗକୁ ନେଇ ହୋହଲ୍ଲା କରୁଛନ୍ତି, ଯାହାଫଳରେ ଗତ ୧୭ ତାରିଖରୁ ବିଧାନସଭା ଠିକ୍ ଭାବରେ ଚାଲିପାରୁନାହିଁ।