ମାଓ ନେତା ଶୁକ୍ରୁଙ୍କ ସମେତ ୫ ମାଓବାଦୀଙ୍କଙ୍କ ଆତ୍ମସମର୍ପଣ
ଭୁବନେଶ୍ୱର (ସଂକେତ ଟିଭି): ମାଓମୁକ୍ତ ଓଡ଼ିଶା ପାଇଁ ନିର୍ଦ୍ଧାରିତ ଡେଡ୍ଲାଇନ ପାଖେଇ ଆସୁଥିବା ବେଳେ ରାଜ୍ୟ ପୋଲିସକୁ ବଡ଼ ସଫଳତା ମିଳିଛି। ମୋଷ୍ଟ ୱାଣ୍ଟେଡ୍ ମାଓ ନେତା ଶୁକ୍ରୁ କନ୍ଧମାଳ ପୋଲିସ ନିକଟରେ ଆତ୍ମସମର୍ପଣ କରିଛି। ତାଙ୍କ ନିକଟରୁ ଏକେ-୪୭ ଅସ୍ତ୍ର ମଧ୍ୟ ଜବତ କରାଯାଇଛି। ଶୁକ୍ରୁଙ୍କ ସହ ଆଉ ୪ ଜଣ ମାଓବାଦୀ ମଧ୍ୟ ଆତ୍ମସମର୍ପଣ କରିଛନ୍ତି। ଶୁକ୍ରୁ ଉପରେ ପୋଲିସ ପକ୍ଷରୁ ୫୫ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା। ଏନେଇ ପୋଲିସ ଡିଜି ଯୋଗେଶ ବାହାଦୂର ଖୁରାନିଆ ସୂଚନା ଦେଇଛନ୍ତି।
ବହୁଦିନ ଧରି ଶୁକ୍ରୁଙ୍କୁ ଗିରଫ କରିବାକୁ ଓଡ଼ିଶା ପୋଲିସ ପ୍ରୟାସ ଜାରି ରଖିଥିଲା। ତାଙ୍କୁ ଧରାଇଦେବା ପାଇଁ ୫୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ମଧ୍ୟ ଘୋଷଣା କରାଯାଇଥିଲା। କନ୍ଧମାଳରେ ଗତ କିଛି ବର୍ଷ ହେବ ମାଓ ନେତା ଶୁକ୍ରୁ ବେଶ୍ ସକ୍ରିୟ ଥିଲେ। ଏପରିକି ସେ ‘ଏଇଟ୍ଥ କମ୍ପାନୀ’ ନାମରେ ଏକ ନୂଆ ସଂଗଠନ ମଧ୍ୟ ଚଳାଉଥିଲେ। ଶୁକ୍ରୁ ମାଓ ସଙ୍ଗଠନର ଷ୍ଟେଟ କମିଟି ସଦସ୍ୟ ଥିଲେ। ତାଙ୍କୁ ଆତ୍ମସମର୍ପଣ ପାଇଁ ଓଡ଼ିଶା ପୋଲିସ ପକ୍ଷରୁ ଅପିଲ୍ କରାଯାଇଥିଲା। ତାଙ୍କ ଆତ୍ମସମର୍ପଣ ପରେ ଓଡ଼ିଶାରେ ମାଓ ସଂଗଠନରେ ଆଉ କୌଣସି ବଡ଼ ନେତା ନଥିବା ଜଣାପଡ଼ିଛି।
ଅପରପକ୍ଷରେ, ମାର୍ଚ୍ଚ ୩୧ ସୁଦ୍ଧା ସବୁ ରାଜ୍ୟକୁ ମାଓବାଦୀମୁକ୍ତ କରିବାକୁ କେନ୍ଦ୍ର ସରକାର ଟାର୍ଗେଟ ଦେଇଛନ୍ତି। ଏହି ଧାର୍ଯ୍ୟ ତାରିଖ ସୁଦ୍ଧା ଓଡ଼ିଶାକୁ ମାଓବାଦୀମୁକ୍ତ କରିବାକୁ ରାଜ୍ୟ ପୋଲିସ ପକ୍ଷରୁ ପ୍ରୟାସ ଜାରି ରହିଛି। ବର୍ତ୍ତମାନ ମାତ୍ର ଏକ ଅଙ୍କ ସଂଖ୍ୟାରେ କିଛି ମାଓବାଦୀ ଥିବାବେଳେ ପୋଲିସ ପକ୍ଷରୁ ଜୋରଦାର କମ୍ବିଂ ଅପରେସନ କରାଯାଉଛି।
ଏହି ପ୍ରସଙ୍ଗରେ ବିଧାନସଭାରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗତକାଲି (ସୋମବାର) ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ, ‘କେନ୍ଦ୍ର ସରକାରଙ୍କ ସୁରକ୍ଷା ସମ୍ବନ୍ଧୀୟ ଖର୍ଚ୍ଚ (ଏସଆରଇ) ଯୋଜନା ଅନୁଯାୟୀ ବର୍ତ୍ତମାନ ରାଜ୍ୟର କେବଳ କନ୍ଧମାଳ ଜିଲ୍ଲାକୁ ମାଓବାଦୀ ପ୍ରଭାବିତ ଜିଲ୍ଲା ଭାବରେ ବିବେଚନା କରାଯାଉଛି। ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା, ବୌଦ୍ଧ, ବଲାଙ୍ଗୀର, କଳାହାଣ୍ଡି, କୋରାପୁଟ ଏବଂ ରାୟଗଡ଼ା ଜିଲ୍ଲାକୁ ଲିଗାସି ଓ ଥ୍ରଷ୍ଟ ଜିଲ୍ଲା ଭାବରେ ବିବେଚନା କରାଯାଉଛି। କିନ୍ତୁ ବାସ୍ତବରେ କନ୍ଧମାଳ-କଳାହାଣ୍ଡି-ରାୟଗଡ଼ା ଜିଲ୍ଲା ସୀମାନ୍ତବର୍ତ୍ତୀ ଅଳ୍ପ କିଛି ଅଞ୍ଚଳରେ ପ୍ରାୟ ୧୫ ଜଣ ମାଓବାଦୀଙ୍କ ଉପସ୍ଥିତି ବ୍ୟତୀତ ରାଜ୍ୟର ଅନ୍ୟ କୌଣସି ଅଞ୍ଚଳରେ ମାଓବାଦୀଙ୍କର ଉପସ୍ଥିତି ନାହିଁ। ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଓଡ଼ିଶାକୁ ସମ୍ପୂର୍ଣ୍ଣ ଭାବରେ ମାଓବାଦୀମୁକ୍ତ ରାଜ୍ୟ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।’
