FeaturedLatestNews

୧ ଏପ୍ରିଲରୁ ଲାଗୁ ହେବ ନୂଆ ୩ ବର୍ଷିଆ ଅବକାରୀ ନୀତି

ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟ ସରକାର ୩ ବର୍ଷିଆ ନୂଆ ଅବକାରୀ ନୀତି ପ୍ରଣୟନ କରିଛନ୍ତି। ଆସନ୍ତା ୧ ଏପ୍ରିଲ୍ ତାରିଖରୁ ଏହି ନୂଆ ନୀତି ଲାଗୁ ହେବ। ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏନେଇ ବିସ୍ତୃତ ସୂଚନା ଦେଇଛନ୍ତି। ନୂଆ ନୀତିରେ ରାଜ୍ୟରେ ନୂଆ ଓଏଫ୍ (OFF) କିମ୍ବା ଓଏସ୍ (OS) ଦୋକାନ ଖୋଲିବାକୁ ଅନୁମତି ଦିଆଯିବ ନାହିଁ। ଗ୍ରାମୀଣ ଅଞ୍ଚଳରେ ମଧ୍ୟ କୌଣସି ନୂଆ ମଦ ଦୋକାନ ଖୋଲିବା ପାଇଁ ଅନୁମୋଦନ ମିଳିବ ନାହିଁ।

କେବଳ ଶିଳ୍ପାଞ୍ଚଳରେ ଥିବା ୩-ତାରକା ଓ ତଦୁର୍ଦ୍ଧ୍ୱ ହୋଟେଲ୍ ଏବଂ କ୍ଲବ୍ ପାଇଁ ଏହି ନିୟମରୁ ଛାଡ଼ ରହିବ। ସେହିପରି ପୁରୀର ଶ୍ରୀଜଗନ୍ନାଥ ମନ୍ଦିର ଓ ବଡ଼ଦାଣ୍ଡ ନିକଟରେ କୌଣସି ମଦ ଦୋକାନ ଚାଲୁ ରହିବ ନାହିଁ। ଏହାସହିତ ଘରକୁ ମଦ ପହଞ୍ଚାଇବାକୁ ମଧ୍ୟ ଅନୁମତି ଦିଆଯିବ ନାହିଁ।

ନୂଆ ନୀତି ଅନୁଯାୟୀ ଅବକାରୀ ଶୁଳ୍କ ଉପରେ ୦.୫ ପ୍ରତିଶତ ଡି-ଆଡିକ୍ସନ ସେସ୍ ଲାଗୁ କରାଯାଇଛି। ଏହି ସେସ୍ରୁ ଆସୁଥିବା ଆୟକୁ ଡି-ଆଡିକ୍ସନ କେନ୍ଦ୍ର ସ୍ଥାପନ ଓ ସୁଦୃଢ଼ୀକରଣରେ ବ୍ୟୟ କରାଯିବ। ଏହା ସହିତ ବିଭିନ୍ନ ଅବକାରୀ ଲାଇସେନ୍ସ ପାଇଁ ଆବେଦନ ଶୁଳ୍କ ୧୦ ପ୍ରତିଶତ ବୃଦ୍ଧି କରାଯାଇଛି। ଲାଇସେନ୍ସ ଶୁଳ୍କ ପ୍ରତି ବର୍ଷ ୧୦ରୁ ୨୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଇବ।

ଆଇଏମଏଫଏଲ (IMFL) ଓ ଦେଶୀ ମଦ (CL) ଉପରେ ମଧ୍ୟ ଅବକାରୀ ଶୁଳ୍କ ବୃଦ୍ଧି କରାଯାଇଛି। ପୂର୍ବରୁ ଲାଇସେନ୍ସଧାରୀମାନଙ୍କ ପାଇଁ ଏକ ନିର୍ଦ୍ଦିଷ୍ଟ ପରିମାଣର ମଦ ବିକ୍ରୟ କରିବାର ନିୟମ ଥିଲା। ଏବେ ଏହା ବଦଳରେ ଏକ ନିର୍ଦ୍ଦିଷ୍ଟ ପରିମାଣର ରାଜସ୍ୱ ଦେବାକୁ ନୂଆ ନିୟମ ପ୍ରବର୍ତ୍ତନ କରାଯାଇଛି। ଏହାଦ୍ୱାରା ସରକାରୀ ରାଜସ୍ୱ ସୁରକ୍ଷିତ ରହିବା ସହିତ ବ୍ୟବସାୟୀମାନଙ୍କୁ କେବଳ ପରିମାଣ ଲକ୍ଷ୍ୟ ପୂରଣ ପାଇଁ ବିକ୍ରି ବୃଦ୍ଧି କରିବାର ଚାପ ହ୍ରାସ ପାଇବ ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ ପ୍ରକାଶ କରିଛନ୍ତି।